Odia News Portal

ଅଦିନରେ ରଥଯାତ୍ରା ପ୍ରସଙ୍ଗରେ ଶୁଣାଇଲେ ଗଜପତି: ବ୍ୟବସ୍ଥା ବଦଳିପାରେ, ତିଥି ନୁହେଁ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖନିସୃତ ନିର୍ଦ୍ଦେଶ, ପବିତ୍ର ଶାସ୍ତ୍ର ତଥା ମହର୍ଷି ବେଦବ୍ୟାସଙ୍କ ରଚିତ ପୁରାଣ, ଅନନ୍ତ କାଳରୁ ପ୍ରତିଷ୍ଠିତ ପରମ୍ପରା ଅନୁପାଳନ ପୂର୍ବକ ମୂଳପୀଠ ଶ୍ରୀମନ୍ଦିରରେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନଯାତ୍ରା ଓ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ତଥାପି ବାରମ୍ବାର ଇସ୍କନ୍ କିଛି ଦଶନ୍ଧି ଧରି ଅତିଥିରେ ରଥଯାତ୍ରା ଆୟୋଜନ କରି ଶ୍ରୀଜଗନ୍ନାଥ ସଂସ୍କୃତି ଓ ଶାସ୍ତ୍ରାନୁମତକୁ ଅବଜ୍ଞା କରି ଚାଲିଛି। ଏଣୁ ଶାସ୍ତ୍ରାନୁମୋଦିତ ତଥ୍ୟ ଓ ପ୍ରମାଣ ଆଧାରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ୧୦୦ ପୃଷ୍ଠାର ଦସ୍ତାବିଜ ଇସ୍କନ୍‌ର ପଶ୍ଚିମବଙ୍ଗ ମାୟାପୁରସ୍ଥିତ ଅନ୍ତର୍ଜାତୀୟ ଗଭର୍ଣ୍ଣିଂ ବଡ଼ି କମିସନଙ୍କ ପାଖକୁ ପଠାଇଛନ୍ତି। ଗଜପତି ମହାରାଜା କହିଛନ୍ତି, ବରିଷ୍ଠ ଗବେଷକ, ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନକ୍ରମେ ଆମେ ଏହି ୧୦୦ ପୃଷ୍ଠାର ଦସ୍ତାବିଜ ଆଜି ଇସ୍କନ୍‌କୁ ପ୍ରଦାନ କରିଛୁ। ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନର ତିଥି ଉପରେ ଏହା ଆମର ଚୂଡ଼ାନ୍ତ ଦସ୍ତାବିଜ। ଏହି ଦସ୍ତାବିଜ ତର୍ଜମା ପାଇଁ ଆମେ ଇସ୍କନ୍‌କୁ ମାସେ ସମୟ ଦେଇଛୁ। ଯଥାସମ୍ଭବ ଆପୋସ ଆଲୋଚନାରେ ଏହି ବିବାଦର ସମାଧାନ କରିବାକୁ ଚାହୁଁଛୁ। ତଥାପି ଇସ୍କନ୍ କର୍ତ୍ତୃପକ୍ଷ ନ ଶୁଣିଲେ, ଆମେ ଆଇନଗତ ପଦକ୍ଷେପ ଗ୍ରହଣ କରିବୁ ଓ ଏହା ଆମର ଶେଷ ନିଷ୍ପତ୍ତି ହେବ। ରଥଯାତ୍ରା ଓ ସ୍ନାନଯାତ୍ରାର ବ୍ୟବସ୍ଥା, ପୂଜାପଦ୍ଧତି ସ୍ଥାନ ଅନୁସାରେ ବଦଳିପାରେ, କିନ୍ତୁ ତିଥି ନୁହେଁ ବୋଲି ଗଜପତି କହିଛନ୍ତି। ରାଜ୍ୟ ଅତିଥି ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଜପତି ମହାରାଜା କହିଛନ୍ତି, ଆମେ ଇଣ୍ଟରନେଟ୍, ଇସ୍କନ୍‌ର ୱେବ୍‌ସାଇଟ୍ ଓ ଅନ୍ୟ ତଥ୍ୟର ଖୋଳତାଡ଼ ପରେ ଜାଣିବାକୁ ପାଇଛୁ କି କେବଳ ଚଳିତବର୍ଷ ଇସ୍କନ୍ ଶାସ୍ତ୍ର ଓ ପରମ୍ପରା ଉଲ୍ଲଂଘନ କରି ଅଦିନରେ ୬୮ ଥର ରଥଯାତ୍ରା ଓ ୪୦ ଥର ସ୍ନାନଯାତ୍ରା ଆୟୋଜନ କରିଛି। ଆମର ଧାରଣା ଥିଲା, ଇସ୍କନ୍ କେବଳ ଅଦିନରେ ରଥଯାତ୍ରା ଆୟୋଜନ କରୁଛି। କିନ୍ତୁ ଇସ୍କନ୍ ସ୍ନାନଯାତ୍ରା ବି ଅଦିନରେ ଆୟୋଜନ କରୁଛି। ଇସ୍କନ୍‌ର ସୋସିଆଲ୍ ସାଇଟ୍, ଇଣ୍ଟରନେଟ୍ ଆଦିରୁ ଏକଥା ଜଣାପଡ଼ିଛି। ଏଣୁ ଏଭଳି ଅଦିନ ରଥଯାତ୍ରା ଆୟୋଜନକୁ ଆମେ ଆଦୌ ସହ୍ୟ କରିବୁନି। ଇସ୍କନ୍ ୧୯୬୭ ମସିହାରୁ ଶ୍ରୀଜଗନ୍ନାଥ ସଂସ୍କୃତିକୁ ଅନୁକରଣ ଓ ରଥଯାତ୍ରା ଆୟୋଜନ କରିବାର ପ୍ରମାଣ ରହିଛି। ଆରମ୍ଭରୁ ଧାର୍ଯ୍ୟ ତିଥିରେ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ହୋଇ ଆସୁଥିଲା। କିନ୍ତୁ ୧୯୯୦ ମସିହା ପରେ ଅତିଥିରେ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ଆରମ୍ଭ ହୋଇଥିଲା।ପ୍ରଫେସର ହରେକୃଷ୍ଣ ଶତପଥୀ କହିଛନ୍ତି, ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଦସ୍ତାବିଜରେ ରବିବାର ଭଳି ଛୁଟି ଦିନରେ ରଥଯାତ୍ରା ଆୟୋଜନ କରାଯାଉଥିବା ନେଇ ଇସ୍କନ୍ ଯୁକ୍ତି ବାଢ଼ିଥିଲା। ଯାତ୍ରାକୁ ବିଶ୍ବବ୍ୟାପୀ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଆମେରିକାରେ ରଥଯାତ୍ରା ଆୟୋଜନ ହେଉଥିବା ସେମାନେ ଦର୍ଶାଇଥିଲେ। ଥଣ୍ଡା ଓ ଅନ୍ୟ କାରଣ ବି ଦର୍ଶାଇଥିଲେ। ଅଦିନ ରଥଯାତ୍ରା ନେଇ ଏଭଳି ୨୭ଟି କାରଣ ଦର୍ଶାଇଥିଲେ। ଏସବୁ ଅମୂଳକ ବୋଲି ପ୍ରଫେସର ଶତପଥୀ କହିଛନ୍ତି। ଇସ୍କନ୍ ଶ୍ରୀମନ୍ଦିରର ଗରିମା କ୍ଷୁଣ୍ଣ ପାଇଁ ଯେଉଁ ଷଡ୍‌ଯନ୍ତ୍ର କରୁଛି, ତାକୁ ଆମେ କେବେ ବି କରାଇଦେବୁନି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଗବେଷକ ଡ. ନରେଶ ଚନ୍ଦ୍ର ଦାଶ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ପୂର୍ବତନ ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ।