ଆମ୍ବ ଖାଇବାକୁ ଶିଖରଚଣ୍ଡୀ ପାହାଡ଼ରେ ବୁଲୁଛନ୍ତି ହାତୀ । ଦୁଇ ଦିନ ହେବ ଦୁଇଟି ଦନ୍ତାହାତୀ ପାହାଡରେ ଡେରା ପକାଇଛନ୍ତି । ପାଖ ଭରତପୁର ଜଙ୍ଗଲରୁ ହାତୀ ଦୁଇଟି ଖାଦ୍ୟ ଅନ୍ବେଷଣରେ ଶିଖରଚଣ୍ଡି ପାହାଡ଼କୁ ଆସିଥିବା ବନବିଭାଗ କହିଛି । ଦୁଇ ଦନ୍ତା ହେଲେ ବଡ଼ ଫେରେକଟା ଓ ସାନ ଫେରେକଟା। ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଭୁବନେଶ୍ୱର ବନାଞ୍ଚଳ ରେଞ୍ଜ ପକ୍ଷରୁ ୩ଟି ଟିମ ଗଠନ କରାଯାଇଛି । ରାତିରେ ଦୁଇଟି ଟିମ ଜଗି ରହୁଛନ୍ତି ଏବଂ ଦିନ ସମୟରେ ଗୋଟିଏ ଟିମ୍ ସଜାଗ ହୋଇ ରହୁଛି । ସ୍ଥାନୀୟ ଇନଫୋସିଟି ଥାନା ପୋଲିସ ମଧ୍ଯ ସଜାଗ ରହିଛି । ପାଣି ଟାଙ୍କି ପଟ ଘଞ୍ଚ ଜଙ୍ଗଲ ମଧ୍ୟରେ ଦନ୍ତା ଦୁଇଟି ଲୁଚି ରହିଥିବା ବେଳେ, ଜନବସତି ଆଡ଼କୁ କୌଣସି ବିପଦ ନଥିବା ବନ ବିଭାଗ ଅନୁମାନ କରୁଛି ।ଯେଭଳି ଭାବେ ଦନ୍ତା ଦୁଇଟି ଜନବସତି ମୁହାଁ ନ ହେବେ ସେଥିପ୍ରତି ସଜାଗ ରହିଛି ବନ ବିଭାଗ । ଅନ୍ୟପଟେ ପର୍ଯ୍ୟଟକ ଓ ମା ଶିଖରଚଣ୍ଡୀ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ କୌଣସି କଟକଣା ଲଗାଯାଇନାହିଁ । ଭକ୍ତ ମାନେ ସୁବିଧାରେ ଆସି ମା ଙ୍କ ଦର୍ଶନ କରିବା ସହ ବୁଲିକି ଯାଇ ପାରୁଛନ୍ତି । କିଭଳି ପୁଣି ଭରତପୁର ସଂରକ୍ଷିତ ଜଙ୍ଗଲ ମଧ୍ୟକୁ ହାତୀ ଫେରିବେ ସେଥିପାଇଁ ବନ ବିଭାଗ ତତ୍ପର ରହିଛି ।
