Odia News Portal

ବଦଳିଲା ଫେସବୁକର ନାଁ

ସାନ୍ ଫ୍ରାନ୍ସିସ୍କୋ: ଫେସ୍‌ବୁକ୍‌ ଏହାର ନାମକୁ ପରିବର୍ତ୍ତନ କରିଛି । ଏହାର ନୂଆ ନାମ Facebook ରୁ Meta କୁ ପରିବର୍ତ୍ତନ କରାଯାଇଛି । ଏହାର ପ୍ରତିଷ୍ଠାତା ମାର୍କ ଜୁକର ବର୍ଗ ନିଜେ ଏହି ସୂଚନା ଦେଇଛନ୍ତି । ଗତ କିଛି ଦିନ ଧରି ଫେସ୍‌ବୁକ୍‌ର ନାମ ପରିବର୍ତ୍ତନ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଏହାକୁ ଗୁପ୍ତ ରଖାଯାଇଥିଲା । ଫେସ୍‌ବୁକ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମିଟିଂରେ ଜୁକରବର୍ଗ ଏହି ସୂଚନା ଦେଇଛନ୍ତି । ଜୁକରବର୍ଗ କହିଛନ୍ତି ଯେ, କମ୍ପାନୀ କେବଳ ଏକ ସୋସିଆଲ ମିଡିଆ କମ୍ପାନୀରୁ ଆଗକୁ ବଢି ମେଟାଭର୍ସ କମ୍ପାନୀ ହେବ । ଏହା ଆମ୍ବାଇଟେଡ୍ ଇଣ୍ଟରନେଟ୍ ଉପରେ କାମ କରିବ । ଯେଉଁଥିରେ ଭର୍ଚ୍ୟୁଆଲ ଦୁନିଆରେ ପରସ୍ପର ସହ ଅଧିକ ଭଲ ଭାବେ ଯୋଡି ହୋଇପାରିବେ ।

କମ୍ପାନୀର ପୂର୍ବତନ ସିଭିକ୍ ଇଣ୍ଟିଗ୍ରିଟି ଚିଫ୍ ସମୀଥ ଚକ୍ରବର୍ତ୍ତୀ କମ୍ପାନୀକୁ ମେଟା ନାଁ ପ୍ରସ୍ତାବ ଦେଇଥିଲେ । ଏହାପୂର୍ବରୁ କମ୍ପାନୀ ୨୦୦୫ରେ କିଛି ଏପ୍ରକାର କରିଥିଲା । ସେତେବେଳେ କମ୍ପାନୀର ନାଁ ଦି ଫେସବୁକ ବଦଳାଇ ଫେସବୁକ କରାଯାଇଥିଲା । ସାରା ବିଶ୍ୱରେ ଫେସବୁକ ୩୦୦ କୋଟିରୁ ଅଧିକ ୟୁଜର ବ୍ୟବହାର କରିଥାନ୍ତି । ଭାରତରେ ଫେସବୁକ ବ୍ୟବହାରକାରୀଙ୍କ ସଂଖ୍ୟା ୪୧ କୋଟି ଅଟେ ।

ଫେସବୁକ ଓ ଅନ୍ୟ ବଡ କମ୍ପାନୀ ପାଇଁ ମେଟାବର୍ସର ପରିକଳ୍ପନା ଉତ୍ସାହଜନକ ଅଟେ । କାରଣ ଏଥିରେ ନୂଆ ବଜାର, ନୂଆ ପ୍ରକାରର ସୋସିଆଲ ନେଟଓ୍ୱର୍କ ପାଇଁ ସୁଯୋଗ ସୃଷ୍ଟି ହେବ । କମ୍ପାନୀ ନିଜର ନାମ ସେହି ସମୟରେ ବଦଳାଇଛି ଯେତେବେଳେ ଅନେକ ଦେଶ ଅନଲାଇନ ସୁରକ୍ଷା, ଉତ୍ତେଜନାପୂର୍ଣ୍ଣ କଣ୍ଟେଣ୍ଟ ଉପରେ ଲଗାତର ଭାବେ ଅଭିଯୋଗ କରୁଛନ୍ତି । ଭାରତ ସରକାର ମଧ୍ୟ ଫେସବୁକକୁ ଚିଠି ଲେଖି ଆଲଗୋରିଦମ ପ୍ରକ୍ରିୟାରେ ବିବରଣୀ ମାଗିଥିଲା ।

ନାମ ପରିବର୍ତ୍ତନ ସହିତ କମ୍ପାନୀରେ ରୋଜଗାରର ସୁଯୋଗ ମଧ୍ୟ ବଢ଼ିବାକୁ ଯାଉଛି। ମେଟାଭର୍ସ ପାଇଁ ହଜାର ହଜାର ଲୋକଙ୍କ ଆବଶ୍ୟକତା ଥିବା କମ୍ପାନୀ ଘୋଷଣା କରିଛି। ବର୍ତ୍ତମାନ କମ୍ପାନୀ ୧୦ ହଜାର ଲୋକଙ୍କୁ ରୋଜଗାର ଯୋଗାଇବାକୁ ପ୍ରସ୍ତୁତ ହେଉଛି।