Odia News Portal

ସହରୀ ଉନ୍ନୟନ ଭିତ୍ତିକ କାର୍ଯ୍ୟକ୍ରମରେ ଏସଏଚଜି ମିଶନଶକ୍ତି ମହିଳା


ଭୁବନେଶ୍ୱର: ମିଶନଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କୁ ଆତ୍ମ ନିର୍ଭରଶୀଳ କରାଇବା ଏବଂ ସେମାନଙ୍କର ଜୀବନ ଓ ଜୀବିକା ପ୍ରୋତ୍ସାହନ ଉଦେଶ୍ୟରେ ୧୦ ହଜାର ରୁ ଉର୍ଦ୍ଧ ମିଶନଶକ୍ତି ମହିଳାସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ବିଭିନ୍ନ ସହରୀ ଉନ୍ନୟନ ଭିତିକ କାର୍ଯ୍ୟକ୍ରମରେ ନିଯୋଜିତ କରାଯାଇଛି । ଆହାର ଯୋଜନା, ଜଳସାଥୀ ଯୋଜନା,ସହରୀ ମଜୁରି ଭିତିକ ରୋଜଗାର ଯୋଜନା, ବାସହୀନ ଆଶ୍ରୟସ୍ଥଳୀ ପରିଚାଳନା, ରାଜସ୍ୱ କର ଆଦାୟ, ସ୍ୱଚ୍ଛ ଭାରତ ମିଶନ ଇତ୍ୟାଦି ରେ ସାମିଲ କରାଯାଇଛି ।

ରାଜ୍ୟ ସହରାଂଚଳ ଉନ୍ନୟନ ସଂସ୍ଥା(ସୁଡା) ମାଧ୍ୟମ ରେ ଓଡିଶାର ସମସ୍ତ ୧୧୪ ଗୋଟି ପୌରାଂଚଳର ୱାର୍ଡ / ବସ୍ତି ଅଂଚଳରେ ରହୁଥିବା ଗରିବ ମହିଳା ମାନଙ୍କୁ ସଂଘଟିତ କରି ୩୨,୦୦୦ରୁ ଉର୍ଦ୍ଧ୍ୱ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୧୨୦୦ ଆଂଚଳିକ ସ୍ତରୀୟ ସଂଗଠନ ତିଆରି କରାଯାଇଛି।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ,ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବନ ଜୀବିକା ନିମନ୍ତେ, ଜାତୀୟ ସହରାଂଚଳ ଜୀବିକା ମିଶନ ଅନ୍ତର୍ଗତ ଆତ୍ମନିଯୁକ୍ତି ସହାୟତା କାର୍ଯ୍ୟକ୍ରମ ଜରିଆରେ ବ୍ୟାଙ୍କ ମାଧ୍ୟମରେ ପ୍ରାୟ ୧୫୭ କୋଟି ୮୫ ଲକ୍ଷ୍ୟ ଟଙ୍କା ର ସୁଲଭ ଋଣ ପ୍ରଦାନ କରାଯାଇଛି ।

ଏତତ୍ ସହିତ, ନିୟମିତ ଋଣ ପରିଶୋଧ କରୁଥିବା ଗୋଷ୍ଠୀ ମାନଙ୍କୁ ସୁଧ ହାରରେ ମଧ୍ୟ ରିହାତି ପ୍ରଦାନ କରାଯାଉଛି ।ଅଦ୍ୟାବଧି ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସର୍ବମୋଟ ୨ କୋଟି ୬୭ ଲକ୍ଷ୍ୟଟଙ୍କାର ସୁଧ ରିହାତି ଦିଆଯାଇଛି । ଏହି ଋଣ ମାଧ୍ୟମରେ ମିଶନଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ କ୍ଷୁଦ୍ର ବ୍ୟବସାୟ ଯଥା: ସିଲେଇ (ଟେଲରିଂ), ଉପହାର କେନ୍ଦ୍ର, ଲୁଗାପଟା ବିକ୍ରୟ ଦୋକାନ, ପନିପରିବା ବିକ୍ରୟ ଦୋକାନ, ଜଳଖିଆ ଦୋକାନ,ସ୍କୁଲ ବ୍ୟାଗ୍ ଓ ଅନ୍ୟାନ୍ୟବ୍ୟାଗ୍ ତିଆରି, ଫିନାଇଲ ତିଆରି, ଖଲିପତ୍ର ତିଆରି ଓ କୁକୁଡ଼ା ପାଳନକରି ଆତ୍ମ ନିର୍ଭରଶୀଳ ହୋଇପାରିଛନ୍ତି ।