Odia News Portal

ଦୁଇ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼

ଭୁବନେଶ୍ୱର: ଥମୁନି ମମିତା ମେହେର ହତ୍ୟା ମାମଲା ତାତି । ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି କରୁଛନ୍ତି ବିରୋଧୀ । ରାଜ୍ୟବ୍ୟାପି ଆନ୍ଦୋଳନ ଜାରି ରଖିଥିଲେ ସୁଦ୍ଧା ଶାସକ ଦଳ ଏହାକୁ ଗୁରୁତ୍ୱ ଦେଉନାହିଁ । ଏପରିକି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ସେପଟେ ଆଜି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ନଜର ଆସିବା ପରେ ବିରୋଧୀଙ୍କୁ ଏକ ପ୍ରକାର ଶକ୍ତ ଝଟକା ଲାଗିଛି । ତେବେ ପ୍ରତିବାଦ ଏବଂ ବିକ୍ଷୋଭ କରିବାକୁ ଯାଇ ବିରୋଧୀମାନେ ଅନ୍ୟ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଛନ୍ତି । ଆଜି ନର୍ଲା ଗସ୍ତରେ ଥିବାବେଳେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରାଯାଇଥିବାବେଳେ ମନ୍ତ୍ରୀ ଜ୍ୟେତିପ୍ରକାଶ ପାଣିଗ୍ରାହୀଙ୍କ ଗାଡ଼ି ଉପରକୁ ମଧ୍ୟ ଅଣ୍ଡାମାଡ଼ କରାଯାଇଛି । ତେବେ ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତେ୍ୱ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ପରିଚାଳିତ ହେଉଥିବା ଦେଖିବାକୁ ମିଳିଛି ।

ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସ୍ମାର୍ଟ କାର୍ଡ ବାବଦରେ ସମସ୍ତକୁ ବିସ୍ତୃତ ଭାବେ ବୁଝାଇଥିଲେ ଏବଂ କଲମପୁରର ୨୦ ଜଣ ହିତାଧିକାରୀକୁ ନିଜେ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି, ଆଶା କର୍ମୀ, ମିଶନଶକ୍ତି ମହିଳା ଏସଏଚଜି ସଭ୍ୟା ପ୍ରାୟ ୫ ଶହରୁ ଅଧିକ ଲୋକ ଯୋଗଦେଇଥିଲେ। ଆଉ ମଧ୍ୟ ପଣ୍ଡିଗାଁ ପଞ୍ଚାୟତରେ ସରପଞ୍ଚ ବନଯା ବାସିନୀ ମହାପାତ୍ର ଦ୍ୱାରା ଅନୁଷ୍ଠିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଯୋଗଦେଇ ୨୦ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ। ଅନୁରୂପ ଭାବେ ଦେପୁର ପଞ୍ଚାୟତରେ ସରପଞ୍ଚ ଭୁକୁଲୁ ବାଗଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଯୋଗ ଦେଇ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ।
ମମିତାଙ୍କୁ ନ୍ୟାୟ ଦାବିରେ ସେହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି ଏବଂ ଉପଯୁକ୍ତ ତଦନ୍ତ ପାଇଁ ମମିତରଙ୍କ ପରିବାର, ବିଭିନ୍ନ ସାମାଜିକ ସଂଗଠନ ଏବଂ ବିରୋଧୀ ଗୋଷ୍ଠୀ ଅନେକ ଦିନରୁ ଦାବି କରି ଆସୁଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଜି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ମନ୍ତ୍ରୀ ଶ୍ରୀମତୀ ସାହୁଙ୍କ ଗାଡ଼ି ଉପରକୁ କଳାହାଣ୍ଡି ଜିଲ୍ଲା ନର୍ଲା ଠାରେ ଅଣ୍ଡା ମାଡ଼ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଓ ଲୋକାର୍ପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଭବାନୀପାଟଣା ଠାରୁ ଫେରିବା ବେଳେ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ବିଜେପି ତରଫରୁ ବଜାର ପାଖରେ ଓ କଂଗ୍ରେସ ଦଳ ତରଫରୁ ନର୍ଲା ଷ୍ଟେଟ୍ ବ୍ୟାଙ୍କ୍ ସାମନାରେ ମନ୍ତ୍ରୀ ଟୁକୁନୀଙ୍କ ଗାଡିକୁ  ଜୋରଦାର୍ ଅଣ୍ଡାମାଡ଼ କରିବା ସହ କଳାପତାକା ପ୍ରଦର୍ଶନ କରାଯାଇଥିଲା ଓ ‘ମନ୍ତ୍ରୀ ଟୁକୁନୀ ସାହୁ ଗୋ ବ୍ୟାକ୍ ଗୋ ବ୍ୟାକ୍’ ନାରାବାଜି କରାଯାଇଥିଲା । ତେବେ କଳାପତାକା ପ୍ରଦର୍ଶନ କରିଥିବାରୁ ଦୁଇଜଣଙ୍କୁ ନର୍ଲା ଥାନାରେ ଅଟକ ରଖି କିଛି ସମୟପରେ ଛାଡି ଦେଇଥିଲେ । ତେବେ ଏହି ଘଟଣାକୁ ନେଇ ନର୍ଲା ରାଜନୀତି ସରଗରମ ହୋଇଯାଇଛି । ମନ୍ତ୍ରୀ ନର୍ଲାରେ ଏକ ଘଣ୍ଟା ଅତିବାହିତ କରିବା ପରେ ସେଠାରୁ ମଦନପୁର ରାମପୁର ଅଭିମୁଖେ ବାହାରିଥିଲେ।