Odia News Portal

ଜାତୀୟ ମହାକାଶ ଦିବସ: ଚନ୍ଦ୍ରଯାନ-୩ ସଫଳତାର ୩ ବର୍ଷ

ଆଜି ଜାତୀୟ ମହାକାଶ ଦିବସ। ଠିକ୍ ତିନି ବର୍ଷ ତଳେ, ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରପୃଷ୍ଠରେ ଇତିହାସ ରଚିଥିଲା ଭାରତ। ଚନ୍ଦ୍ରଯାନ-୩ର ‘ବିକ୍ରମ’ ଲ୍ୟାଣ୍ଡର ସଫଳ ସଫ୍ଟ ଲ୍ୟାଣ୍ଡିଂ କରି ଭାରତୀୟ ମହାକାଶ ଅଭିଯାନରେ ଯୋଡ଼ିଥିଲା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ। ଏହି ଐତିହାସିକ ସଫଳତାର ସ୍ମୃତିରେ ପ୍ରତିବର୍ଷ ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯାଉଛି। ୨୦୨୩ ଅଗଷ୍ଟ ୨୩ରେ ‘ବିକ୍ରମ’ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ସଫଳତାର ସହ ଅବତରଣ କରିଥିଲା। ଏହାପରେ ‘ପ୍ରଜ୍ଞାନ’ ରୋଭର ଚନ୍ଦ୍ରପୃଷ୍ଠକୁ ଓହ୍ଲାଇ ବୈଜ୍ଞାନିକ ଅନୁସନ୍ଧାନ ଆରମ୍ଭ କରିଥିଲା। ଏହି ସଫଳତା ସହ ଭାରତ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିବା ବିଶ୍ୱର ଚତୁର୍ଥ ଦେଶ ହୋଇଥିଲା। ଏଥିସହ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟବର୍ତ୍ତୀ ଅଞ୍ଚଳରେ ଅବତରଣ କରିଥିବା ପ୍ରଥମ ଦେଶ ଭାବେ ମଧ୍ୟ ଭାରତ ଇତିହାସ ରଚିଥିଲା।

ଚନ୍ଦ୍ରଯାନ-୩ର ‘ବିକ୍ରମ’ ଲ୍ୟାଣ୍ଡର ଅବତରଣ କରିଥିବା ସ୍ଥାନକୁ ‘ଶିବ ଶକ୍ତି ପଏଣ୍ଟ’ ନାମ ଦିଆଯାଇଛି। ସେହିପରି, ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ପ୍ରୟାସ ସହ ଜଡ଼ିତ ସ୍ଥାନକୁ ‘ତିରଙ୍ଗା ପଏଣ୍ଟ’ ନାମ ଦିଆଯାଇଛି। ଚନ୍ଦ୍ରଯାନ-୩ର ସଫଳତାକୁ ସ୍ମରଣୀୟ କରିବା ସହ ଦେଶର ମହାକାଶ ଯାତ୍ରାକୁ ସମ୍ମାନ ଦେବା ପାଇଁ ଅଗଷ୍ଟ ୨୩କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯାଉଛି। ଜାତୀୟ ମହାକାଶ ଦିବସ କେବଳ ଚନ୍ଦ୍ରଯାନ-୩ର ସଫଳତାକୁ ମନେ ପକାଇବାର ଦିନ ନୁହେଁ। ଦୈନନ୍ଦିନ ଜୀବନରେ ମହାକାଶ ବିଜ୍ଞାନର ଗୁରୁତ୍ୱକୁ ସାମ୍ନାକୁ ଆଣିବା ମଧ୍ୟ ଏହି ଦିବସର ଏକ ପ୍ରମୁଖ ଉଦ୍ଦେଶ୍ୟ। ଉପଗ୍ରହ ଯୋଗାଯୋଗ, ପାଣିପାଗ ପୂର୍ବାନୁମାନ, ବାତ୍ୟା ସତର୍କତା, କୃଷି, ମତ୍ସ୍ୟଚାଷ, ନାଭିଗେସନ୍, ବିପର୍ଯ୍ୟୟ ପରିଚାଳନା ଓ ପ୍ରାକୃତିକ ସମ୍ପଦ ନିରୀକ୍ଷଣ ଭଳି ଅନେକ କ୍ଷେତ୍ରରେ ମହାକାଶ ପ୍ରଯୁକ୍ତି ଆଜି ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ।

ଏହି ଦିବସର ଆଉ ଏକ ବଡ଼ ଲକ୍ଷ୍ୟ ହେଉଛି ଯୁବପିଢ଼ିକୁ ବିଜ୍ଞାନ, ଗବେଷଣା ଓ ମହାକାଶ ପ୍ରଯୁକ୍ତି ପ୍ରତି ଆକର୍ଷିତ କରିବା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଓ ନବସୃଜନର ମନୋଭାବ ବଢ଼ାଇବା ଦିଗରେ ମଧ୍ୟ ଏହି ଦିବସ ଗୁରୁତ୍ୱ ବହନ କରେ। ଚନ୍ଦ୍ରଯାନ-୩ର ସଫଳତା ପରେ ଭାରତର ମହାକାଶ ଆକାଂକ୍ଷା ଆହୁରି ବଢ଼ିଛି। ଚନ୍ଦ୍ର ଅନୁସନ୍ଧାନ ସହ ମାନବ ମହାକାଶ ଅଭିଯାନ, ନିଜସ୍ୱ ମହାକାଶ ଷ୍ଟେସନ୍ ଏବଂ ଭବିଷ୍ୟତରେ ଚନ୍ଦ୍ରପୃଷ୍ଠକୁ ଭାରତୀୟଙ୍କୁ ପଠାଇବା ଭଳି ବଡ଼ ଲକ୍ଷ୍ୟ ନେଇ ଦେଶ ଆଗକୁ ବଢ଼ୁଛି। ୨୦୩୫ ସୁଦ୍ଧା ପ୍ରସ୍ତାବିତ ‘ଭାରତୀୟ ଅନ୍ତରିକ୍ଷ ଷ୍ଟେସନ୍’ ଏବଂ ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ଭାରତୀୟଙ୍କୁ ପହଞ୍ଚାଇବା ଭଳି ଲକ୍ଷ୍ୟ ଦେଶର ମହାକାଶ ଯାତ୍ରାକୁ ଆହୁରି ରୋମାଞ୍ଚକର କରିଛି।

୨୦୧୯ରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ପ୍ରୟାସ ଆଶା ଅନୁଯାୟୀ ସଫଳ ହୋଇନଥିଲା। କିନ୍ତୁ ସେହି ବିଫଳତାରୁ ଶିକ୍ଷା ନେଇ ISROର ବୈଜ୍ଞାନିକମାନେ ଚନ୍ଦ୍ରଯାନ-୩କୁ ସଫଳ କରିଥିଲେ। ତେଣୁ ଅଗଷ୍ଟ ୨୩ କେବଳ ଭାରତର ଏକ ମହାକାଶ ବିଜୟର ତାରିଖ ନୁହେଁ; ଏହା ବିଫଳତାରୁ ଶିଖି ପୁଣି ଉଠି ଠିଆ ହେବା, ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିବା ଏବଂ ବିଶ୍ୱ ସମ୍ମୁଖରେ ନିଜ ବୈଜ୍ଞାନିକ କ୍ଷମତା ପ୍ରମାଣ କରିବାର ଏକ ପ୍ରେରଣାଦାୟକ ପ୍ରତୀକ। ଚନ୍ଦ୍ରଯାନ-୩ର ସଫଳତାର ତିନି ବର୍ଷ ପୂର୍ତ୍ତିରେ ଆଜି ସାରା ଦେଶ ଭାରତୀୟ ବୈଜ୍ଞାନିକଙ୍କ ଏହି ଐତିହାସିକ ସଫଳତାକୁ ସ୍ମରଣ କରୁଛି। ଚନ୍ଦ୍ରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଗାମୀ ଦିନରେ ଭାରତକୁ ମହାକାଶର ଆହୁରି ନୂଆ ଶିଖରରେ ପହଞ୍ଚାଇବାର ଆଶା ସୃଷ୍ଟି କରିଛି।