Odia News Portal

ଏସିଆ କପ୍ ହକି: ଜାପାନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଏସିଆ କପ୍ ହକିରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ସହ ନିଜ ଅଭିଯାନ ଶେଷ କରିଛି। ବୁଧବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମ୍ୟାଚରେ ଭାରତ ୧-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା। ଭାରତ ପକ୍ଷରୁ ରାଜକୁମାର ପାଲ ଏକମାତ୍ର ଗୋଲ୍ ଦେଇଥିଲେ । ଭାରତୀୟ ପୁରୁଷ ହକି ଦଳ ଏସିଆ କପ୍‌ର ଫାଇନାଲରୁ ବଞ୍ଚିତ ହୋଇଥିଲା। ସୁପର-୪ର ଦକ୍ଷିଣ କୋରିଆ ବିପକ୍ଷ ଶେଷ ମ୍ୟାଚକୁ ୪-୪ରେ ଡ୍ର’ ରଖିଥିଲା ଭାରତ | ଭାରତ ତୁଳନାରେ ଉନ୍ନତ ଗୋଲ୍ ଆଭରେଜ୍ ଯୋଗୁଁ କୋରିଆ ଏବଂ ମାଲେସିଆ ଫାଇନାଲରେ ପ୍ରବେଶ କରିଥିଲେ |

ଏହାପୂର୍ବରୁ ସୁପର-୪ ର ପ୍ରଥମ ମ୍ୟାଚରେ ଭାରତ ଜାପାନକୁ ୨-୧ରେ ପରାସ୍ତ କରିଥିଲା। ମାଲେସିଆ ସହିତ ମ୍ୟାଚ୍ ୩-୩ ଡ୍ର ରହିଥିଲା ​​| ଭାରତୀୟ ଦଳ ଟୁର୍ନାମେଣ୍ଟର ଡିଫେଣ୍ଡିଂ ଚାମ୍ପିଅନ୍ ହୋଇଥିଲେ ମଧ୍ୟ ଏଥର ଟାଇଟଲ୍ ବଜାୟ ରଖିପାରି ନାହିଁ।