Odia News Portal

ପ୍ରେମ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ! ଦୁଇ ଜଣଙ୍କୁ ଗିରଫ କଲା ବାଲେଶ୍ୱର ପୋଲିସ

ପ୍ରେମ ବ୍ୟାପାରକୁ ନେଇ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରିବା ଘଟଣାକୁ ସିମୁଳିଆ ପୋଲିସ ଗମ୍ଭୀର ସହକାରେ ନେଇ ଦୁଇ ଜଣଙ୍କୁ ଗିରଫ କରିଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ପଇଁତିରିଶ ସାହି ଗ୍ରାମର ସୁବାସ ସୁତାରକୁ ଦୁଇ ଦିନ ତଳେ କାଞ୍ଚପଡା ଅଂଚଳର ଭଗବାନ କର ଓ ତାଙ୍କ ସହଯୋଗୀ ଘରୁ ଉଠାଇ ଆଣି ଏକ ଘରେ ହାତ ଗୋଡ଼ ବାନ୍ଧି ଠେଙ୍ଗାରେ ପିଟି ଥିଲେ । ଫଳରେରେ ସୁବାସଙ୍କ ନାକରୁ ପ୍ରବଳ ରକ୍ତଶ୍ରାବ ହୋଇଥିଲା । ଯାହାକୁ ନେଇ ସେ ଗୁରୁତର ହୋଇ ପଡିବାରୁ ଆକ୍ରମଣ କରିଥିବା ଭଗବାନ କର ଓ ତାଙ୍କ ସହଯୋଗୀ ସିମୁଳିଆ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ମେଡିକାଲରେ ଛାଡି ଭଗବାନ ପଳେଇ ଯାଇଥିଲେ ।ପରିବାର ଲୋକ ଖବର ପାଇ ସିମୁଳିଆ ମେଡିକାଲରେ ପହଞ୍ଚି ଭଦ୍ରକ ମେଡିକାଲକୁ ନେଇଥିଲେ । ଭଦ୍ରକ ମେଡିକାଲରେ ଡାକ୍ତର ସୁବାଷଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ପରେ ସୁବାସଙ୍କ ଭିଣେଇ ସୁବାସକୁ ହତ୍ୟା କରାଯାଇଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସିମୁଳିଆ ପୋଲିସ ଆକ୍ରମଣ କରିଥିବା ଭଗବାନ କର ଓ ତାଙ୍କ ଭଣଜା ବୈରଞ୍ଜନ ଦାସଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି । ପ୍ରେମ ଜନିତ ହତ୍ୟା ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପାରିବାରିକ ବିବାଦ ଯୋଗୁଁ ହତ୍ୟା ହୋଇଥିବା ନେଇ ସଦର ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକ ଆଜି ସିମୁଳିଆ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।ଏସଡିପିଓ ଶୁଭ୍ରାଂଶୁ ଶେଖର ନାୟକଙ୍କ ସୂଚନା ଅନୁସାରେ,”ଗତ ୫ ତାରିଖ ଦିନ ତିହିଡ଼ି ଅଞ୍ଚଳର ଭବେଶ ନାୟକ ଆସି ସିମୁଳିଆ ଥାନାରେ ରିପୋର୍ଟ କଲେ ଯେ ତାଙ୍କର ଶଳା ସୁବାସ ରଞ୍ଜନ ସୁତାରଙ୍କୁ ଦୁଇଜଣ ଲୋକ ଭଗବାନ କର ଓ ବୈରଞ୍ଜନ ଦାସ ସେମାନେ ତାଙ୍କୁ ରଶିରେ ବାନ୍ଧି ପିଟିପିଟି ମାରି ଦେଇଛନ୍ତି ବୋଲି ଅଭିଯୋଗ କଲେ। ତା ଉପରେ ଆମର ସିମୁଳିଆ ଥାନା କେଶ ନଂ ୧୨୬/୨୬ ମୂଳେ ମାମଲା ରୁଜୁ ହେଲା ଏବଂ ଆଇଆଇସି ଓ ଥାନାର ଅନ୍ୟ କର୍ମଚାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଦୁଇ ଜଣ ଯିଏ ମୁଖ୍ୟ ଅଭିଯୁକ୍ତ ଥିଲେ ସେଥିରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଗଲା । ସେମାନେ ଆକ୍ରମଣରେ ବ୍ୟବହାର କରିଥିବା ରଶି ଓ ଗୋଟିଏ ଠେଙ୍ଗା ଜବତ କରାଯାଇଛି । ଏହା ଉପରେ ଅଧିକ ତଦନ୍ତ ଆମର ଚାଲିଛି । ଯଦି କିଛି ଆଉ ଅଧିକ ପ୍ରମାଣ ହସ୍ତଗତ ହେଲା ତେବେ ଆମେ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବୁ । ତାଙ୍କର କିଛି ପାରିବାରିକ ବିଶୃଙ୍ଖଳା ବା ମନ ମନାନ୍ତର ଥିଲା, ଯାହାକି ଆମର ତଦନ୍ତ ଚାଲିଛି ଓ ତାହା ପରେ ଜଣା ପଡ଼ିବ । ବର୍ତ୍ତମାନ ସୁଦ୍ଧା ଆମର ତଦନ୍ତ ଚାଲିଛି, ତଦନ୍ତ ସରିବା ପରେ ଜଣାପଡିବ ଯେ ଏମିତି ଘଟଣା କାହିଁକି ଘଟିଲା । ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇ ଜଣଙ୍କ ସମ୍ପୃକ୍ତି ଥିଲା ସେମାନଙ୍କୁ ଗିରଫ କରାଯାଇଛି ।”