Odia News Portal

ବାରିପଦାରୁ ନିଖୋଜ ଶିକ୍ଷୟିତ୍ରୀ ବାଲେଶ୍ୱର ରେଳ ଷ୍ଟେସନରୁ ଉଦ୍ଧାର, ଜନଗଣନା କାମ ପାଇଁ ଚାପରେ ଥିଲେ

ଜନଗଣନା କାର୍ଯ୍ୟରେ ଯାଇ ନିଖୋଜ ଥିବା ବାରିପଦା ସଦର ଥାନା ଅନ୍ତର୍ଗତ ଢେଙ୍କିନେଞ୍ଜିଆ ସରକାରୀ ୟୁପି ସ୍କୁଲର ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁଙ୍କୁ ବାଲେଶ୍ୱର ରେଳ ଷ୍ଟେସନରୁ ପୋଲିସ ଉଦ୍ଧାର କରିଛି । ସେ ଢେଙ୍କିନେଞ୍ଜିଆ ସ୍କୁଲରେ ଗତ ୮ ବର୍ଷ ହେଲା ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଜ୍ୟୋତ୍ସ୍ନାରାଣୀଙ୍କ ଘର ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ବୋଲି ଜଣାପଡିଛି ।ବାରିପଦା ସଦର ଥାନା ଏସଡିପିଓ ପ୍ରଭାତ କୁମାର ମଲ୍ଲିକ କହିଛନ୍ତି, “ଶିକ୍ଷୟିତ୍ରୀଙ୍କୁ ଜନଗଣନା କାର୍ଯ୍ୟର ଦାୟିତ୍ଵ ମିଳିଥିବା ବେଳେ ସେ କିପରି ରିପୋର୍ଟ ପ୍ରଦାନ କରିବେ ତାହା ବୁଝି ପାରିନଥିଲେ । ଏନେଇ ସେ ଚାପରେ ଥିଲେ । ୧୮ ତାରିଖ ଦିନ ୧୧.୩୦ଟା ପର୍ଯ୍ୟନ୍ତ ସେ ବାରିପଦାରେ ଥିଲେ । ପରେ ଏକ ଅଟୋ ଯୋଗେ ବାରିପଦା ରେଳ ଷ୍ଟେସନ ଯାଇ ସେଠାରୁ ଟ୍ରେନ ଯୋଗେ ବାଲେଶ୍ଵର ପଳେଇ ଯାଇଥିଲେ । ବାଲେଶ୍ଵର ରେଳଷ୍ଟେସନର ଯାତ୍ରୀ ପ୍ରତୀକ୍ଷାଳୟ ହଲ୍‌ରେ ୧୮ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ରହିଥିଲେ ।୧୯ ତାରିଖରେ ଶିକ୍ଷୟିତ୍ରୀ ଜଣକ ରହୁଥିବା ଭଡ଼ା ଘର ମାଲିକଙ୍କ ଠାରୁ ଲିଖିତ ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ଦିଗରୁ ତଦନ୍ତ କରାଯିବା ସହ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ପୋଲିସ । ବାରିପଦା ରେଲୱେ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ ପରେ ବାଲେଶ୍ଵର ଯାଇଥିବା ପୋଲିସ ଜାଣିବାକୁ ପାଇଥିଲା । ବାଲେଶ୍ବର ରେଳଷ୍ଟେସନର ତାଙ୍କୁ ଉଦ୍ଧାର କରାଯାଇଛି ।”ଗତ ୧୬ ତାରିଖରୁ ଜ୍ୟୋତ୍ସ୍ନାରାଣୀ ଜନଗଣନା କାର୍ଯ୍ୟରେ ନିୟୋଜିତ ଥିଲେ । ୧୮ ଏପ୍ରିଲ (ଶନିବାର) ସକାଳ ୭ଟା ସମୟରେ ସେ ସ୍କୁଲକୁ ଯାଇଥିଲେ । ସେହି ଦିନ ୯ଟା ବେଳକୁ ଟିମ୍ ଲିଡରଙ୍କୁ ବାରିପଦାକୁ ଔଷଧ କିଣିବାକୁ କହି ଚାଲି ଯାଇଥିଲେ । ଏହାପର ଠାରୁ ତାଙ୍କର ଖୋଜ ଖବର ନଥିଲା ଓ ମୋବାଇଲ ଫୋନ୍ ମଧ୍ୟ ସ୍ବିଚଅଫ୍ ଥିଲା । ନିଖୋଜ ହେବା ପୂର୍ବରୁ ଶିକ୍ଷୟିତ୍ରୀ ଜଣକ ନିଜ ମା’ଙ୍କ ସହ କଥା ହୋଇଥିଲେ ଓ ସାନ ଭାଇକୁ କିଛି ଟଙ୍କା ପଠାଇଥିଲେ ବୋଲି ତାଙ୍କ ସାନ ଭାଇଙ୍କ ପାଖରୁ ଜଣାପଡିଥିଲା ।ନିଖୋଜ ହେବା ପରେ ଶିକ୍ଷୟିତ୍ରୀ ଜଣକ ରହୁଥିବା ଭଡ଼ା ଘର ମାଲିକ, ବାରିପଦା ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ସମସ୍ତ ଦିଗରୁ ତଦନ୍ତ ଆରମ୍ଭ କରିଥିଲା । ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିବା ପୋଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇପଡ଼ିଥିଲା । ବାରିପଦା ସଦର ପୋଲିସ ଜ୍ୟୋତ୍ସ୍ନାଙ୍କ ଭଡ଼ା ଘର, ସ୍କୁଲ ଗାଁ ନିକଟରେ ଥିବା ଅନ୍ୟାନ୍ୟ ଗାଁ ସହ ବାରିପଦା ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ ଯାଇ ଖୋଜାଖୋଦି ଜାରି ରଖିଥିଲା । ଏଥି ସହିତ ପୋଲିସ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା ।ସେପଟେ ଶିକ୍ଷୟିତ୍ରୀଙ୍କ ମୋବାଇଲକୁ ଟ୍ରାକ କରିବା ସହ କଲ୍‌ ବିବରଣୀ ଆଧାରରେ ଯାଞ୍ଚ ଜାରି ରଖିଥିଲା ପୋଲିସ । ୩ ଦିନ ଧରି ଜ୍ୟୋତ୍ସ୍ନାଙ୍କୁ ଖୋଜିବାରେ ପୋଲିସ ଦିନ ରାତି ଏକ କରି ଦେଇଥିଲେ ସୁଦ୍ଧା ତାଙ୍କୁ ପାଇ ପାରିନଥିଲେ । ଗତକାଲି (ମଙ୍ଗଳବାର) ଜ୍ୟୋତ୍ସ୍ନାରାଣୀ ବାଲେଶ୍ୱର ଷ୍ଟେସନରେ ବୁଲୁ ଥିବାର କୌଣସି ସୂତ୍ରରୁ ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବାରିପଦା ସଦର ଥାନାକୁ ଆଣି ପଚରାଉଚରା ଜାରି ରଖିଛି ।