Odia News Portal

ରସାବଳୀ ଓ ରେଳଗାଡିକୁ ନେଇ କେନ୍ଦ୍ରାପଡା ରାଜନୀତି ସରଗରମ, ଚର୍ଚ୍ଚାରେ ଚାରି ସାଂସଦ

ଭୁବନେଶ୍ୱର : କେନ୍ଦ୍ରାପଡା ରାଜନୀତିରେ ଏବେ ପ୍ରମୁଖ ପ୍ରସଙ୍ଗ ପାଲଟିଛି ରସାବଳି ଓ ରେଳ ଯାତ୍ରା । ଦୁଇଟି ଭିନ୍ନ ପ୍ରସଙ୍ଗ ହୋଇଥିଲେ ମଧ୍ୟ ରାଜ୍ୟର ଚାରି ଚାରି ଜଣ ସାଂସଦ ଏହାକୁ ଉଠାଇ ଥିବାରୁ ଆଗାମୀ ଦିନରେ ଏହା ଜିଲ୍ଲା ରାଜନୀତିକୁ ପ୍ରଭାବିତ କରିବ ବୋଲି ଆଲୋଚନା ହେଉଛି ।

ନିକଟରେ ରାଜ୍ୟର ତିନି ସାଂସଦ ସୁବାସ ସିଂହ, ମୁନ୍ନା ଖାଁ ଏବଂ ମମତା ମହନ୍ତ କେନ୍ଦ୍ରାପଡାର ପ୍ରସିଦ୍ଧ ରସାବଳୀକୁ ଜିଆଇ ମାନ୍ୟତା ଦେବାପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି । କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଭେଟି ଏମାନେ ଦୃଢ ଯୁକ୍ତି ଉପସ୍ଥାପନ କରିଛନ୍ତି । ତେବେ ଏହି ସଂସଦୀୟ ଦଳରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଦେଖିବାକୁ ନମିଳିବା ଚର୍ଚ୍ଚାର ବିଷୟ ପାଲଟିଛି । ରସାବଳୀକୁ ଜିଆଇ ମାନ୍ୟତା ପାଇଁ ଅଣ୍ଟା ଭିଡିଥିବା ତିନି ସାଂସଦଙ୍କ ମଧ୍ୟରୁ ରାଜ୍ୟସଭା ସାଂସଦ ସୁବାସ ସିଂହଙ୍କ ଘର କେନ୍ଦ୍ରାପଡା ଜିଲ୍ଲାରେ ହୋଇଥିବାବେଳେ ଅନ୍ୟ ଦୁଇଜଣ କେନ୍ଦ୍ରାପଡା ବାହାରର । ସାଂସଦ ମୁନ୍ନା ଖାଁ ପଶ୍ଚିମଓଡିଶାର ହୋଇଥିବାବେଳେ ମମତା ମହନ୍ତ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲାର । ରାଜ୍ୟର ଦାବି ଉଠାଇବାରେ କୌଣସି ସମସ୍ୟା ନଥିବାବେଳେ ରାଜନୈତିକ ଦୃଷ୍ଟିକୋଣରୁ କିନ୍ତୁ ଏହାକୁ ନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି ।

ତେବେ ରସାବଳୀ ପ୍ରସଙ୍ଗ ଉଠିବା ପରେ ପରେ କେନ୍ଦ୍ରାପଡା ସାଂସଦ ଏବେ ରେଳଗାଡି ପ୍ରସଙ୍ଗ ଉଠାଇଛନ୍ତି । କେନ୍ଦ୍ରାପଡା ଦେଇ ପାରାଦୀପକୁ ଯାଇଥିବା ରେଳ ଲାଇନରେ ତୁରନ୍ତ ଯାତ୍ରୀବାହୀ ରେଳ ଚଳାଇବାକୁ ଅନୁଭବ ଅଣ୍ଟା ଭିଡିବାପରେ ଏହା ବି ଧିରେ ଧିରେ ରାଜନୈତିକ ରଙ୍ଗ ନେବାରେ ଲାଗିଛି । କାରଣ ଅତୀତରେ ଏହି ରେଳପଥ ଉଦଘାଟନ ଅବସରରେ ଯାତ୍ରୀବାହୀ ରେଳ ଚଳାଇବାକୁ ଦାବି ଉଠିବାରୁ ମହାଭାରତ ସୃଷ୍ଟି ହୋଇଥିଲା । ରେଳକୁ ଆଳ କରି ଉଭୟ ବିଜେପି ଓ ବିଜେଡି ଏଥିରୁ ଫାଇଦା ଉଠାଇବାପାଇଁ ଲାଗି ପଡିଥିଲେ । ତେବେ ଦୀର୍ଘଦିନ ପରେ ବି ଯାତ୍ରୀବାହୀ ରେଳ ନଚାଲିବା ଓ ଅନୁଭବ ଏହି ପ୍ରସଙ୍ଗ ଉଠାଇବାକୁ କେନ୍ଦ୍ରାପଡାବାସୀଙ୍କ ସମର୍ଥନ ଥିବା ଲକ୍ଷ୍ୟ କରାଯାଉଛି ।

ତେବେ ସବୁଠାରୁ ବଡ କଥା ହେଲା ଜିଲ୍ଲାର ମାନ ସମ୍ମାନ ସହିତ ଜଡିତ ଦୁଇ ଦୁଇ ପ୍ରସଙ୍ଗ ଏବେ ରାଜନୀତିର ପଶାପାଲିରେ ଥିବାବେଳେ ଜିଲ୍ଲାର ଅନ୍ୟ ଲୋକ ପ୍ରତିନିଧିମାନେ କିନ୍ତୁ ଏ ନେଇ ଆଗକୁ ଆସୁନାହାନ୍ତି କିମ୍ବା ମୁହଁ ଖୋଲୁ ନାହାନ୍ତି । ଏକଦା ଓଡିଶା ରାଜନୀତିର ନେତା ତିଆରି କାରଖାନା ପାଲଟିଥିବା କେନ୍ଦ୍ରାପଡାରେ ଲୋକପ୍ରତିନିଧିମାନଙ୍କ ଏଭଳି ନିରବତାକୁ ଜିଲ୍ଲାବାସୀ ସହଜରେ ଗ୍ରହଣ କରିପାରୁ ନାହାନ୍ତି । କିଛି ଲୋକଙ୍କ କହିବାକଥା ଯେ ଏଭଳି ନିରବତା ଯୋଗୁଁ ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଥିବା ନଦୀ ଭିତ୍ତିକ ବନ୍ଦର ପ୍ରକଳ୍ପ ହେଉ କିମ୍ବା କ୍ରୁଜ ଚଳାଚଳ ଭଳି ପର୍ଯ୍ୟଟନ ପ୍ରକଳ୍ପ ହେଉ ସବୁକିଛି ଏବେ ଅଧା ପନ୍ତରିଆ ଅବସ୍ଥାରେ ପଡି ରହିଛି ।

ତେଣୁ ବର୍ତ୍ତମାନ ଯେଉଁଭଳି ଭାବେ ରସାବଳୀ ଓ ରେଳବାଇ ପ୍ରସଙ୍ଗ ଉଠିଛି ସେ ପ୍ରସଙ୍ଗରେ ଦଳ ମତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଲଢିବା ଦରକାର । ଏହା କେବଳ ନେତାଙ୍କୁ ଭଲ ସୁଯୋଗ ଦେବନାହିଁ ବରଂ ଜିଲ୍ଲାକୁ ଜାତୀୟ ଓ ଆର୍ନ୍ତଜାତୀୟ ସ୍ତରରେ ନୂଆ ପରିଚୟ ଦେବ । ମାଳ ମାଳ ବରିଷ୍ଠ ନେତାଙ୍କ ଉତ୍ପାଦନ କେନ୍ଦ୍ର କୁହାଯାଉଥିବା କେନ୍ଦ୍ରାପଡା ଏବେ ବି ଶିଳ୍ପବିହୀନ ଜିଲ୍ଲାର ଆଖ୍ୟା ପାଉଥିବାବେଳେ ଅତି କମରେ ରସାବଳୀକୁ ଜିଆଇ ମାନ୍ୟତା ଓ ଯାତ୍ରୀବାହୀ ରେଳ ଚଳାଚଳ ହୋଇପାରିଲେ ଲୋକଙ୍କର କିଛିଟା ଆଙ୍କାକ୍ଷା ପୂରଣ ହୋଇପାରନ୍ତା । ତେବେ ସୁବାସ ହଠାତ ନିଜ ଜିଲ୍ଲା ରାଜନୀତିରେ ସକ୍ରିୟତାକୁ କିନ୍ତୁ ଜିଲ୍ଲାବାସୀ ଭିନ୍ନ ଦୃଷ୍ଟିରେ ଦେଖୁଥିବା ଲକ୍ଷ୍ୟ କରାଯାଇଛି ।