Odia News Portal

ଝିମିଟି ଖେଳରୁ ମହାଭାରତ: ଭଲିବଲ ଖେଳରୁ ଭୟଙ୍କର ଝଗଡ଼ା, ନାବାଳକକୁ ମରଣାନ୍ତକ ଆକ୍ରମଣ

ଝିମିଟି ଖେଳରୁ ମହାଭାରତ । ଭଲିବଲ ଖେଳିବାକୁ ଯାଇ ଆକ୍ରମଣର ଶିକାର ହେଲେ ଜଣେ ନାବାଳକ । ନାବାଳକକୁ ଧାରୁଆ ଅସ୍ତ୍ରରେ ହାଣିଲା ଆଉ ଜଣେ ନାବାଳକ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଚଣ୍ଡିଆଗଡି ପଞ୍ଚାୟତରେ ଘଟିଛି ଏହି ଘଟଣା । ଗତକାଲି (ଗୁରୁବାର) ଅପରାହ୍ନରେ ଜଣେ ନାବାଳକ ନିକଟସ୍ଥ ପଡ଼ିଆକୁ ଭଲିବଲ ଖେଳିବାକୁ ଯାଇଥିବା ସମୟରେ କୌଣସି କାରଣରୁ ମାଳପାଟଣା ଗାଁର ଆଉ ଜଣେ ନାବାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଜଣେ ଉତକ୍ଷିପ୍ତ ହୋଇ ଏକ ଧାରୁଆ କଟୁରୀ ସାହାଯ୍ୟରେ ଆଉ ଜଣଙ୍କୁ ଆକ୍ରମଣ କରିଥିଲା ।ଆକ୍ରମଣର ଶିକାର ହୋଇଥିବା ନାବାଳକଙ୍କ ବେକରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ପ୍ରଥମେ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ଆଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହିତ ଉକ୍ତ ନାବାଳକ ଏବଂ ତାର ଜଣେ ସମ୍ପର୍କୀୟ ବଡ଼ ବାପା ପ୍ରଶାନ୍ତ ଦାସଙ୍କୁ ଅଟକ କରଥିବା ଜଣାପଡ଼ିଛି ।ଏନେଇ ଆହତ ନାବାଳକଙ୍କ ମାଆ ସରସ୍ଵତୀ ମାଣିକ କହିଛନ୍ତି,” ଗତକାଲି ଅପରାହ୍ନରେ ମୋ ପୁଅ ଭଲିବଲ ଖେଳିବାକୁ ଯାଇଥିବା ବେଳେ ଦୁଇ ଜଣ ତାକୁ ଧାରୁଆ ଆସ୍ତ୍ରରେ ଆକ୍ରମଣ କରିଥିଲେ । ତାର ବେକରେ ଗଭୀର ଆଘାତ ଲାଗିଛି । ଆମେ ଆଳି ଥାନାକୁ ଅଭିଯୋଗ କରିବାକୁ ଆସିଛୁ, ପୁଅ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ଯାଇଛି । ଆମକୁ ନ୍ୟାୟ ଦରକାର । “ସେପଟେ ଏହି ଘଟଣା ସମ୍ପର୍କରେ ଆଳି ପୋଲିସ ଓ ପଟ୍ଟାମୁଣ୍ଡାଇ ଏସଡିପିଓଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଘଟଣାରେ ଉଭୟ ନାବାଳକ ହୋଇଥିବାରୁ କୌଣସି ସୂଚନା ଦେବାକୁ ମନା କରିଛନ୍ତି ।