Odia News Portal

ଟ୍ୱିନ୍ ସିଟିରେ ଜିରୋ ନାଇଟ୍ ସେଲିବ୍ରେସନକୁ ନା’

ଭୁବନେଶ୍ୱର: ସଂକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ଜିରୋ ନାଇଟ୍ ସେଲିବ୍ରେସନ୍ ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ବିଶେଷକରି ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରରେ କଡା ସୁରକ୍ଷାର ବନ୍ଦୋବସ୍ତ କରିଛି କମିଶନରେଟ ପୁଲିସ । କଟକ ଏବଂ ଭୁବନେଶ୍ୱରରେ ଥିବା ହୋଟେଲ୍, ପବ୍, ମଣ୍ଡପ ଏବଂ ବାର ଗୁଡିକ ପୁଲିସ ନଜରରେ ରହିବ |

ଏହି ସବୁ ସ୍ଥାନରେ ଜିରୋ ନାଇଟ୍ ସେଲିବ୍ରେସନ ବ୍ୟାନ୍ କରାଯାଇଥିବା ବେଳେ ଗୋଟିଏ ଜାଗାରେ ଯେପରି ସେଲିବ୍ରେସନ ବା ଗହଳି ନହୁଏ ତା’ ଉପରେ କଡା ନଜର ରଖିବ କମିଶନରେଟ ପୁଲିସ । ଟ୍ୱିନ୍ ସିଟିରେ ଥିବା ସମସ୍ତ ଥାନା ଗୁଡିକୁ ଏଥିପାଇଁ ଆଲର୍ଟ ରହିବା ପାଇଁ ପୁଲିସ କମିଶନର ନିର୍ଦେଶ ଦେଇଛନ୍ତି । ମଦୁଆ ଗାଡ଼ି ଚାଳକ ଓ ଅମାନିଆଙ୍କୁୁ ସାବାଡ କରିବା ପାଇଁ ବିଭିନ୍ନ ଛକରେ ପାଟ୍ରୋଲିଂ ବ୍ୟବସ୍ଥା କରାଯିବ । ପାଟ୍ରୋଲିଂ ଦାୟିତ୍ୱରେ ଆଇଆଇସି, ଏସିପି, ଆଡିସନାଲ ଡିସିପି, ଡିସିପି ରହିବେ । ନିୟମ ଖିଲାପକାରୀ ବିରୋଧରେ ଘଟଣାସ୍ଥଳରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ରାଜଧାନୀରେ କରୋନା କଟକଣା ଅନୁଯାୟୀ,ଅମାନିଆଙ୍କୁ ସାବାଡ଼ ପାଇଁ ଭୁବନେଶ୍ୱରରେ ପାଖାପାଖି ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ହୋଟେଲ ଏବଂ କ୍ଲବ ଗୁଡିକରେ ସରପ୍ରାଇଜ୍ ଚେକିଂ କରାଯିବ । ୩୧ ତାରିଖ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂକୁ କଡାକଡି କରାଯାଇଛି । କଟକରେ ୩୧ ତାରିଖ ଏବଂ ୧ ତାରିଖରେ ୨୫ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ |୪୦ ଅଫିସର ପୁରା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ| ସେହିପରି ରାସ୍ତା ଉପରେ ଲୋକେ କିପରି ଏକାଠି ନ ହେବେ ତା ଉପରେ ନଜର ରଖିବେ ଥାନା ଅଧିକାରୀ | ତେବେ କଟକଣାକୁ ଦୃଷ୍ଟିରେ ରଖି ଗଳିକନ୍ଦିରେ ମୁତୟନ ହେବ ପିସିଆର ଭ୍ୟାନ |