ଏସଆଇଆର୍ (SIR)କୁ ନେଇ ସବୁ ବିରୋଧୀ ଦଳଙ୍କ ଟାର୍ଗେଟରେ ଥିବା ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବେ ଆଉ ଏକ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଲାଗୁଛି SIR ପରେ ଜ୍ଞାନେଶଙ୍କ ପିଛା ଛାଡ଼ୁନି ବିବାଦ । ଏବେ ଜ୍ଞାନେଶ ଉପରେ ଲାଗିଛି ୨ କୋଟି ଟଙ୍କା ଲାଞ୍ଚ ମାଗିଥିବାର ଆରୋପ । ଯାହାର ଏବେ ତଦନ୍ତ ହେବ । କେରଳରେ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ନେଇ ଭିଜିଲାନ୍ସ ଆଣ୍ଡ ଆଣ୍ଟି କରପସନ ବ୍ୟୁରୋକୁ ପ୍ରାଥମିକ ତଦନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବେ ନାଁ ଏବେ ସବୁ ଆଡ଼େ ଚର୍ଚ୍ଚାରେ । ଏସଆଇଆର୍ (SIR)କୁ ନେଇ ବିରୋଧୀ ଇସ୍ତଫା ମାଗୁଥିବା ବେଳେ ଏବେ ସେ ଆଉ ଏକ ବିବାଦରେ ଛନ୍ଦି ହୋଇଛନ୍ତି । ସଡ଼କ ନିର୍ମାଣ ପ୍ରକଳ୍ପରେ ୨ କୋଟି ଟଙ୍କା ଲାଞ୍ଚ ମାଗିଥିବାର ଅଭିଯୋଗ ଜ୍ଞାନେଶ କୁମାରଙ୍କ ନାଁ ରେ ଆସିଛି । ଅଭିଯୋଗ ଆସିବା ପରେ ଜ୍ଞାନେଶଙ୍କ ବିରୋଧରେ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । କେରଳର ଗୃହମନ୍ତ୍ରୀ ରମେଶ ଚେନ୍ନିଥଲା ଜଣେ ପୂର୍ବତନ ଠିକାଦାରଙ୍କ ଅଭିଯୋଗ ଆଧାରରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗ ଅନୁସାରେ, ପ୍ରାୟ ୨୦ ବର୍ଷ ପୁରୁଣା ଏକ ସଡ଼କ ନିର୍ମାଣ ପ୍ରକଳ୍ପରେ ୨ କୋଟି ଟଙ୍କା ଲାଞ୍ଚ ମାଗିଥିଲେ ଜ୍ଞାନେଶ । ସେହି ସମୟରେ ଜ୍ଞାନେଶ କୁମାର କେରଳରେ ଲୋକ ନିର୍ମାଣ ବିଭାଗ (PWD)ର ସଚିବ ଭାବେ କାର୍ଯ୍ୟରତ ଥିଲେ। ଆଉ ସେହି ସମୟରେ ୧୭ କୋଟି ଟଙ୍କାର ବିଲ୍ ପାଇଁ ୨ କୋଟି ଟଙ୍କାର ଲାଞ୍ଚ ମାଗିଥିଲେ!
ଏହି ଘଟଣା କେରଳ ଷ୍ଟେଟ୍ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟ ଅଧୀନରେ ହୋଇଥିବା ସଡ଼କ ନିର୍ମାଣ କାମ ସହ ଜଡ଼ିତ। କୋଲ୍ଲମ ଜିଲ୍ଲାର ଚାଦୟାମଙ୍ଗଲମ ଅଞ୍ଚଳର ପୂର୍ବତନ ଠିକାଦାର ସାଜନ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ନିକଟରେ ଏକ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ପ୍ରକଳ୍ପର କାମ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ଠିକାଦାରଙ୍କ ପ୍ରାପ୍ୟ ଟଙ୍କା ପ୍ରଦାନ କରାଯାଉନଥିଲା। ଇଞ୍ଜିନିୟରମାନେ ପ୍ରାୟ ୧୭ କୋଟି ଟଙ୍କାର ବିଲ୍ ମଞ୍ଜୁର କରିଥିଲେ ମଧ୍ୟ ପେମେଣ୍ଟ ଚେକ୍ ଜାରି ହେଉନଥିଲା। ତତ୍କାଳୀନ PWD ସଚିବ ଜ୍ଞାନେଶ କୁମାର ପେମେଣ୍ଟ ଜାରି କରିବା ପାଇଁ ୨ କୋଟି ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଛି। ତେବେ କମ୍ପାନୀ ଅଧିକାରୀମାନେ ଲାଞ୍ଚ ଦେବାକୁ ମନା କରିଥିବା ଅଭିଯୋଗକାରୀ କହିଛନ୍ତି।
ତେବେ ଜ୍ଞାନେଶଙ୍କୁ ଏହି ଘଟଣା ସହ ଯୋଡ଼ା ଯିବାର ଆଉ ଏକ ବଡ଼ କାରଣ ମଧ୍ୟ ରହିଛି । ଏହି ଅଭିଯୋଗରେ ୨୦୦୬ ମସିହାରେ କମ୍ପାନୀର ପ୍ରୋଜେକ୍ଟ ଇଞ୍ଜିନିୟର ଲି ସି ବିନ୍ଙ୍କ ଆତ୍ମହତ୍ୟା ଘଟଣାକୁ ମଧ୍ୟ ଉଠାଯାଇଛି। ଆତ୍ମହତ୍ୟା ପୂର୍ବରୁ ସେ ଲେଖିଥିବା କଥିତ ସୁଇସାଇଡ୍ ନୋଟ୍ରେ ଜ୍ଞାନେଶ କୁମାରଙ୍କ ଭୂମିକା ସମ୍ପର୍କରେ ଉଲ୍ଲେଖ ଥିବା ଠିକାଦାର ସାଜନ ଦାବି କରିଛନ୍ତି। ପେମେଣ୍ଟରେ ବିଳମ୍ବ ଯୋଗୁଁ କମ୍ପାନୀର ଠିକାଦାର ଏବଂ ଶ୍ରମିକମାନେ ଆର୍ଥିକ ସମସ୍ୟାରେ ପଡ଼ିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ମାମଲାରେ ଲି ସି ବିନ୍ଙ୍କ ପରିବାର ସଦସ୍ୟ ଏବଂ କମ୍ପାନୀର ପୂର୍ବତନ କର୍ମଚାରୀଙ୍କ ବୟାନ ରେକର୍ଡ କରିବାକୁ ଅଭିଯୋଗକାରୀ ଦାବି କରିଛନ୍ତି। ତେବେ ଏହି ଘଟଣା ସତ୍ୟାସତ କେତେ ସତରେ ଜ୍ଞାନେଶ କୁମାର 2 କୋଟି ଲାଞ୍ଚ ନେଇଛନ୍ତି ନା ନାହିଁ ତାହା ତଦନ୍ତ ପରେ ହିଁ ସ୍ପଷ୍ଠ ହେବ ।
