Odia News Portal

ଦୁଇ ଶିଶୁଙ୍କୁ ଅନାଥ କରିଦେଲା କରୋନା

ଯାଜପୁର: ଦୁନିଆ କଣ ଜାଣିବା ଆଗରୁ କରୋନା କରିଦେଲା ଅନାଥ । ବାପା ମା ଛେଉଣ୍ଡ ହୋଇଗଲେ ଦୁଇ କୁନି କୁନି ପିଲା । ଜଣେ କୋଳ ଛାଡିନି ଆଉ ଜଣେ ଭଲରେ ଚାଲିବା ଶିଖିନି । ଏମିତିକା ବୟସରେ ବାପା, ମା ଡକାଡକି ହୋଇ ଆରପାରିକୁ ଚାଲିଗଲେ ହେଲେ ଦୁଖ ଦରିଆରେ ଏକା ହୋଇଗଲେ ଏହି ଦୁଇ ଶିଶୁ । ଯାଜପୁର ବ୍ୟାସନଗର ପୌରାଂଚଳ ଭଟିଆ ଗାଁର ଏ ଦୁଃଖ କାହାଣୀ ଦେଖିଲେ ଆଖିରେ ଲୁହ ରହିବନି । ଏମାନଙ୍କ ବାପା ସନାତନ ମଲିକ କୋଭିଡ ଆକ୍ରାନ୍ତ ହୋଇ ଅମ୍ଳଜାନ ସ୍ତର କମିଯିବାରୁ ଆଖି ବୁଜିଲେ । କର୍କଟ ରୋଗରେ ପିଡୀତା ମା ଯେତେବେଳେ ସନାତନଙ୍କ ମୃତ୍ୟୁ ଖବର ଶୁଣିଲେ ଭାଙ୍ଗିପଡିଲେ, ଯେ କିଛିଦିନ ଭିତରେ ସେ ବି ଆରପାରିକୁ ଚାଲିଗଲେ ।

ଏବେ ଏମାନେ ମାମୁଁଘରେ ରହିଥିବା ବେଳେ ବାପା-ମା ଛେଉଣ୍ଡ ହୋଇ ଏକଦମ ଭାଙ୍ଗି ପଡିଛନ୍ତି । ଶିଶୁ ସୁରକ୍ଷା ୟୁନିଟ ଆସି ଏମାନଙ୍କ ହାଲଚାଲ ବୁଝିଛି । ସରକାରୀ ହେପାଜତରେ ରହି ସେମାନଙ୍କୁ ବଡମଣିଷ କରାଯାଇପାରିବ ବୋଲି ପ୍ରଶାସନିକ ଅଧିକାରୀ ଆସି ଘରେ ବୁଝାଇଛନ୍ତି । ତେବେ ଦାରିଦ୍ର‌୍ୟର ତାଡନାରେ ପ୍ରତିଦିନ ଯୁଝି ହେଉଥିବା ମାମୁଁଘର ବି ଅଭାବ ଅନଟନରେ ଚଳୁଛନ୍ତି । ତେଣୁ ବାପ ମା ଛେଉଣ୍ଡ ଏହି ଦୁଇ ଶିଶୁଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ପାଇଁ ନିବେଦନ କରିଛନ୍ତି ଅଂଚଳବାସୀ ।