Odia News Portal

ପରୀ ମୃତ୍ୟୁ ମାମଲାର କେନ୍ଦ୍ରୀୟ ତଦନ୍ତ ସୁପାରିସ ପାଇଁ ଏନସିପିସିଆର ପରାମର୍ଶ

ପରୀ ମୃତ୍ୟୁ ମାମଲାରେ ଅସନ୍ତୋଷ ପ୍ରକାଶ କଲେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ବା ଏନସିପିସିଆର । ପରୀ ମୃତ୍ୟୁ ପରେ କରାଯାଇଥିବା ପ୍ରାଥମିକ ତଦନ୍ତରେ ତ୍ରୁଟି ଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏନସିପିସିଆର ।ଏ ନେଇ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତ ସୁପାରିସ କରନ୍ତୁ ବୋଲି ଏନସିପିସିଆର ପରାମର୍ଶ ଦେଇଛନ୍ତି । ଏନସିପିସିଆର କହିଛନ୍ତି ଯେ ତଦନ୍ତକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଯେଉଁ ଅଧିକାରୀ ତଦନ୍ତରେ ତ୍ରୁଟି କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି । ମାମଲାର ଗୁରୁତ୍ୱକୁ ଦେଇ କୌଣସି ଏକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହି ମାମଲାର ଯାଞ୍ଚ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରୀଶ କରି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ପରୀ ହତ୍ୟା ମାମଲାରେ ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ-ଏନ୍‌ସିପିସିଆରଙ୍କ ନିକଟରେ ହାଜର ହୋଇଥିଲେ।

ଭିଡିଓ କନଫରେନ୍ସିଂ ଜରିଆରେ ଦୁଇ ଅଧିକାରୀ ଘଟଣା ନେଇ ନିଜର ଜବାବ ରଖିଥିଲେ। ଉଭୟ ଅଧିକାରୀଙ୍କୁ ହାଜର ହେବା ଲାଗି ଏନସିପିସିଆର ନୋଟିସ କରିଥିଲେ। ନଭେମ୍ବର ୩୦ରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏନ୍‌ସିପିସିଆର ଅଧ୍ୟକ୍ଷ ପ୍ରିୟାଙ୍କ କାନୁନଗୋଙ୍କୁ ଭେଟି ପରୀ ହତ୍ୟାର ତଦନ୍ତ ନେଇ ଦାବି କରିଥିଲେ।ଏନ୍‌ସିପିସିଆର ପ୍ରତ୍ୟେକ୍ଷ ଭାବେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହ ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ସମନ କରିବାକୁ ମଧ୍ୟ ଦାବି କରିଥିଲେ। ଏହାପରେ ଏନ୍‌ସିପିସିଆର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।