Odia News Portal

ପ୍ରେମିକାକୁ ଦେଖା କରିବାକୁ ଯାଇଥିଲେ, ବୋହେ ଛେଚିଲେ ଗାଁ ଲୋକେ

ଯାଜପୁର: ପ୍ରେମିକାକୁ ଦେଖା କରିବା ପଡ଼ିଲା ମହଙ୍ଗା । ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଗଲେ ପ୍ରେମିକ ଓ ତାଙ୍କ ସାଙ୍ଗ । ଗାଁଲୋକେ ବୋହେ ଛେଚିବା ପରେ ପୋଲିସ ଜିମା ଦେଇଛନ୍ତି । ଯାଜପୁର ଜିଲ୍ଲା ଦଶରତପୁର ବ୍ଲକ ମାନସିଂହପାଟଣା ଗାଁରୁ ଆସିଛି ଏଭଳି ଖବର । ପୋଲିସ ଉଭୟ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ବିିଞ୍ଝାରପୁର ଥାନା ସହୀଦପୁର ଗାଁର ଜଣେ ଯୁବକ ସେହି ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ତେବେ କୌଣସି କାରଣରୁ ସେମାନଙ୍କ ପ୍ରେମରେ ବିଚ୍ଛେଦ ହୋଇଯାଇଥିଲା । ହେଲେ ହତାସିଆ ପ୍ରେମିକ ମନରେ ରହିଥିଲେ ପ୍ରେମିକା । ଯୁବତୀ ଜଣଙ୍କ ମଙ୍ଗଳବାର ମାନସିଂହପାଟଣା ଗାଁକୁ ଯାଇଥିଲେ । କୌଣସି ସୂତ୍ରକରୁ ଖବର ପାଇବା ପରେ ପ୍ରେମିକ ଜଣକ ତାଙ୍କର ଜଣେ ସାଙ୍ଗ ସହ ସେଠାକୁ ଦେଖା କରିବାକୁ ଯାଇଥିଲେ । ତେବେ ଗାଁରେ ଚକ୍କର କାଟୁଥିବା ଯୁବକଙ୍କୁ ଦେଖି ରାଗି ଯାଇଥିଲେ ଗାଁ ଲୋକେ ।

ସେପଟେ ପ୍ରେମିକା ସହ କଥା କଟାକଟି ହେବାରୁ ଉଭୟଙ୍କ ମଧ୍ୟରେ ଗାଁ ଦାଣ୍ଡରେ ଝଗଡ଼ା ହୋଇଥିଲା । ଶେଷରେ ଗାଁ ଲୋକେ ପ୍ରେମିକ ଓ ତାଙ୍କ ସାଙ୍ଗକୁ ଧରି ଉତ୍ତମ ମଧ୍ୟମ ଦେଇଥିଲେ । ପରେ ଉଭୟଙ୍କୁ ଧରି ପୋଲିସ ଜିମା ଦେଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।