ଥାନା ଭିତରେ ପଶି ଭଙ୍ଗାରୂଜା କଲା ଦନ୍ତା ହାତୀ । ବାଲେଶ୍ବର ଜିଲ୍ଲା ବାହାବଳପୁର ସାମୁଦ୍ରିକ ଥାନା ଭିତରେ ଏକ ଦନ୍ତା ହାତୀ ପଶି ଗଛ ଉପାଡିବା ସହ ଗାଡି ମଟର ଭଙ୍ଗାରୂଜା କରିଛି । ଗତ ୪ ଦିନ ଧରି ଚାନ୍ଦିପୁର ଅଞ୍ଚଳରୁ ଏହି ଦନ୍ତା ହାତୀଟି ପଶି ଆସି ବାହାବଳପୁର ଅଞ୍ଚଳରେ ଏଣେତେଣେ ବୁଲୁଥିବା ବେଳେ ଆଜି ଥାନା ଭିତରେ ପଶି ଗାଡି ମଟର ଭଙ୍ଗାରୂଜା କରିଛି । ଥାନା କର୍ମଚାରୀଙ୍କ କୌଣସି କ୍ଷତି କରି ନଥିଲେ ମଧ୍ଯ ହାତୀ ପାଇଁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବନବିଭାଗ କର୍ମଚାରୀ ହାତୀର ଗତିବିଧି ଉପରେ ନଜର ରଖିଥିବା ବେଳେ ହାତୀ ଘଉଡାଇବା ପାଇଁ ଉଦ୍ଯମ ଜାରି ରଖିଛନ୍ତି ।
ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଦେଖାଦେଇଥିଲା ହାତୀ ଉପଦ୍ରବ । ପଦ୍ମପୁର ଗାଁରେ ଘର ଭାଙ୍ଗି ଧାନ ଖାଇଥିଲେ ୧୬ ଟିକିଆ ହାତୀପଲ । ସେହିପରି ବାଲିବନ୍ଧ ସେକ୍ସନର ବଳଭଦ୍ରପୁର ଗାଁରେ ଗୋଟିଏ ଘର ଭାଙ୍ଗିଦେଇଥିଲେ ହାତୀ । ହାତୀ ଘର ଭାଙ୍ଗିବା ସମୟରେ ଘରେ କେହି ନଥିବାରୁ ବଡ ଅଘଟଣରୁ ବର୍ତ୍ତିଯାଇଥିଲେ ପରିବାର । ହାତୀକୁ ଦେଖି ଘରୁ ବାହାରକୁ ବାହାରି ଆସିଥିଲେ ଲୋକ । ବନ ବିଭାଗ ପହଞ୍ଚି ହାତୀକୁ ଘଉଡାଇଛି । ହାତୀ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ ।
