Odia News Portal

IIT କ୍ୟାମ୍ପସରେ ଅଘଟଣ, ବାଲକୋନୀରୁ ପଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ

ଆଇଆଇଟି ଭୁବନେଶ୍ୱରରେ ଅଘଟଣ । କ୍ୟାମ୍ପସ ଭିତରେ ପୁଣି ଜଣେ ପିଏଚ୍‌ଡି ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ବର୍ତ୍ତମାନ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।ଖବର ଅନୁଯାୟୀ, ଶନିବାର ସଂଧ୍ୟାରେ ଆଇଆଇଟି କ୍ୟାମ୍ପସରୁ ଆସିଥିଲା ଏକ ଦୁଃଖଦ ଖବର । ଇଲେକ୍ଟ୍ରିକାଲ୍‌ ଇଞ୍ଜିନିୟରି ବିଭାଗରେ ପିଏଚ୍‌ଡି ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଛାତ୍ର ଜଣଙ୍କ ତାନିକୋଣ୍ଡା ନିଶାନ୍ତ କୁମାର ବ୍ରହ୍ମପୁର ହଲ୍‌ର ଏ ବ୍ଲକରେ ରହିଥିଲେ । ସେଠାରୁ ୬ତମ ମହଲା ବାଲକୋନୀରୁ ଅସାବଧନତାରୁ ତଳକୁ ଖସିଯାଇଥିଲେ । ଏହାପରେ ତୁରନ୍ତ ସେଠାରେ କାର୍ଯ୍ୟରତ ସୁରକ୍ଷାକର୍ମୀମାନେ ତାଙ୍କୁ ଉଦ୍ଧାର କରି କ୍ୟାମ୍ପସରେ ଥିବା ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଅବସ୍ଥାର ଗୁରୁତର ଥିବାରୁ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ହେଉଛି କି, ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।  ସେହିପରି ଘଟଣା ସଂପର୍କରେ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ପୋଲିସକୁ ଅବଗତ କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କେଉଁଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଲା । ସେସଂପର୍କରେ ଖୋଳତାଡ କରୁଛି ପୋଲିସ ।