Odia News Portal

ବିକାଶର ନୂଆଚିତ୍ର ଦେଖିବ ନୂଆପଡ଼ା

ଭୁବନେଶ୍ୱର: ଆସନ୍ତାକାଲି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ରାଜ୍ୟ ସରକାର ସମ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ପ୍ରାୟ ୪ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିପାରନ୍ତି ନବୀନ । ପଛୁଆ ଜିଲ୍ଲାକୁ ଆଗକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି । ସେହିକ୍ରମରେ ଏକାଧିକ ପ୍ରକଳ୍ପର ଉଦଘାଟନ ସହ ଶିଳାନ୍ୟାସ କରିବେ ନବୀନ ।

ସେହିଭଳି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଏହି ଗସ୍ତ ପାଇଁ ସରକାରୀସ୍ତରରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଛି। ନୂଆପଡ଼ା ଜିଲ୍ଲାରେ ସାଂଗଠନିକସ୍ତରରେ ବ୍ୟାକଫୁଟରେ ଥିବା ବିଜେଡି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରୁ ରାଜନୀତିକ ଫାଇଦା ନେବା ପାଇଁ ଦଳୀୟସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ କରୁଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ବୁଧବାର ଦିନିକିଆ ଗସ୍ତରେ ଯାଇ ନୂଆପଡ଼ାର ଖଡ଼ିଆଳଠାରେ ଏକ ବିଶାଳ ଜନସମାବେଶକୁ ସମ୍ବୋଧିତ କରିବେ। ସେଠାରେ ମୁଖ୍ୟମନ୍ତ୍ରୀ ନୂଆପଡ଼ା ଜିଲ୍ଲା ପାଇଁ ପ୍ରାୟ ୪୪ଟି ପ୍ରକଳ୍ପକୁ ଉଦଘାଟନ ଓ ଭିତ୍ତିପ୍ରସ୍ତର କରିବେ। ଏଥିରେ ତିଖିାଲି ଡ୍ୟାମଠାରେ ଜଳସେଚନ ପ୍ରକଳ୍ପକୁ ଶୁଭାରମ୍ଭ କରିବେ।

ଏହି ପ୍ରକଳ୍ପ ଉଦଘାଟନ ପରେ ନୂଆପଡ଼ା ଜିଲ୍ଲାର ୫ଟି ବ୍ଲକ ସମେତ ବଲାଙ୍ଗିର ଜିଲ୍ଲାର ବଙ୍ଗମୁଣ୍ଡା, ଟିଟିଲାଗଡ଼ ଓ ମୁଡ଼ିବାହାଲ ବ୍ଲକର ଚାଷଜମିକୁ ଜଳସେଚନ ସୁବିଧା ମିଳିପାରିବ। ସେହିପରି ଉଦନ୍ତୀ ନଦୀରେ ଏକ ବ୍ରିଜ୍ ଯାହାକି ଧର୍ମଗଡ଼ ଓ ସିନାପାଲି ମଧ୍ୟରେ ସଂଯୋଗ କରୁଛି ତାକୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ। ଏହାବ୍ୟତୀତ ନୂଆପଡ଼ା ଜିଲ୍ଲାରେ ଲୋଏର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଗୋଟିଏ ଦକ୍ଷତା ବିକାଶ କେନ୍ଦ୍ର ସମେତ ପ୍ରାୟ ୩୬ଟି ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ଜଣାପଡ଼ିଛି। କେବଳ ତିଖିାଲି ଜଳସେଚନ ପ୍ରକଳ୍ପର ଶୁଭାରମ୍ଭକୁ ଛାଡ଼ିଦେଲେ ମୁଖ୍ୟମନ୍ତ୍ରୀ ଖଡ଼ିଆଳ ସଭାମଞ୍ଚରେ ରହି ଅନ୍ୟ ସମସ୍ତ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ତେବେ ରାଜ୍ୟ ସରକାରଙ୍କ ବିକାଶ କାମରୁ ପ୍ରତି ପଂଚାୟତରେ ପହଂଚାଇବା ପାଇଁ ରାଜ୍ୟ ଶାସନ କଳ ଲାଗିପଡିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସରକାରୀ ଟଙ୍କାରେ ଦଳୀୟ ନେତା ଓ ମନ୍ତ୍ରୀ ମୌଜ କରୁଥିବା କହିବା ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଯଦି କେହି ବିକାଶ ପ୍ୟାକେଜକୁ ମୌଜ ବୋଲି କହୁଥାନ୍ତି ଜନତା ତାର ଜବାବ ଦେବେ ବୋଲି କହିଛନ୍ତି ବିଜେଡି ବିଧାୟକ ଶାଶୀ ଭୂଷଣ ବେହେରା ।