ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏହା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଥିଲା। ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି) ଏହି ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରିଥିଲା। କିନ୍ତୁ ଦୁଃଖର ବିଷୟ ହେଉଛି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରକାଶିତ ପାଠ୍ୟପୁସ୍ତକଗୁଡ଼ିକରେ ମାଳମାଳ ତ୍ରୁଟି ଚିହ୍ନଟ ହୋଇଛି। ଶବ୍ଦର ବନାନ ଭୁଲ୍ ଠାରୁ ଆରମ୍ଭ କରି ମହାପୁରୁଷଙ୍କ ନାମ, ଭୌଗୋଳିକ ତଥ୍ୟ, ଐତିହାସିକ ସୂଚନା ଓ ଗଣିତୀୟ ତଥ୍ୟ ପର୍ଯ୍ୟନ୍ତ ଅନେକ ଭୁଲ୍ ରହିଥିବା ଅଭିଯୋଗ ହୋଇଛି।
ରିପୋର୍ଟ ଅନୁସାରେ, ଓଡ଼ିଶା ବିଧାନସଭାର ଚିତ୍ର ସ୍ଥାନରେ କର୍ଣ୍ଣାଟକ ବିଧାନସଭାର ଚିତ୍ର ପ୍ରକାଶ ପାଇଛି। ଓଡ଼ିଶାର ନିୟମଗିରିକୁ ଝାଡ଼ଖଣ୍ଡରେ ଦର୍ଶାଯାଇଛି। ବିଶିଷ୍ଟ ଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ନାମକୁ ‘ସନନ୍ଦା ପଟ୍ଟନାୟକ’ ଏବଂ ‘ନୀଳକଣ୍ଠ ଦାସ’ଙ୍କୁ ‘ନୀଳକଣ୍ଠ ଦାଶ’ ବୋଲି ଲେଖାଯାଇଛି। ଡଙ୍ଗରିଆ ଜନଜାତିଙ୍କୁ ‘ଢୋଙ୍ଗାରିଆ’ ବୋଲି ଉଲ୍ଲେଖ କରାଯାଇଥିବାବେଳେ ଗଞ୍ଜାମ ଜିଲ୍ଲାକୁ ‘ବ୍ରହ୍ମପୁର ଜିଲ୍ଲା’ ଭାବେ ଦର୍ଶାଯାଇଛି। ସବୁଠାରୁ ଚିନ୍ତାଜନକ କଥା ହେଉଛି, ମୋଟ ୧୬୭୮ଟି ତ୍ରୁଟି ଚିହ୍ନଟ ହୋଇଛି। ଏଥିମଧ୍ୟରୁ ସର୍ବାଧିକ ୭୦୫ଟି ଭୁଲ୍ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ଏହି ତ୍ରୁଟିଗୁଡ଼ିକୁ ସ୍ୱୀକାର କରି ସଂଶୋଧନ ପାଇଁ ତାଲିକା ପ୍ରସ୍ତୁତ କରିଛି।
ଏହି ଘଟଣାକୁ ନେଇ ଅଭିଭାବକ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଶିକ୍ଷକ ସଂଘମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ଏତେ ସଂଖ୍ୟକ ଭୁଲ୍ ପାଠ୍ୟପୁସ୍ତକରେ କିପରି ରହିଗଲା। ପୁସ୍ତକ ପ୍ରସ୍ତୁତି ପରେ ଯଥାର୍ଥ ପ୍ରୁଫ୍ ରିଡିଂ ହୋଇଥିଲା କି ନାହିଁ, ତାହାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଏପରିକି ଛପା ପୂର୍ବରୁ ନମୁନା ପୁସ୍ତକର ସମୀକ୍ଷା ହୋଇନଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ଅନ୍ୟପଟେ, ଏସସିଇଆରଟି ପାଠ୍ୟପୁସ୍ତକରେ ତ୍ରୁଟି ଥିବା କଥା ସ୍ୱୀକାର କରିଥିଲେ ମଧ୍ୟ କହିଛି ଯେ, ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ପ୍ରସ୍ତୁତ ଏହି ପୁସ୍ତକଗୁଡ଼ିକ ‘ଏକ୍ସପେରିମେଣ୍ଟାଲ୍ ଏଡିସନ୍’ ଭାବେ ପ୍ରକାଶିତ ହୋଇଛି ଏବଂ ଏଥିରେ କିଛି ତ୍ରୁଟି ରହିଯାଇଛି।
ତେବେ ପ୍ରଶ୍ନ ଉଠୁଛି— ମହାପୁରୁଷଙ୍କ ନାମ ଭୁଲ୍ ଲେଖିବା, ଗଣିତର ସଂଖ୍ୟା ଭୁଲ୍ ଦେବା, ନିୟମଗିରିକୁ ଝାଡ଼ଖଣ୍ଡରେ ଦର୍ଶାଇବା କିମ୍ବା ଐତିହାସିକ ତଥ୍ୟକୁ ବିକୃତ କରିବାକୁ କେବଳ ‘ସାମାନ୍ୟ ଭୁଲ୍’ କୁହାଯାଇପାରିବ କି? ଧାନକୁ ଗହମ, କାଚକୁ କପ୍, ସମୟକୁ ସମସ୍ତ, ପଞ୍ଚଗଙ୍ଗାକୁ ପଚଗଙ୍ଗା, ୨୫୦୦ ବର୍ଷ ପୁରୁଣା ଜିନିଷକୁ ୫୦୦ ବର୍ଷର ବୋଲି ଲେଖିବା, ହିମାଚଳୀ ଭାଷାକୁ ହିମାଚଳ ଭାଷା, ଆନ୍ଧ୍ରପ୍ରଦେଶକୁ ଆନ୍ଦ୍ରପ୍ରଦେଶ, ଯତ୍ନକୁ ଯନ୍ତ୍ର, ତାପମାତ୍ରାକୁ ଚାପମାତ୍ରା, ୩୦୦ ଶବ୍ଦକୁ ୩୦୦୦ ଶବ୍ଦ, ମୋଗଲକୁ ପୋଗଲ୍, ପେନସିଲକୁ ପେନିଲ୍ ଏବଂ ଖୁଦୁରୀକୁଣୀ ଓଷାକୁ ଖୁଦରକୁଣୀ ଲେଖିବା ଭଳି ଅନେକ ତ୍ରୁଟି ତାଲିକାଭୁକ୍ତ ହୋଇଛି। ଶିକ୍ଷାର ଭିତ୍ତି ହେଉଛି ପାଠ୍ୟପୁସ୍ତକ। ଏଭଳି ତ୍ରୁଟିପୂର୍ଣ୍ଣ ପୁସ୍ତକ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଜ୍ଞାନ ଅର୍ଜନ ଉପରେ କେତେ ପ୍ରଭାବ ପକାଇବ, ତାହା ଏବେ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି।
