Odia News Portal

ଓଡିଶା ବନ୍ଦ: ଟ୍ରେନ ଓ ବସ୍ ସେବା ସମ୍ପୂର୍ଣ୍ଣ ଠପ୍

ଭୁବନେଶ୍ୱର: ରାଜଧାନୀରେ ଓଡିଶା ବନ୍ଦର ପ୍ରଭାବ । ମାଷ୍ଟରକ୍ୟାଂଟିନ ଷ୍ଟେସନରେ ରେଳ ଧାରଣା ଉପରେ ଛିଡା ହୋଇ କଂଗ୍ରେସ ବିଧାୟକଙ୍କ ଜୋରଦାର ପ୍ରତିବାଦ । ଲୋକମାନ୍ୟ ତିଲକ ଟ୍ରେନକୁ ଅଟକାଇଲେ କଂଗ୍ରେସ କର୍ମୀ । ଆରପିଏଫ କଥା ନମାନି ଷ୍ଟେସନରେ ଟ୍ରାକ ଉପରେ ଛିଡା ହୋଇଥିଲେ । ପୋଲିସ୍ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସହ କଂଗ୍ରେସ କର୍ମୀମାନେ ଷ୍ଟେସନ ଭିତରକୁ ପଶିବା ସହ ରେଳ ଧାରଣା ଉପରେ ଛିଡା ହୋଇ ପ୍ରତିବାଦ କରିଛନ୍ତି ।

ସେହିଭଳି କଂଗ୍ରେସର ବନ୍ଦ ପାଳନ କାରଣରୁ ବରମୁଣ୍ଡା ବସଷ୍ଟାଣ୍ଡ ରେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ବସ ବନ୍ଦ ଯୋଗୁଁ ଯାତ୍ରୀମାନେ ଅଟକି ରହିଛନ୍ତି । ସକାଳ ୭ରୁ ଦିନ ୨ଟା ଯାଏଁ ମୋ ବସ ସେବା ବନ୍ଦ ଥିବା ସମୟରେ ଦିନ ୨ଟା ପରେ ସ୍ୱାଭାବିକ ହେବ ବସ ଚଳାଚଳ । ସେହିପରି ବନ୍ଦ ପାଳନ ଯୋଗୁଁ ଘରୋଇ ବସ ସେବା ମଧ୍ୟ ବନ୍ଦ ରହିଛି । ଦିନ ୧ଟା ଯାଏଁ ଘରୋଇ ବସ ଚଳାଚଳ ବନ୍ଦ ରହିଛି । ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ୭ ଘଣ୍ଟା ଧରି ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ ।ତେବେ ଅଟୋ, ବସ ଭଳି ସେବା ପ୍ରଭାବିତ ହେବା ଯୋଗୁଁ ଯାତ୍ରୀମାନେ ବସଷ୍ଟାଣ୍ଡରେ ଅଟକି ରହିଛନ୍ତି ।