Odia News Portal

ହିଜାବ ବିବାଦର ତତ୍କାଳ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ହିଜାବ ବିବାଦକୁ ନେଇ ବଢିବାରେ ଲାଗିଛି ସମସ୍ୟା । କର୍ଣ୍ଣାଟକର ସ୍କୁଲ ଓ କଲେଜରେ ହିଜାବ ପିନ୍ଧିବାକୁ ରୋକ ଲାଗିବା ବିରୋଧରେ ଦାୟର ମାମଲାର ଏବେ ଶୁଣାଣି କରିବା ପାଇଁ ମନାକରି ଦେଇଛନ୍ତି ସୁପ୍ରିମକୋଟ । କୋର୍ଟ କହିଛନ୍ତି, ‘ଆମେ ଠିକ ସମୟରେ ଏହାର ଶୁଣାଣି କରିବୁ, ଅପେକ୍ଷା କରନ୍ତୁ, ମାମଲାକୁ ଆଗକୁ ବଢାନ୍ତୁ ନାହିଁ ଏବଂ ରାଷ୍ଟ୍ରୀୟ ସ୍ତରକୁ ନିଅନ୍ତୁ ନାହିଁ କିମ୍ବା ଜାତୀୟ ପ୍ରସଙ୍ଗ କରନ୍ତୁ ନାହିଁ’। ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ଖଣ୍ଡପୀଠ ଏ ନେଇ ରାୟ ପ୍ରକାଶ କରିଛନ୍ତି । ଏହାସହ ଆବେଦକାରୀଙ୍କୁ କୋର୍ଟ ଉପଦେଶ ଦେଇ କହିଛନ୍ତି, ଏହି ମାମଲାକୁ ଅଧିକ ବଢ଼ାନ୍ତୁ ନାହିଁ । ହାଇକୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ ଯାଚିକାକର୍ତ୍ତାକୁ ସଫାସଫା କହିଛନ୍ତି କୋର୍ଟ । ଆସନ୍ତା ସୋମବାର ଏହି ମାମଲାରେ ହାଇକୋର୍ଟରେ ଶୁଣାଣି ହେବ ।
ଅଦାଲତ କହିଛନ୍ତି, ଠିକ ସମୟରେ ସେ ଏହି ମାମଲାରେ ଶୁଣାଣି କରିବେ। ସର୍ବୋଚ୍ଚ ନ୍ୟାୟାଳୟ ଏହାର ଶୁଣାଣି କରି କହିଛନ୍ତି, କର୍ଣ୍ଣାଟକରେ କଣ ହେଉଛି ଆମେ ଦେଖୁଛୁ ଓ ଏହି ମାମଲା ହାଇକୋର୍ଟରେ ବିଚାରାଧିନ ରହିଛି। ଉଚିତ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ ହସ୍ତକ୍ଷେପ କରାଯିବ। ସୂଚନାଥାଉକି, ଗୁରୁବାର କର୍ଣ୍ଣାଟକ ହାଇକୋର୍ଟ ଅନ୍ତରୀଣ ଆଦେଶ ଦେଇ ସ୍କୁଲ ଓ କଲେଜରେ ହିଜାବ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହା ସହ କୋର୍ଟ ସୋମବାର ଏହି ମାମଲାର ଶୁଣାଣି କରିବେ ବୋଲି କହିଛନ୍ତି।
ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶକୁ ଚାଲେଞ୍ଜ କରି କଂଗ୍ରେସ ନେତା ବିଭି ଶ୍ରୀନିବାସ ସର୍ବୋଚ୍ଚ ନ୍ୟାୟାଳୟରେ ଯାଚିକା ଦାଖଲ କରିଥିଲେ । ଯାଚିକାରେ ସେ ହାଇକୋର୍ଟଙ୍କ ଅନ୍ତରୀଣ ଆଦେଶ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରୋକ୍ ଲଗାଇବା ପାଇଁ ଦାବି କରିଥିଲେ। କର୍ଣ୍ଣାଟକରେ ହିଜାବକୁ ନେଇ ଉଠିଥିବା ବିବାଦ ଏବେ ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଦେଖିବାକୁ ମିଳିଲାଣି । ମହାରାଷ୍ଟ୍ର, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ସହିତ ଅନେକ ରାଜ୍ୟରେ ହିଜାବ ସମର୍ଥନରେ ପ୍ରଦର୍ଶନ କରାଯାଉଛି।