ଢେଙ୍କାନାଳ: ରଖେ ହରି ତ ମାରେ କିଏ ! ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଏକ ତୀର୍ଥଯାତ୍ରୀ ବସ୍ । ଢେଙ୍କାନାଳ ଜିଲ୍ଲା ୫୫ ନଂ ଜାତୀୟ ରାଜପଥରେ ମହାରାଷ୍ଟ୍ରର ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି ନାସିକ ଫେରୁଥିବା ଏହି ତୀର୍ଥଯାତ୍ରୀ ବସ୍ ଅଳ୍ପକେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ବସ୍ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏଥିରେ ଯାତ୍ରା କରୁଥିବା ସମସ୍ତ ୪୮ ଜଣ ଯାତ୍ରୀ ସୁରକ୍ଷିତ ରହିଥିବା ବେଳେ ଚାଳକ ସାମାନ୍ୟ ଆହତ ହୋଇଛନ୍ତି ।ଆଜି (ଏପ୍ରିଲ 20) ଭୋର୍ ସମୟରେ ଢେଙ୍କାନାଳ ସହରର କୋରିଆଁ ଛକ ନିକଟସ୍ଥ ବ୍ରାହ୍ମଣୀ ଦେବୀ ମନ୍ଦିର ନିକଟରେ ଏହି ଅଘଟଣ ଘଟିଥିଲା । ଯାତ୍ରୀବାହୀ ବସଟି, ରାସ୍ତା କଡ଼ରେ ଅଟକି ରହିଥିବା ଏକ ଟ୍ରକର ଅତି ନିକଟତର ହୋଇ ଯାଇଥିଲା । ତେବେ ବସ୍ ଡ୍ରାଇଭର ନିଜ ବୁଦ୍ଧି ପ୍ରୟୋଗ କରି ବସ୍ ଗତିକୁ ସାମାନ୍ୟ ପରିବର୍ତ୍ତନ କରି, ନିକଟରେ ଥିବା ଏକ ବାଲି ଗଦା ଉପରେ ଚଢ଼ାଇ ଦେଇଥିଲେ । ଫଳରେ ବସଟି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ପରେ ଖବର ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ଟିମ୍, ଘଟଣାସ୍ଥଳରେ ପହଞ୍ଚି ବସରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।
