Odia News Portal

ଡି. ପ୍ରକାଶ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ

କଟକ: ପଞ୍ଚଭୂତରେ ବିଲୀନ ହେଲା ପଦ୍ମଶ୍ରୀ ଡି. ପ୍ରକାଶ ରାଓ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କଟକ କାଳିଆବୋଦା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଝିଅ ଡି ଭାନୁପ୍ରିୟା ରାଓ ମୁଖାଗ୍ନି ଦେଇଛନ୍ତି । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରେ ଶ୍ରୀ ରାଓଙ୍କ ପରଲୋକ ହୋଇଥିଲା। ତେବେ କାଳିଆବୋଦା ଶ୍ମଶାନ ଠାରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କଟକ ଡ଼ିପିସି ପ୍ରତୀକ‌ ସିଂହ, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ତାୟତରାୟ, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌, କଟକ-ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ରାଜ୍ୟସଭା ସାଂସଦ ସୁବାସ ସିଂହ, ବିଜେଡି ନେତା ପ୍ରଫୁଲ୍ଲ ସିଂହ, ବିଜୁ ଜନତା ଛାତ୍ର ନେତା ତଥା ଅଭିନେତାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତି ରହିଥିଲେ।

ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ କଟକ ବକ୍ସିବଜାରରେ ଏକ ଚା’ ଦୋକାନ କରିଥିଲେ। ସେଥିରୁ ଉପାର୍ଜିତ ଅର୍ଥରେ ସେ ବସ୍ତି ପିଲାମାନଙ୍କୁ ପାଠ ପଢ଼ାଉଥିଲେ। ଏଥିସହ ସେ ନିଜ ଉଦ୍ୟମରେ ସ୍କୁଲ ତିଆରି କରି ଗରିବ ପିଲାଙ୍କୁ ପାଠ ପଢ଼ାଉଥିଲେ । ଏହାଛଡ଼ା ସେ ୨୦୦ ଥରରୁ ଅଧିକ ଥର ରକ୍ତଦାନ କରିଛନ୍ତି। ସେଥିପାଇଁ ଶ୍ରୀ ରାଓଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହାସହ ‘ମନକି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଡି. ପ୍ରକାଶ ରାଓଙ୍କ କାର୍ଯ୍ୟ ନିମନ୍ତେ ପ୍ରଶଂସା ମଧ୍ୟ କରିଥିଲେ।