Odia News Portal

ଆସୁଛି ସାମୁଦ୍ରିକ ବାତ୍ୟା ‘କ୍ରିଷ୍ଟିନା’, ବଢ଼ୁଛି ଭୟ !

ଉପକୂଳ ଅଞ୍ଚଳରେ ବଢ଼ୁଛି ଚିନ୍ତା। ସମୁଦ୍ରରେ ଶକ୍ତି ସଂଚୟ କରୁଛି ସାମୁଦ୍ରିକ ବାତ୍ୟା ‘କ୍ରିଷ୍ଟିନା’। ପ୍ରବଳ ପବନ ଓ ଅତିବର୍ଷାର ଆଶଙ୍କା ଥିବାରୁ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କ ରହିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି।ପାଣିପାଗ ବିଭାଗର ସୂଚନା ଅନୁସାରେ, ପୂର୍ବ ପ୍ରଶାନ୍ତ ମହାସାଗରର ନିକାରାଗୁଆ ଉପକୂଳ ନିକଟରେ ବାତ୍ୟା ‘କ୍ରିଷ୍ଟିନା’ ସୃଷ୍ଟି ହୋଇଛି। ମିଆମି ସ୍ଥିତ ନ୍ୟାଶନାଲ୍ ହରିକେନ୍ ସେଣ୍ଟର୍ କହିଛି ଯେ, ବାତ୍ୟାଟି ବର୍ତ୍ତମାନ ସମୁଦ୍ରରେ ଶକ୍ତି ସଂଗ୍ରହ କରି ମଧ୍ୟ ଆମେରିକା ଉପକୂଳ ଆଡ଼କୁ ଗତି କରୁଛି।

ବର୍ତ୍ତମାନ ବାତ୍ୟା ସହ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୭୫ କିଲୋମିଟର ରହିଛି। ଏହା ଧୀରେ ଧୀରେ ଏଲ୍ ସାଲଭାଡରଗୁଏତମାଲା ଉପକୂଳ ଦିଗକୁ ଅଗ୍ରସର ହେଉଛି। ଶୁକ୍ରବାର ସୁଦ୍ଧା ଏହା ଉପକୂଳ ଛୁଇଁପାରେ ବୋଲି ଆକଳନ କରାଯାଉଛି। ବାତ୍ୟା ପ୍ରଭାବରେ ନିକାରାଗୁଆ, ହଣ୍ଡୁରାସ୍, ଏଲ୍ ସାଲଭାଡର ଏବଂ ଗୁଏତମାଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ଅଞ୍ଚଳରେ ୧୦୦ରୁ ୪୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏପରିକି କିଛି ସ୍ଥାନରେ ବର୍ଷାର ପରିମାଣ ୫୦୦ ମିଲିମିଟରରୁ ଅଧିକ ହେବାର ଆଶଙ୍କା ରହିଛି।

ଅତିବର୍ଷା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ସ୍ଥିତି ସୃଷ୍ଟି ହୋଇପାରେ। ସେହିପରି ପ୍ରବଳ ପବନ କାରଣରୁ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବା ସହ ଘରବାଡ଼ି ଓ ଗଛପଲାର କ୍ଷତି ହେବାର ସମ୍ଭାବନା ରହିଛି। ତେଣୁ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ‘ବୋରିସ’ ନାମକ ବାତ୍ୟା ମେକ୍ସିକୋ ଉପକୂଳରେ ଲ୍ୟାଣ୍ଡଫଲ୍ କରିଥିଲା। ଏହା ପରେ ଅଳ୍ପ ସମୟ ବ୍ୟବଧାନରେ ସୃଷ୍ଟି ହୋଇଥିବା ଦ୍ୱିତୀୟ ସାମୁଦ୍ରିକ ବାତ୍ୟା ହେଉଛି ‘କ୍ରିଷ୍ଟିନା’