Odia News Portal

ପୁଣି ଟ୍ରେନରେ ମିଳିବ ରନ୍ଧା ଖାଦ୍ୟ

ଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କୁ ଖାଦ୍ୟ ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବନି । କାରଣ ଯାତ୍ରୀଙ୍କୁ ପୁଣି ରନ୍ଧା ଖାଦ୍ୟ ପରଷିବାକୁ ରେଳବାଇ ବୋର୍ଡ ନିର୍ଦ୍ଦେଶ ଜାରି କରିଛି। ଏବେ ଯାତ୍ରୀମାନଙ୍କୁ ଟ୍ରେନରେ ଖାଲି ପେଟରେ ଯାତ୍ରା କରିବାକୁ ପଡିବ ନାହିଁ | କୋଭିଡ-୧୯ କଟକଣା ଯୋଗୁଁ ରେଳବାଇ ଟ୍ରେନରେ ଖାଦ୍ୟ ସୁବିଧା ବନ୍ଦ କରିଦେଇଥିଲା । ଏହାକୁ ପୁଣି ଥରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି |

ଶୁକ୍ରବାର ଦିନ ରେଳବାଇ ବୋର୍ଡ ଏକ ଚିଠି ଜାରି କରି ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି)କୁ ପୁଣି ଥରେ ରନ୍ଧା ଖାଦ୍ୟ ଯୋଗାଇବା ସେବା ଆରମ୍ଭ କରିବାକୁ କହିଛି। ରେଳବାଇ ମଧ୍ୟ ଯାତ୍ରୀମାନଙ୍କୁ ରେଡି-ଟୁ-ଇଟ୍ ବା ପ୍ୟାକେଜଡ୍ ଖାଦ୍ୟ ମଧ୍ୟ ଯୋଗାଇବା ଜାରି ରଖିବ ।

ଚିଠି ଅନୁଯାୟୀ ରେଳବାଇ କହିଛି ଯେ ସାଧାରଣ ଟ୍ରେନ୍ ସେବା ସ୍ବାଭାବିକ ହେବା, ଯାତ୍ରୀଙ୍କ ଆବଶ୍ୟକତା ଏବଂ ଦେଶର ଭୋଜନାଳୟ, ରେଷ୍ଟୁରାଣ୍ଟ, ହୋଟେଲ ଏବଂ ଅନ୍ୟାନ୍ୟ ସ୍ଥାନରେ କୋଭିଡ୍ ଲକଡାଉନ୍ କଟକଣା କୋହଳ ଦୃଷ୍ଟିରୁ ରେଳ ମନ୍ତ୍ରଣାଳୟ ତରଫରୁ ଟ୍ରେନରେ ରନ୍ଧା ଖାଦ୍ୟ ସେବା ପୁଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି | ରେଡି-ଟୁ-ଇଟ୍ ଖାଦ୍ୟ ସେବା ମଧ୍ୟ ଜାରି ରହିବ |

ସୂଚନାଯୋଗ୍ୟଯେ ଟ୍ରେନରେ ସମ୍ପ୍ରତି କେବଳ ଚା, କଫି, ସ୍ନାକ୍ସ ଏବଂ ରେଡି-ଟୁ-ଇଟ୍ ଖାଦ୍ୟ ଉପଲବ୍ଧ ହେଉଛି | ଏଥିମଧ୍ୟରେ ନୁଡୁଲ୍ସ, ରାଜମା ଚାଉଳ ଏବଂ ସୁପ୍ ଇତ୍ୟାଦି ଅନ୍ତର୍ଭୁକ୍ତ | କିନ୍ତୁ ବର୍ତ୍ତମାନ ମାସ ଶେଷ ସୁଦ୍ଧା ଲୋକମାନେ ଟ୍ରେନ୍ କିଚେନ୍ ରେ ରନ୍ଧା ଯାଇଥିବା ଗରମ ଏବଂ ପ୍ରିୟ ଖାଦ୍ୟ ଖାଇ ପାରିବେ |