Odia News Portal

ନେତାଙ୍କ ଘରେ ଫାଟ, ବିଧାନସଭା ଆସିବାକୁ ପୁଅମାନେ ସଜବାଜ

ଭୁବନେଶ୍ୱର : ଓଡିଶା ବିଧାନସଭାକୁ ଜଣକ ପରେ ଜଣେ ବିଧାୟକଙ୍କ ପୁତ୍ର ପ୍ରବେଶ କରିବାପରେ ଆଉ କିଛି ବିଧାୟକ ଆଶାୟୀ ପୁତ୍ର ପିତା ମାନଙ୍କ ଉପରେ ଚାପ ପକାଇବାରେ ଲାଗିଛନ୍ତି । ଆସନ୍ତା ନିର୍ବାଚନରେ ଯେମିତି ହେଲେ ସେମାନଙ୍କୁ ବିଧାନସଭାକୁ ପଠାଇବାପାଇଁ ଜିଦ୍‍ ଧରିଲେଣି । ଏହାକୁ ନେଇ କେତେକ ବରିଷ୍ଠ ବିଧାୟକଙ୍କ ଘରେ ଅସନ୍ତୋଷ କୁହୁଳିବା ଆରମ୍ଭ କରିଥିବାର ସୂଚନା ମିଳୁଛି ।

ନିକଟରେ ଅନୁଷ୍ଠିତ ଉପନିର୍ବାଚନରେ ଦୁଇ ଜଣ ବିଧାୟକପୁତ୍ର ବିଧାନସଭାକୁ ପ୍ରବେଶ କରିଛନ୍ତି । ଏମାନେ ହେଲେ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ପୁତ୍ର ବିଜୟ ଶଙ୍କର ଦାସ ଓ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ପ୍ରସାଦ ମହାରଥୀ । ଅବଶ୍ୟ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତ ବାଲେଶ୍ୱର ଆସନରୁ ବିଧାନସଭାକୁ ଆସିବାରେ ଅଳ୍ପକେ ବଞ୍ଚିତ ହୋଇଥିଲେ । ତେବେ ଦୁଇ ଜଣ ପୂର୍ବତନ ବିଧାୟକଙ୍କ ପୁତ୍ର ବିଧାନସଭାକୁ ଆସିବାପରେ ବିଧାୟକପୁତ୍ରଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଗତ ବିଧାନସଭା ନିର୍ବାଚନରେ ଚାନ୍ଦବାଲି ଆସନରୁ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ, ଚୌଦ୍ୱାର-କଟକ ଅସନରୁ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ, ପାରାଦୀପ ଆସନରୁ ପୂର୍ବତନ ବିଦାୟକ ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ, ବାଙ୍କି ଆସନରୁ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁତ୍ର ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ବିଧାନସଭାକୁ ଆସିଥିଲେ । ଏହା ପୂର୍ବରୁ ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଘଡାଇଙ୍କ ପୁଅ ପ୍ରୀତି ରଞ୍ଜନ ଘଡାଇ, କଳ୍ପତରୁ ଦାସଙ୍କ ପୁଅ ପ୍ରଣବ ବଳବନ୍ତରାୟ, ପୂର୍ବତନ ବିଧାୟକ ଅଶୋକ ଦାସଙ୍କ ପୁତ୍ର ପ୍ରଣବ ପ୍ରକାଶ ଦାସ, ପୂର୍ବତନ ବିଧାୟକ ପର୍ଶୁରାମ ପାଣିଗ୍ରାହୀଙ୍କ ପୁତ୍ର ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତନ ବିଧାୟକ ଆନନ୍ଦ ଆଚର୍ଯ୍ୟଙ୍କ ପୁତ୍ର ଦେବେଶ ଆଚାର୍ଯ୍ୟ ପ୍ରମୁଖ ବିଧାନସଭାକୁ ଆସିଛନ୍ତି । ଏମାନଙ୍କ ମଧ୍ୟରୁ ଶ୍ରୀ ପାଣିଗ୍ରାହୀ ଏବେ ମନ୍ତ୍ରୀ ଅଛନ୍ତି । ସେହିଭଳି ପୂର୍ବତନ ମନ୍ତ୍ରୀ ରମେଶ ମାଝି ଲୋକସଭାକୁ ଯିବାପରେ ତାଙ୍କ ଭାଇଙ୍କୁ ବିଧାନସଭାକୁ ପଠାଇଛନ୍ତି ।

ଏମାନଙ୍କୁ ଦେଖି ଏବେ ଆଉ କିଛି ବିଧାୟକଙ୍କ ପୁତ୍ର ବିଧାନସଭା ଆସିବାକୁ ପାଗ ଭିଡିଛନ୍ତି । ଯେମିତି ହେଲେ ସେମାନେ ୨୦୨୪ ର୍ନିବାଚନରେ ବିଧାନସଭାକୁ ଯିବା ଆବଶ୍ୟକ ବୋଲି ନିଜ ନିଜ ପିତାଙ୍କୁ ଜଣାଇ ସାରିଲେଣି । ଅବଶ୍ୟ ପୁତ୍ରମାନଙ୍କ ଠାରୁ ସୂଚନା ପାଇବାପରେ ଅନେକ ପିତା ଏବେ ବାନପ୍ରସ୍ଥ ପାଇଁ ସଜବାଜ ହେଉଥିବାବେଳେ ଆଉ କିଛି ଏବେ ବି କ୍ଷମତାର ମୋହ ଛାଡିପାରୁ ନାହାନ୍ତି । ଏଥିପାଇଁ କିଛି ବିଧାୟକ ଓ ମନ୍ତ୍ରୀଙ୍କ ପରିବାରରେ ଏବେ ଅଶାନ୍ତି । କାରଣ ଏହି ମନ୍ତ୍ରୀ ଓ ବିଧାୟକମାନେ କ୍ଷମତା ଛାଡିବାକୁ ନାରାଜ । ଅନେକ ବି ନିଜ ନିଜ ପିଲାଙ୍କ ଦକ୍ଷତାକୁ ନେଇ ସନ୍ଦିହାନ ଅଛନ୍ତି ।

ଏଭଳି ସ୍ଥିତିରେ ନିର୍ବାଚନ ଯେତିକି ପାଖେଇ ଆସୁଛନ୍ତି ଏବେ ବିଧାୟକ ପୁତ୍ରମାନେ ସେତେ ପରିମାଣରେ ସକ୍ରିୟ ହୋଇ ଉଠିବା ସହିତ ପିତାଙ୍କ ଉପରେ ଚାପ ବଢାଇବାରେ ଲାଗିଛନ୍ତି । ଉଭୟ ଶାସକ ଓ ବିରୋଧିଦଳରେ ଏଭଳି ଅବସ୍ଥା ଦିନକୁ ଦିନ ଜଟିଳ ହେଉଛି । ଯଦି ପିତା-ପୁତ୍ର ଏକ ମନ ନହୁଅନ୍ତି ତେବେ ଆଗାମୀ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଅନେକ ବରିଷ୍ଠ ନେତାଙ୍କ ପରିବାରରେ ବଡ ଧରଣର ଫାଟ ଦେଖାଦେବ ବୋଲି ଏବେ ଠାରୁ ଆଲୋଚନା ହେଉଛି । ତେବେ ଏ କ୍ଷେତ୍ରରେ ଉପକୂଳିଆ ନେତାଙ୍କ ପୁଅମାନେ ଆଗରେ ଥିବା ଲକ୍ଷ୍ୟ କରାଯାଉଛି ।