Odia News Portal

ରାଜ୍ୟରେ ବଢ଼ୁଛି ଅପରାଧ, ଗୃହରେ ତଥ୍ୟ ରଖିଲେ ଦିବ୍ୟ ଶଙ୍କର ମିଶ୍ର

ଭୁବନେଶ୍ୱର: ବଢ଼ୁଛି ଅପରାଧ, ଲୋକେ ଭୟଭୀତ । ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗି ଅପରାଧ । ଚୋରୀଠାରୁ ଆରମ୍ଭ କରି ଦୁଷ୍କର୍ମ । ସବୁ ଅପରାଧ ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ବଢୁଥିବା ଅପରାଧ ଗ୍ରାଫକୁ ଦେଖି ରାଜ୍ୟ ପୋଲିସ୍ ର ପାରିବା ପଣିଆ ଉପରେ ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ରାଜ୍ୟ ପୋଲିସ୍ ଅପରାଧକୁ ନିୟନ୍ତ୍ରଣକୁ ଆଣିବା ପାଇଁ ନୂଆ ନୂଆ ପଦକ୍ଷପ ଗ୍ରହଣ କରୁଥିଲେ ବି ସବୁ ଯୋଜନା ବିଫଳ ହେବାରେ ଲାଗିଛି । ଯାହାକୁ ଦେଖି ମନେ ହେଉଛି ପୋଲିସ୍ ଠାରୁ ୧୦୦ ପାଦ ଆଗରେ ଅପରାଧି, ତେଣୁ ରାଜ୍ୟ ପୋଲିସ୍ ସେମାନଙ୍କ ପାଖରେ ପହଞ୍ଚିପାରୁନାହିଁ ଆଉ ରାଜ୍ୟରେ ଅପରାଧ ବଢି ଚାଲିଛି । ରାଜ୍ୟରେ ଅପରାଧ ବଢିଥିବା ନେଇ ଖୋଦ୍ ରାଜ୍ୟ ସରକାର ସ୍ୱିକାର କରିଛନ୍ତି ଆଉ ଆଜି ଏନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର ।

ରାଜ୍ୟରେ ୨୦୧୯ରେ ୧ ଲକ୍ଷ ୨୧ ହଜାର ୫୨୫ ଅପରାଧିକ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟାରେ ଢେର ଅଧିକ ବୃଦ୍ଧି ଘଟିଛି । ୨୦୨୦ରେ ୧ ଲକ୍ଷ ୩୪ ହଜାର ୨୪୩ ମାମଲା ପଞ୍ଜୀକୃତ ହୋଇଛି । ମାତ୍ର ଗୋଟିଏ ବର୍ଷ ମଧ୍ୟରେ ୧୩ ହଜାରରୁ ଅଧିକ ଅପରାଧିକ ମାମଲା ବୃଦ୍ଧି ପାଇବା ରାଜ୍ୟର ଆଇନ୍ ଶୃଙ୍ଖଳା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ଉତ୍ତର ରଖି ଗୃହ ରାଷ୍ଟ୍ର ମନ୍ତ୍ରୀ ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ।

ଏବେ ରାଜ୍ୟରେ ଦିନ ଦ୍ୱିପ୍ରହରେ ଅପରାଧ ଘଟୁଛି । ଚୋରୀ, ଡକାୟତୀ ଠାରୁ ନେଇ ଅପହରଣ, ଦୁଷ୍କର୍ମ ଓ ହତ୍ୟା ପର୍ୟ୍ୟନ୍ତ ସବୁ କିଛି ନିର୍ଭୟରେ ଘଟୁଛି ମାତ୍ର ଏଭଳି ବଡ ବଡ ଅପରାଧ ଘଟାଉ ଥିବା ଅପରାଧିଙ୍କ ପାଖରେ ପୋଲିସ୍ ପହଞ୍ଚି ପାରୁନାହିଁ । ଆଉ କେତେ ବେଳେ ବର୍ଷ ବର୍ଷ ସମୟ ଲାଗିଯାଉଛି ଜଣେ ଅପରାଧିକୁ ଗିରଫ କରିବା ପାଇଁ ଆଉ ସେହି ସମୟ ମଧ୍ୟରେ ସେହି ଅପରାଧି ପୁଣି ଅନେକ ନୂଆ ଅପରାଧ ଅତି ସହଜରେ କରିନେଉଛି ।

ଅନ୍ୟପଟେ ଗତ ଦୁଇ ବର୍ଷ ହେଲା ରାଜ୍ୟରେ ଆଉ ଏକ ବଡ଼ ଅପରାଧ ରାଜ୍ୟ ପୋଲିସ୍ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ତାହା ହେଉଛି ବେଆଇନ୍ ନିଶା କାରବାର । ରାଜ୍ୟରେ ପ୍ରତିଦିନ ଡ୍ରଗ୍ସ କାରବାର, ଗଞ୍ଜେଇ ଚାଲାଣ, ଚୋରା ମଦ ବ୍ୟବସାୟ ଖବର ସାମ୍ନାକୁ ଆସୁଥିବା ବେଳେ ଏପର୍ୟ୍ୟନ୍ତ ଏମାନଙ୍କ ମୂଳଉତ୍ପାଟନ କରିବାରେ ସଫଳ ହୋଇପାରୁନାହିଁ ରାଜ୍ୟ ପୋଲିସ୍ ।