Odia News Portal

ସଂକ୍ରମଣ ବୃଦ୍ଧିକୁ ଦେଖି ଘରମୁହାଁ ପ୍ରବାସୀ ଶ୍ରମିକ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଇ ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୧୨୮୨ରେ ପହଞ୍ଚି ଥିବା ସମୟରେ ରାଜ୍ୟରେ ନାଇଟ କର୍ଫ୍ୟୁ ଓ ସାପ୍ତାହିକ ଲକ୍‌ଡାଉନ୍‌ ପରି କଟକଣା ଆରମ୍ଭ ହୋଇଯାଇଛି। ତେବେ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପ୍ରବାସୀ ଶ୍ରମିକମାନେ ଧିରେ ଧିରେ ନିଜ ନିଜ ରାଜ୍ୟକୁ ଫେରିବା ଆରମ୍ଭ କଲେଣି ।ବିଶେଷ କରି ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରେ କାମ କରୁଥିବା ସଂଖ୍ୟାଧିକ ଶ୍ରମିକ ଏବେ ସପରିବାର ନିଜ ରାଜ୍ୟକୁ ଫେରିବା ଆରମ୍ଭ କରୁଥିବା ଦେଖାଯାଇଛି।

ଗତବର୍ଷ ପରି ପରିବର୍ତ୍ତିତ ସ୍ଥିତିରେ ସହରରେ ହାତବାନ୍ଧି ବିନା ରୋଜଗାରରେ ଭୋକଉପବାସରେ ପଡ଼ି ରହିବା ଅପେକ୍ଷା ଆଗୁଆ ସେମାନେ ନିଜ ଗାଁକୁ ଫେରିଯିବାକୁ ଶ୍ରେୟ ମଣିଛନ୍ତି। ସେହିପରି ମୁମ୍ବାଇରେ ମଧ୍ୟ ପ୍ରବାସୀମାନଙ୍କ ଅନୁରୂପ ଜନ୍ମମାଟି ଯାତ୍ରା ଦେଖିବାକୁ ମିଳିଛି। ସେହିପରି ଗୁଜରାଟର ଅଧିକ କୋଭିଡ୍‌ କ୍ଷତିଗ୍ରସ୍ତ ଅହମଦାବାଦ ଓ ସୁରତ ସହରରେ କାମ କରୁଥିବା ଏପରି ପ୍ରବାସୀ ଶ୍ରମିକମାନେ ମଧ୍ୟ ନିଜ ନିଜ ଜନ୍ମମାଟିକୁ ଫେରିଯିବାକୁ ବାହାରୁଛନ୍ତି ।

ଅନ୍ୟପକ୍ଷେ, ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି ନିୟମ କଡାକଡି କରିଛନ୍ତି ରାଜ୍ୟସରକାର । ଅନ୍ୟ ରାଜ୍ୟରୁ ଓଡିଶା ଆସିଲେ ଆରଟିପିସିଆର ଟେଷ୍ଟ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ପ୍ରବାସୀଙ୍କୁ ୭ ଦିନ ସଙ୍ଗରୋଧ ବାଧ୍ୟତାମୂଳକ କରାଯାଇଛି।