Odia News Portal

ବିଜେଡ଼ିର ଗଡ଼ ନୟାଗଡ଼, ଜାଣନ୍ତୁ ରାଜନୀତିର ଭିତିରି କଥା

ଭୁବନେଶ୍ୱର: ରାଜ୍ୟରେ ଶାସକ ଦଳ ବିଜେଡ଼ି ନିଜର ଦବଦବା ଜାରି ରଖିଛି । ନବୀନଙ୍କ ଗୁଗଲୀ ଆଗରେ ବୋଲ୍ଡ ହେଉଛନ୍ତି ବିରୋଧୀ । ତେବେ ନୟାଗଡ଼ ଜିଲ୍ଲାରେ ବିଜେଡ଼ି ବାରମ୍ବାର ବିଜୟ ହୋଇ ଆସୁଛି । ଜିଲ୍ଲାର ୪ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜୟ ବାନା ଉଡ଼ାଇ ଆସୁଛି ବିଜେଡ଼ି । ନେତା ପରିବର୍ତ୍ତନ ହୋଇଛନ୍ତି କିନ୍ତୁ ଦଳ ବିଜୟ ହୋଇଛି । ତେବେ ନୟଗାଡ଼ ଜିଲ୍ଲାକୁ ବିଜେଡ଼ିର ଗଡ଼ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ନୟାଗଡ଼ ଜିଲ୍ଲାର ୪ଟି ବିଧାନସଭା ଆସନ ରହିଛି । ନୟାଗଡ଼, ଦଶପଲ୍ଲା, ଖଣ୍ଡପଡ଼ା ଏବଂ ରଣପୁର । ୪ଟି ନିର୍ବାଚନ ମଣ୍ଡଳୀ ୩ଟି ଅଲଗା ଅଲଗା ସଂସଦୀ କ୍ଷେତ୍ରରେ ଯାଉଛି । ନୟାଗଡ଼ ଓ ରଣପୁର ପୁରୀ ସଂସଦୀୟ କ୍ଷେତ୍ରରେ ଯାଉଥିବା ବେଳେ ଦଶପଲ୍ଲା କନ୍ଧମାଳ ସଂସଦୀୟ କ୍ଷେତ୍ର ଓ ଖଣ୍ଡପଡ଼ା କଟକ ସଂସଦୀୟ ୍ଧତ୍ରରେ ଯାଉଛି । ମାତ୍ର ଏହି ୪ଟି ଯାକ ଆସନରେ ବିଜେଡ଼ି ଲଗାତାର ଭାବେ ବିଜୟ ହୋଇ ଆସୁଛି । ଯଦିଓ ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବଦଳିଛନ୍ତି ମାତ୍ର ଦଳର ବିଜୟଧାରା ଜାରି ରହିଛି । ତେବେ ଆମେ ପ୍ରଥମେ ନଜର ପକାଇବା ନୟାଗଡ଼ ଆସନ ଉପରେ ।

ନୟାଗଡ଼:
ଜିଲ୍ଲାର ଘରେ ଘରେ ଜଣାଶୁଣା ନେତା ବେଶ ପରିଚିତ ଥିଲେ ଦିବଙ୍ଗତ ନେତା ଭାଗବତ ବେହେରା । ୯୦ ଦଶକରେ ରାଜ୍ୟ ରାଜନୀତିର ମଧ୍ୟ ତାଙ୍କର ବେଶ ଖ୍ୟାତି ଥିଲା । ପୁରୀ ଜିଲ୍ଲାରୁ ଅଲଗା ହୋଇ ନୟାଗଡ଼ ଜିଲ୍ଲା ଗଠନରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ତେବେ କଂଗ୍ରେସର ଶାସନ କାଳରେ ମଧ୍ୟ ଜନତା ଦଳର ସେ ଥିଲେ ଆଗ ଧାଡ଼ିର ନେତା । ପ୍ରଥମେ ସେ ସୋସିଆଲିଷ୍ଟ ପାର୍ଟି ପକ୍ଷରୁ ୧୯୭୪ରେ ବିଜୟୀ ହୋଇଥିଲେ । ଏହାପରେ ଜନତା ଦଳରେ ଯୋଗ ଦେଇ ୧୯୭୭ରେ ମଧ୍ୟ ବିଜୟୀ ହୋଇଥିଲେ । ୧୯୮୫ ଓ ୧୯୯୦ ମସିହାରେ ମଧ୍ୟ ଜନତା ଦଳ ପକ୍ଷରୁ ବିଜୟୀ ହୋଇଥିଲେ । ଏହାପରେ ପୁଣିଥରେ କଂଗ୍ରେସ ହାତୁ ଚାଲିଯାଇଥିଲା ଏହି ଆସନ । ୧୯୯୫ରେ ସିତାକାନ୍ତ ମିଶ୍ରଙ୍କ ବିଜୟ ହୋଇଥିଲେ । ତେବେ ବିଜେଡି ଗଠନ ହେବା ପରେ ୨ହଜାର ମସିହାରେ ପୁଣିଥରେ ଟିକେଟ ପାଇଥିଲେ ଭାଗବତ ବେହେରା । ଆଉ ବିଜୟର ବାନା ମଧ୍ୟ ଉଡାଇଥିଲେ । ତେବେ ୨୦୦୨ ମସିହାରେ ତାଙ୍କର ବିୟୋଗ ହୋଇଥିଲା । ୨୦୦୨ ମସିହାରେ ନୟାଗଡ଼ ଆସନରେ ହୋଇଥିଲା ଉପନିର୍ବାଚନ । ୨୦୦୨ ମସିହାରେ ତାଙ୍କ ଧର୍ମପତ୍ନୀ ମନ୍ଦାକିନି ବେହେରା ଉପନିର୍ବାଚନରେ ବିଜୟ ହୋଇଥିଲେ । ତେବେ ୨୦୦୪ ସାଧାରଣ ନିର୍ବାଚନରେ ତାଙ୍କୁ ଟିକେଟ ମିଳି ନଥିଲା । ତାଙ୍କ ସ୍ଥାନରେ ପ୍ରଥମ ଥର ଲାଗି ନୟାଗଡ଼ ଆସନ ଲାଗି ଏବେକାର ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଅରୁଣ ସାହୁଙ୍କୁ ଟିକେଟ ଦେଇଥିଲା ଦେଇଥିଲା ଦଳ । ଯୁବ ନେତା ଭାବରେ ତାଙ୍କ ମଧ୍ୟ ସେ ସମୟରେ ବେଶ ଖ୍ୟାତି ଥିଲା ଅରୁଣଙ୍କର । ଆଉ ଏହାପରେ ୨୦୦୪, ୨୦୦୯, ୨୦୧୪ ଏବଂ ୨୦୧୯ରେ ଲଗାତାର ଭାବେ ଚତୁର୍ଥ ଥର ଲାଗି ବିଜୟ ହୋଇଥିଲେ । ଆଉ ଏହି ଆସନରେ ବିଜେଡ଼ି ବିଜୟଧାରା ଜାରି ରଖିଛନ୍ତି ।

ଦଶପଲ୍ଲା:

ଏହାପରେ ଆମେ ନଜର ପକାଇବା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଉପରେ । ୨୦୦୯ ମସିହାରୁ ଏଠାରେ ବିଜେଡ଼ି ନିଜର ଗଡ଼କୁ ବଜାୟ ରଖିଛି । ଏକଦା କଂଗ୍ରେସର ଗଡ଼ କୁହାଯାଉଥିଲା ଏହି ଦଶପଲ୍ଲା ନିର୍ବାଚନ ମଣ୍ଡଳୀକୁ । ବରିଷ୍ଟ ଦିବଙ୍ଗତ ନେତା ହରିହର କରଣ ଏଠାରେ ବିଜୟ ହୋଇ ଆସୁଥିଲେ । ଜନତା ଦଳର ଦିବଙ୍ଗତ ନେତା ରୁଦ୍ରମାଧବ ରାୟଙ୍କୁ ୨୦୦୪ ମସିହାରେ ବିଜେଡି ଟିକେଟ ଦେଇନଥିଲା । ତେବେ ସେ ସ୍ୱାଧୀନ ଭାବରେ ନିର୍ବାଚନ ଲଢ଼ି ବିଜୟ ହୋଇଥିଲେ । ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ତାଙ୍କର ବେଶ ଦବଦବା ଥିଲା । ତେବେ ୨୦୦୯ ମସିହାରେ ତାଙ୍କୁ କନ୍ଧମାଳ ସାଂସଦ ଭାବେ ଟିକେଟ ଦେଇଥିଲା ଦଳ । ଆଉ ଦଶପଲ୍ଲା ଆସନରେ ପ୍ରଥମଥର ଲାଗି ଟିକେଟ ପାଇଥିଲେ କାଶିନାଥ ମଲ୍ଲିକ । ସେ ବିପୁଳ ଭୋଟରେ ବିଜୟ ହୋଇଥିଲା । ଏହାପରେ ୨୦୧୪ ନିର୍ବାଚନରେ ଦିବଙ୍ଗତ ନେତା ସାହେବ ନାଏକଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ନାଏକ ବିଜେଡ଼ି ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ । ସେ ମଧ୍ୟ ବାପାଙ୍କ ଅନୁକମ୍ପା ଓ ବିଜେଡ଼ି ଭୋଟ ବ୍ୟାଙ୍କ ଲାଗି ବିଜୟୀ ହୋଇଥିଲେ । ଏହାପରେ ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ଶେଷରେ ସେ ବାଧ୍ୟହୋଇ ବିଜେପିରେ ଯୋଗ ଦେଇ ନିର୍ବାଚନ ଲଢ଼ିଥିଲେ । ମାତ୍ର ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ରମେଶ ଚନ୍ଦ୍ର ବେହେରା । ଯିଏକି ସରକାରୀ ଚାକିରୀ ଛାଡ଼ି ରାଜନୀତି ମଇଦାନ ଓହ୍ଲାଇଥିଲେ । ପ୍ରଥମଥର ନିର୍ବାଚନ ମଇଦାନରେ ବିଜେଡି ଟିକେଟ ପାଇ ବିଜୟ ସ୍ୱାଦ ମଧ୍ୟ ଚାଖିଛନ୍ତି । ଜିଲ୍ଲା ବିଜେଡ଼ି ସଭାପତି ହେବା ପରେ ସେ ସଂଗଠନ ସୁଦୃଢ଼ କରି ରଖିଛନ୍ତି । ତେବେ ୨୦୦୯ ମସିହାରୁ ଏଯାବତ ବିଜେଡ଼ି ଏଠାରେ ନିଜର ଗଡ଼ ବଜାୟ ରଖିଛି ।

ରଣପୁର:
ଯଦି ଆମେ ଏହି ଆସନ କଥା କହିବା ତେବେ ବିଜେଡି ଏଠାରେ ୨୦୦୯ ମସିହାରୁ ନିଜର ଗଡ଼ ବଜାଇ ରଖିଛି । ୨୦୦୪ ମସିହାରେ ବିଜେପିର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀ ଏହି ଆସନରେ ବିଜୟୀ ହୋଇଥିଲେ । ତେବେ ସେ ୨୦୦୯ରେ ପୁଣିଥରେ ବିଜୟ ହେବେ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଇଥିଲେ । ମାତ୍ର ସବୁ ଗଣିତ ଭୁଲ ହୋଇଯାଇଥିଲା । ୨୦୦୯ ସାଧାରଣ ନିର୍ବାଚନରେ ଏଠାରେ ବିଜେଡ଼ି ଟିକେଟ ପାଇଥିଲେ ସତ୍ୟନାରାୟଣ ପ୍ରଧାନ । ସୁରମାଙ୍କ ଗେଟି ଚାଳନାକୁ ବାଦ ଦେଇ ସେ ବିଜୟର ବାନା ଉଡ଼ାଇଥିଲେ । ବିଜେପିକୁ ବିପୁଳ ପରିମାଣରେ ହରାଇ ପ୍ରଥମଥର ଲାଗି ରଣପୁରରେ ଶଙ୍ଖର ବିଜୟ ସ୍ୱର ଶୁଭିଥିଲା । ଏହାପରେ ୨୦୧୪ ସାଧାରଣ ନିର୍ବାଚନରେ ସତ୍ୟ ନାରାୟଣଙ୍କ ବଦଳରେ ରବିନାରାୟଣ ମହାପାତ୍ରଙ୍କୁ ଭରଷା କରି ଟିକେଟ ଦେଇଥିଲା ଦଳ । ନୂଆ ପ୍ରାର୍ଥୀ ବିଜୟ ଆଶା କମ ରଖାଯାଇଥିଲା । ମାତ୍ର ସେସବୁକୁ ଭୁଲ ପ୍ରମାଣିତ କରିଥିଲେ ରବି । ଆଉ ରଣପୁର ଆସନରେ ରବି ଉଦୟ ହୋଇ ଦେଖାଇଥିଲେ ପ୍ରଖର ତେଜ । ମାତ୍ର ୨୦୧୯ ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା । ତାଙ୍କ ସ୍ଥାନରେ ଦଳ ପୁଣିଥରେ ସତ୍ୟନାରାୟଣଙ୍କୁ ଦେଇଥିଲା । ଦଳର ସମସ୍ତ ଆଶା ବିଶ୍ୱାସରେ ଟିକେଟ ପାଇ ନିର୍ବାଚନ ଲଢ଼ିଥିବା ସତ୍ୟ ନାରାୟଣ ଦ୍ୱିତୀୟଥର ଲାଗି ଏହି ଆସନରେ ବିଜୟୀ ହୋଇଥିଲେ । ତେବେ ୨୦୦୯ରୁ ଏଯାବତ ଏହି ଆସନ ବିଜେଡ଼ି ହାତରେ ରହିଛି ।

ଖଣ୍ଡପଡ଼ା:
୨ହଜାର ମସିହାରେ ଏଠାରେ ପ୍ରଥମେ ବିଜେଡ଼ି ବିଜୟ ହୋଇଥିଲା । ବିଜୟଲକ୍ଷ୍ମୀ ପଟ୍ଟନାୟକ ଏହି ଆସନରେ ବିଜେଡ଼ିକୁ ପ୍ରଥମ ବିଜୟ ଭେଟି ଦେଇଥିଲେ । ତେବେ ୨୦୦୪ ମସିହାରେ ଦଳ ତାଙ୍କୁ ଟିକେଟ ଦେଇନଥିଲା । ତେବେ ସେ ସ୍ୱାଧିନ ଭାବେ ନିର୍ବାଚନ ଲଢ଼ି ଏଠାରେ ଦ୍ୱିତୀୟଥର ଲାଗି ବିଜୟୀ ହୋଇଥିଲେ । ଏହାପରେ ୨୦୦୯ ମସିହାରେ ସିଦ୍ଧାର୍ଥ ଶେଖର ସିଂଙ୍କୁ ଦଳ ଟିକେଟ ଦେଇଥିଲା । ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ତଥା ସେହି ସମୟରେ କଂଗ୍ରେସ ଟାଣୁଅାଁ ନେତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଏହି ଆସନରେ ଲଢ଼ୁଥିଲେ । ମାତ୍ର ତାଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ସିଦ୍ଧାର୍ଥ । ଏହାପରେ ୨୦୧୪ ମସିହାରେ ଦଳ ତାଙ୍କ ସ୍ଥାନରେ ବିଜୟଲକ୍ଷ୍ମୀଙ୍କ ସୁପୁତ୍ର ଅନୁଭବ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା । ଏହି ସମୟରେ ସୌମ୍ୟ କଂଗ୍ରେସରୁ ବାହାରି ଆମ ଓଡ଼ିଶା ନାମରେ ଏକ ଦଳ ଗଠନ କରିଥିଲେ । ସେ ଏଥରକ ନିଶ୍ଚିନ୍ତ ବିଜୟ ହେବେ ବୋଲି ଆଗୁଆ ପ୍ରଚାର ମଧ୍ୟ ହୋଇଥିଲା । ଏପରିକି ଖଣ୍ଡପଡ଼ାରେ ଆଗୁଆ ବାଣ କିଣି ରଖିଥିଲେ ସୌମ୍ୟଙ୍କ ସମର୍ଥକ । ଏହିବର୍ଷ ଆମ ଓଡ଼ିଶା ଓ ବିଜେଡ଼ି ମଧ୍ୟରେ ଏଠାରେ ଘମାଘୋଟ ଲଢ଼େଇ ହୋଇଥିଲା । ମାତ୍ର ଅଳ୍ପ ଭୋଟରେ ବିଜୟ ହୋଇଥିଲେ ବିଜେଡି ପ୍ରାଥୀ ଅନୁଭବ ପଟ୍ଟନାୟକ । ସେପଟେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ଶିବିରରେ ଶଙ୍ଖ ଧରିଥିଲେ ସୌମ୍ୟ । ତାଙ୍କୁ ରାଜ୍ୟସଭା ସାଂସଦ ଭାବେ ଦଳ ପଠାଇଥିଲା । ଏଣୁ ଏଠାରେ ଅନୁଭବ ପୁଣିଥରେ ଟିକେଟ ପାଇବେ ବୋଲି ଆଶା ରଖାଯାଇଥିଲା । ମାତ୍ର ସବୁ ଆଶା ଆଶାରେ ହିଁ ରହିଯାଇଥିଲା । ଦଳ ଏଠାରେ ସୌମ୍ୟଙ୍କ ଉପରେ ଭରଷା କରି ଟିକେଟ ଦେଇଥିଲା । ଆଉ ସୌମ୍ୟରଞ୍ଜନ ମଧ୍ୟ ଦଳର ଆଶା ବିଶ୍ୱାସର ସହ ବିରାଟ ବିଜୟୀ ହୋଇଥିଲେ । ସୌମ୍ୟଙ୍କ ବିଜୟ ରେକର୍ଡ ହୋଇଥିଲା । ଆଉ ସେ ପ୍ରଥମ ଥର ଲାଗି ବିଜେଡି ଟିକେଟରେ ବିଜୟ ହୋଇ ବିଧାନସଭାକୁ ଯାଇଥିଲେ । ତେବେ ଏହି ଆସନରେ ବିଜେଡ଼ି ୨୦୦୯ ମସିହାରୁ ଲଗାତାର ଭାବେ ବିଜୟି ହୋଇଆସିଛି ।

ନୟାଗଡ଼ ଜିଲ୍ଲାର ୪ଟି ଯାକ ଆସନରେ ଯଦି କହିବା ୨୦୦୯ ମସିହାରୁ ବିଜେଡି ଲଗାତାର ଭାବେ ବିଜୟ ହୋଇ ଆସିଛି । ଯଦିଓ ୪ଟି ଯାକ ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ, ତଥାପି ବିଜେଡି ବିଜୟ ହୋଇ ଆସିଛି । ନମ୍ବର ୱାନ ମୁଖ୍ୟମନ୍ତ୍ରୀ ବୋଲାଉଥିବା ନବୀନଙ୍କ ଲୋକପ୍ରିୟତା ଓ ଦଳୀୟ କର୍ମୀଙ୍କ ଦୃଢ଼ ସଂଗଠନ ଲାଗି ନୟାଗଡ଼ ଜିଲ୍ଲାରେ ଦଳ ଗଡ଼ ବଜାଇ ରଖିଛି ।