Odia News Portal

ଝାରସୁଗୁଡ଼ାରେ ନକଲି ଡିଜେଲ ଏକ୍ସଜଷ୍ଟ ଫ୍ଲୁଇଡ୍ ତିଆରି କାରଖାନା ଠାବ, ୭ ଗିରଫ

ଝାରସୁଗୁଡ଼ାରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ନକଲି ଡିଜେଲ ଏକ୍ସଜଷ୍ଟ ଫ୍ଲୁଇଡ୍ (DEF) ତିଆରି କାରଖାନା ଝାରସୁଗୁଡ଼ା ଜିଲ୍ଲାରେ ଠାବ ହୋଇଛି । “ଅପରେସନ୍ ନେତ୍ରା” (Operation Netra) ଅଧୀନରେ ସଦର ଥାନା ଅଞ୍ଚଳର ସିରିଆବଗିଚା ଠାରେ ଚାଲିଥିବା ଏକ ନକଲି କାରଖାନାକୁ ଝାରସୁଗୁଡ଼ା ପୋଲିସ ଠାବ କରିବାରେ ସଫଳ ହୋଇଛି । ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ୭ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । କାରଖାନାରୁ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି ।ଝାରସୁଗୁଡ଼ା ପୋଲିସ ପକ୍ଷରୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏସ୍‌ପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ସିରିଆବଗିଚା ସ୍ଥିତ ଏହି ବେଆଇନ କାରଖାନା ଉପରେ ଚଢ଼ାଉ କରିଥିଲା । ଏହି କାରଖାନାରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସବସିଡି ଯୁକ୍ତ ୟୁରିଆକୁ ପାଣି ସହିତ ମିଶାଇ ନକଲି DEF ପ୍ରସ୍ତୁତ କରାଯାଉଥିଲା । ଏହା ପରେ ଏହାକୁ ଟାଟା, ଅଶୋକ ଲେଲ୍ୟାଣ୍ଡ ଏବଂ ମହିନ୍ଦ୍ରା ଭଳି ନାମୀଦାମୀ ବ୍ରାଣ୍ଡର ଲୋଗୋ ଲଗାଯାଇଥିବା ବାଲ୍ଟିରେ ଭର୍ତ୍ତି କରାଯାଇ ଓଡ଼ିଶା ଏବଂ ପଡ଼ୋଶୀ ଛତିଶଗଡ଼କୁ ଚୋରା ଚାଲାଣ କରାଯାଉଥିଲା ।ଚଢ଼ାଉ ବେଳେ ପୋଲିସ ୨୫୬ ବସ୍ତା ଭାରତ ୟୁରିଆ, ୪୨୨ଟି ବିଭିନ୍ନ ବ୍ରାଣ୍ଡର ଖାଲି ବାଲ୍ଟି, ୧୯ଟି ପାଣି କଣ୍ଟେନର, ୬ଟି ମୋଟର ଏବଂ ନକଲି ହୋଲୋଗ୍ରାମ ଷ୍ଟିକର ଜବତ କରିଛି । ଏଥି ସହିତ ପରିବହନରେ ବ୍ୟବହୃତ ଦୁଇଟି ବୋଲେରୋ ପିକଅପ୍ ଭ୍ୟାନ୍‌କୁ ମଧ୍ୟ ପୋଲିସ ଜବତ କରିଛି ।ଏହି ମାମଲାରେ ରାଜସ୍ଥାନ, ଛତିଶଗଡ଼, ବରଗଡ଼, ଅନୁଗୁଳ ଏବଂ ଝାରସୁଗୁଡ଼ା ଅଞ୍ଚଳର ମୋଟ ୭ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ମୁକେଶ ଚାନ୍ଦ ଯୋଗୀ, ରାଜ କୁମାର ହେମବ୍ରମ୍, ଅମନ କୁମାର ସିଂ, ବ୍ରିଜଭୂଷଣ ସିଂ, ଜିଆଉଲ ଅନସାରୀ, ଆକାଶ ଅଗ୍ରୱାଲ ଏବଂ ପାର୍ଥ ସାରଥୀ ମିଶ୍ର ଆଦି ସାମିଲ ଅଛନ୍ତି । ଝାରସୁଗୁଡ଼ା ପୋଲିସ ପକ୍ଷରୁ ସାଧାରଣ ଜନତା ଏବଂ ଗାଡ଼ି ମାଲିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହିଭଳି ନକଲି ସାମଗ୍ରୀ ବ୍ୟବହାର ଦ୍ୱାରା ଗାଡ଼ିର ଇଞ୍ଜିନ ଖରାପ ହେବା ସହ ପରିବେଶ ପ୍ରଦୂଷଣ ମଧ୍ୟ ବଢ଼ିଥାଏ । ବର୍ତ୍ତମାନ ପୋଲିସ ଏହି ଘଟଣାରେ ଅଧିକ ଛାନଭିନ ଜାରି ରଖିଛି ।