Odia News Portal

ମମତାଙ୍କ ଅଡ଼ୁଆ ବଢ଼ିଲା, କୋଲକାତାରେ ରୁଜୁ ହେଲା ନୂଆ ମାମଲା

ପଶ୍ଚିମବଙ୍ଗ ରାଜନୀତିରେ ବଢ଼ୁଛି ଚର୍ଚ୍ଚା। ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି। ଦଳ ଭିତରେ ବିଧାୟକ ଓ ସାଂସଦମାନଙ୍କ ଅସନ୍ତୋଷ ମଧ୍ୟରେ ଏବେ ତାଙ୍କ ବିରୋଧରେ କୋଲକାତାରେ ଆଉ ଏକ ମାମଲା ରୁଜୁ ହୋଇଛି। ମମତା ବାନାର୍ଜୀଙ୍କ ବିରୋଧରେ ରୁଜୁ ହୋଇଥିବା ଏହି ମାମଲାରେ ବିଏନଏସ ଧାରା ୧୯୬(୧), ୩୫୧(୨) ଏବଂ ୩୫୨ ଲାଗୁ କରାଯାଇଛି। ଉତ୍ତେଜନାମୂଳକ ବୟାନ ଦେଇଥିବା ଅଭିଯୋଗରେ କୋଲକାତାର ହେୟାର ଷ୍ଟ୍ରିଟ୍ ଥାନାରେ ଏହି ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଗତ ଜୁନ ୨ ତାରିଖରେ କୋଲକାତାରେ ଆୟୋଜିତ ଏକ ଜନସଭାରେ ମମତା ବାନାର୍ଜୀ ବାଙ୍ଗ୍ଲାଦେଶର ଛାତ୍ରନେତା ହାଦିଙ୍କ ହତ୍ୟା ପ୍ରସଙ୍ଗକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏହାକୁ କେନ୍ଦ୍ର କରି ପୂର୍ବରୁ ସିଲିଗୁଡ଼ିରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏବେ କୋଲକାତାରେ ଦ୍ୱିତୀୟ ଥର ପାଇଁ ଆଇନଗତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ମମତା।

ଏହା ସହ ନିର୍ବାଚନ ପ୍ରଚାର ସମୟରେ ମମତାଙ୍କ ଏକ ବୟାନ ମଧ୍ୟ ବିବାଦର କାରଣ ହୋଇଥିଲା। ସେ କହିଥିଲେ, “ଆପଣମାନେ ସୁରକ୍ଷିତ ଅଛନ୍ତି କାରଣ ଆମେ ଅଛୁ। ଆମେ ନଥିଲେ ସେମାନଙ୍କୁ ଗୋଟିଏ ସେକେଣ୍ଡ ମଧ୍ୟ ଲାଗିବ ନାହିଁ।” ତାଙ୍କର ଏହି ମନ୍ତବ୍ୟ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଥିଲା ଏବଂ ବିରୋଧୀ ଦଳମାନେ ଏହାକୁ ନେଇ କଡ଼ା ସମାଲୋଚନା କରିଥିଲେ।

ଅନ୍ୟପଟେ, ନିର୍ବାଚନ ପରାଜୟ ପରେ ଟିଏମସିର ଦ୍ୱିତୀୟ ସର୍ବବୃହତ ନେତା ଅଭିଷେକ ବାନାର୍ଜୀଙ୍କ ଅଡ଼ୁଆ ମଧ୍ୟ ବଢ଼ିଛି। ବିଧାୟକଙ୍କ ନକଲି ଦସ୍ତଖତ ଅଭିଯୋଗ ମାମଲାରେ ସିଆଇଡି ତଦନ୍ତ ଜୋରଦାର କରିଛି। ଗୁରୁବାର ଦିନ ପ୍ରାୟ ୫ ଘଣ୍ଟା ଧରି ସିଆଇଡି ପକ୍ଷରୁ ପଚରାଉଚରା କରାଯାଇଥିବା ସୂଚନା ମିଳିଛି।