Odia News Portal

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା କୁସୁପୁର ସେତୁ ଲୋକାର୍ପିତ

କଟକ:ବିରୂପା ନଦୀ ଉପରେ ବାଲିଚନ୍ଦ୍ରପୁର ବଡ଼ଚଣା ରାସ୍ତାକୁ ସଂଯୋଗ କରୁଥିବା ସେତୁକୁ ଉଦଘାଟନ କଲେ ପଞ୍ଚାୟତ ରାଜ ମନ୍ତ୍ରୀ | ମାହାଙ୍ଗା କୁସୁପୁର ବିରୂପା ନଦୀ ଉପରେ ପୂର୍ତ୍ତ ବିଭାଗ ପକ୍ଷରୁ ୧୮ କୋଟି ବ୍ୟୟ ମଞ୍ଜୁରରେ ନିର୍ମିତ ବହୁପ୍ରତିକ୍ଷିତ ୨୭୩.୭୨ମିଟର ଦୂରତା ବିଶିଷ୍ଟ ସେତୁକୁ ପଞ୍ଚାୟତରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଛନ୍ତି |

ଏହି ସେତୁ ନିର୍ମାଣ ହେବା ଦ୍ୱାରା ବାଲିଚନ୍ଦ୍ରପୁର ଓ ବଡ଼ଚଣାକୁ ଯୋଗାଯୋଗ ସହଜ ହୋଇଛି | ଏହି ସେତୁ ଉପରେ ମାହାଙ୍ଗାର ୯ଟି ପଞ୍ଚାୟତର ପଚାଶ ହଜାରୁ ଉର୍ଦ୍ଧ ଲୋକ ଯାତାୟତରେ ଉପକୃତ ହୋଇ ପାରିବେ | ଏହି ସେତୁ ଉଦଘାଟନ ଅବସରରେ ମାହାଙ୍ଗା ବିଜେଡି ପକ୍ଷରୁ ବାଲିଚନ୍ଦ୍ରପୁର ବଜାର ଠାରୁ ହଜାର ହଜାର ବାଇକ ଶୋଭାଯାତ୍ରାରେ ମନ୍ତ୍ରୀ ପ୍ରତାପ ଜେନାକୁ ଦଳୀୟ କର୍ମୀ ଓ ନେତା ମାନେ ପାଛୋଟି ଆଣିଥିଲେ | କୁସୁପୁର ଠାରେ ଆୟୋଜିତ ଉଦଘାଟନୀ ସଭାରେ ବ୍ଲକ ବିଜେଡି ସଭାପତି ରାଜକିଶୋର ଜେନାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ନବୀନ ବାବୁଙ୍କ ଦ୍ୱାରା ମାହାଙ୍ଗାରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବା ସହ ବିଜେଡି ଦଳ ମାହାଙ୍ଗାରେ ତାର ବିକାଶ ଧାରା ଏହିପରି ଚାଲୁ ରହିବ ବୋଲି ମତବ୍ୟକ୍ତ କରିଥିଲେ |

ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ବ୍ଲକ ଯୁବବଜେଡ଼ି ସଭାପତି ଶରତ ମହାପାତ୍ର, କୁସୁପୁର ସରପଞ୍ଚ ପଙ୍କଜ ସାହୁ, ସମିତି ସଭ୍ୟ ପ୍ରଶାନ୍ତ ରାଉତ ରାୟ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କିଶୋର ସିଂହ, ଜିଲ୍ଲାପରିଷଦ ସଭ୍ୟ ଅନ୍ନପୂର୍ଣ୍ଣା ବେହେରା, ହୃଷିକେଶ ସ୍ୱାଇଁ, ସମେତ ମାହାଙ୍ଗାର ବହୁ ମହିଳା ଓ ପୁରୁଷ ବିଜେଡି କର୍ମୀ ନେତା ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ |