କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ଅନକାଡେଲି ସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ରରେ ଆଜି ଦିନ ପ୍ରାୟ ୧୨ ଘଟିକା ସମୟରେ ଏକ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ।ପ୍ରାଥମିକ ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ ପାଇଁ ବ୍ୟବହୃତ ୨.୫ ଏମଭିଏ, ୧୧/୦.୪ କେଭି ଟ୍ରାନ୍ସଫର୍ମର ସହ ସଂଯୁକ୍ତ CT ଫାଟିଯିବାରୁ ଅଗ୍ନିକାଣ୍ଡ ଘଟିଥିଲା । ଉକ୍ତ ଟ୍ରାନ୍ସଫର୍ମରଟି ବିଦ୍ୟୁତ କେନ୍ଦ୍ର ବାହାରେ ଅବସ୍ଥିତ ଥିଲା । ପରେ ଏଥିରେ ସଂଯୁକ୍ତ କେବୁଲରେ ନିଆଁ ଲାଗିବା ସହ କେବୁଲ ଗ୍ୟାଲେରୀ ମାଧ୍ୟମରେ ଅଗ୍ନିଶିଖା ବିଦ୍ୟୁତ କେନ୍ଦ୍ର ଭିତରକୁ ବ୍ୟାପିଥିଲା । ଯାହା ଫଳରେ କେତେକ ବିଦ୍ୟୁତ ଓ ଅନ୍ୟାନ୍ୟ ଯନ୍ତ୍ରପାତି କ୍ଷତିଗ୍ରସ୍ତ ହୋଇଛି ।ଅଗ୍ନିକାଣ୍ଡ ସମୟରେ ସମସ୍ତ ୬ଟି ୟୁନିଟ୍ କାର୍ଯ୍ୟରତ ଥିଲା । ତେବେ ସମସ୍ତ ୟୁନିଟକୁ ତୁରନ୍ତ ସୁରକ୍ଷିତ ଭାବେ ବନ୍ଦ କରାଯାଇଥିଲା । କେନ୍ଦ୍ର ଭିତରେ ଥିବା ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି । ବିଦ୍ୟୁତ କେନ୍ଦ୍ରର କର୍ମଚାରୀ ଏବଂ ଲମତାପୁଟ ଅଗ୍ନିଶମ ବାହିନୀର ତତ୍ପରତା ଫଳରେ ନିଆଁକୁ ନିୟନ୍ତ୍ରଣକୁ ଆଣାଯାଇଥିଲା । ଅପରାହ୍ନ ପ୍ରାୟ ୪ ଘଟିକା ସମୟରେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରାଯାଇଥିଲା ।କ୍ଷତିଗ୍ରସ୍ତ ଯନ୍ତ୍ରପାତି ଓ କ୍ଷୟକ୍ଷତିର ସବିଶେଷ ଆକଳନ ଆନ୍ଧ୍ର ପ୍ରଦେଶ ପାୱାର ଜେନେରେସନ କର୍ପୋରେସନ (ଏପିଜେନକୋ) ଦ୍ୱାରା କରାଯିବ । ପରବର୍ତ୍ତୀ ସମୟରେ ଆବଶ୍ୟକ ମରାମତି କାର୍ଯ୍ୟ ମଧ୍ୟ କରାଯିବ । ପ୍ରାଥମିକ ଆକଳନ ଅନୁଯାୟୀ, ବିଦ୍ୟୁତ ଉତ୍ପାଦନ ପୁନଃ ଆରମ୍ଭ ହେବାକୁ ୬ ମାସରୁ ଅଧିକ ସମୟ ଲାଗିପାରେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ଦିନରେ ପାୱାର ଷ୍ଟେସନ କିଭଳି ସୁରକ୍ଷିତ ରହିପାରିବ, ସେନେଇ ଖୁବ୍ ଶୀଘ୍ର ନିଆଯିବ ନିଷ୍ପତି ।ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ରର ସ୍ଥାପିତ କ୍ଷମତା ୧୨୦ ମେଗାୱାଟ ଓ ଏଥିରେ ୬ଟି ଉତ୍ପାଦନ ୟୁନିଟ ରହିଛି । ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସରକାରଙ୍କ ମଧ୍ୟରେ ୧୯୪୫ ମସିହାରେ ସ୍ୱାକ୍ଷରିତ ଚୁକ୍ତି ଏବଂ ପରବର୍ତ୍ତୀ ସମୟରେ ୧୯୭୮ ଓ ୨୦୨୦ ମସିହାରେ ହୋଇଥିବା ସଂଶୋଧନ ଅନୁଯାୟୀ, ବିଦ୍ୟୁତ ବଣ୍ଟନ ଓ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବ୍ୟୟ ଉଭୟ ରାଜ୍ୟ ଦ୍ୱାରା ୫୦:୫୦ ଅନୁପାତରେ ବହନ କରାଯାଏ । ବିଦ୍ୟୁତ କେନ୍ଦ୍ରର ପରିଚାଳନା ଓ ପ୍ରଶାସନିକ ନିୟନ୍ତ୍ରଣ ଆନ୍ଧ୍ର ପ୍ରଦେଶ ସରକାର ଏବଂ ଆନ୍ଧ୍ର ପ୍ରଦେଶ ପାୱାର ଜେନେରେସନ କର୍ପୋରେସନ (ଏପିଜେନକୋ) ଅଧୀନରେ ରହିଛି ।
