Odia News Portal

ରାଜ୍ୟ ବାହାରକୁ ଚାଲାଣ ହେଉଛି LPG ଗ୍ୟାସ, ଜୁନାଗଡରୁ 64 ସିଲିଣ୍ଡର ଜବତ

ଭବାନୀପାଟଣାରୁ ରାୟପୁରକୁ ଚୋରା ଚାଲାଣ ହେଉଥିଲା ଗ୍ୟାସ। ଏହି ସମୟରେ ଯୋଗାଣ ବିଭାଗ ଓ ପୁଲିସ ମିଳିତ ଭାବେ ଚଢ଼ାଉ କରିଛି । ରାଜ୍ୟ ସରକାର ଗ୍ୟାସ କଳାବଜାରୀ ରୋକିବା ପାଇଁ ପଦକ୍ଷେପ ନେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଖୁଲମ୍ ଖୁଲା ଚାଲିଛି ଗ୍ୟାସ୍ ସିଲିଣ୍ଡରର କଳାବଜାରୀ। ଆଜି ଯୋଗାଣ ବିଭାଗ ଓ ଜୁନାଗଡ଼ ପୁଲିସକୁ ବଡ ସଫଳତା ମିଳିଛି । ଚୋରା ସିଲିଣ୍ଡର ଚାଲାଣ ବେଳେ ମାଡ଼ି ବସିଛି ପୋଲିସ।କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଛତିଶଗଡ଼ ରାୟପୁରକୁ କମରସିଆଲ ଗ୍ୟାସ ସିଲିଣ୍ଡର ଚୋରାଚାଲାଣ ହେଉଥିଲା । ଜୁନାଗଡ଼ ସ୍ଥିତ କଲମପୁର ଛକ ନିକଟରେ ଜିଲ୍ଲାଯୋଗାଣ ବିଭାଗ ଓ ଜୁନାଗଡ଼ ପୋଲିସର ମିଳିତ ଉଦ୍ୟମରେ ୬୪ଟି କମର୍ସିଆଲ ଗ୍ୟାସ ଓ ଏକ ବାଲେରୋ ପିକଅପକୁ ଜବତ କରିଛି ପୋଲିସ । ୬୪ ଟି ଗ୍ୟାସ ମଧ୍ୟରୁ ୫୨ ଟି ଭର୍ତ୍ତି ଗ୍ୟାସ ସିଲିଣ୍ଡର ଓ ୧୨ଟି ଖାଲିଥିବା ସିଲିଣ୍ଡର ଜବତ ହୋଇଛି ।ଅନ୍ୟ ପକ୍ଷରେ ଡ୍ରାଇଭର ଜଣକ ଛତିଶଗଡ଼ ଅଞ୍ଚଳର ହୋଇଥିବା ବେଳେ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଏନେଇ ଜୁନାଗଡ ଥାନା ଅଧିକାରୀ ଶେଷଦେଵ ବେହେରା କହିଛନ୍ତି ଯେ, “ପୋଲିସ ଓ ଯୋଗାଣ ବିଭାଗର ମିଳିତ ଉଦ୍ୟମରେ ଚଢା଼ଉ କରଯାଇଥିଲା। କଲମପୁର ଛକରେ ପିକଅପ୍‌ ଟିକୁ ଜବତ କରଯାଇଥିଲା ବେଳେ ସେଥିରୁ ୬୪ ଟି ଗ୍ୟାସ ସିଲିଣ୍ଡର ଜବତ ହୋଇଛି । ଗାଡିରେ 4 ଜଣ ଥିଲେ । ପ୍ରାଥମିକ ତଦନ୍ତରୁ ତିନି ଜଣଙ୍କ ସମ୍ପୃକ୍ତି ନଥିବା ଜଣାପଡିଛି । କେବଳ ଡ୍ରାଇଭରକୁ ଅଟକ ରଖି ପଚରାଉଚୁରା କରାଯାଇଛି । ଏହି ଗାଡ଼ିଟି ଭବାନୀପାଟଣାରୁ ରାୟପୁର ଅଭିମୁଖେ ଯାଉଥିଲା । ଅଧିକ ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ।ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଷ୍ଟ୍ରେଟ ଅଫ୍‌ ହର୍ମୁଜ ଜଳପଥକୁ ଇରାନ ସମ୍ପୂର୍ଣ୍ଣ ରୂପେ ଅବରୋଧ କରିଛି । ଏଭଳି ସ୍ଥିତିରେ ବର୍ତ୍ତମାନ ସାରା ବିଶ୍ୱରେ ରୋଷେଇ ଗ୍ୟାସ ସଙ୍କଟ ଦେଖା ଯାଇଥିବା ବେଳେ କମର୍ସିଆଲ ଗ୍ୟାସ ସିଲିଣ୍ଡର ବିକ୍ରି ଉପରେ ରୋକ ଲଗାଯାଇଛି । ଏପରି ପରିସ୍ଥିତିରେ ଘରୋଇ ରନ୍ଧନ ଗ୍ୟାସ ଉପଭୋକ୍ତା ମାନେ ମଧ୍ୟ ବିଭିନ୍ନ ଗୁଜବର ଶିକାର ହୋଇ ଏବେ ଗ୍ୟାସ ଦୋକାନ ସମ୍ମୁଖରେ ଭିଡ଼ ଲଗାଉଛନ୍ତି । ଯାହାର ଫାଇଦା ନେଇ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି । କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି କଳାହାଣ୍ଡି ପୋଲିସ ।