Odia News Portal

ରାଜଧାନୀରେ ବଢୁଛି ପିପିଲି ତାତି

ତିନି ଦଳ ଛକାପଞ୍ଝା

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ଯେତିକି ପାଖେଇ ଆସୁଛି ରାଜଧାନୀରେ ରାଜନୈତିକ ତାତି ସେତିକି ବଢିବାରେ ଲାଗିଛି । ବିଜେଡି-ବିଜେପି ବିଭିନ୍ନ ପ୍ରସଙ୍ଗରେ ଶିଙ୍ଗ ପକାଇ ଲଢୁଥିବାବେଳେ କଂଗ୍ରେସ ବି ମଉକା ଦେଖି ଘେରାଉ, କୁଶପୂତ୍ତଳିକା ଦାହ ଭଳି କାର୍ଯ୍ୟକ୍ରମ ହାତକୁ ନେଉଛି । କାରଣ ସମସ୍ତେ ଜାଣିଛନ୍ତି ରାଜଧାନୀରେ ଯେଉଁ ରାଜନୀତି ବାଣ ଫୁଟିବ ତାହାର ଶବ୍ଦ ପିପିଲି ଯାଏ ନିଶ୍ଚିତ ଯିବ ।

ଗତ କିଛି ଦିନର ରାଜନୈତିକ କାର୍ଯ୍ୟକଳାପକୁ ଲକ୍ଷ୍ୟକଲେ ଏହା ଜଳ ଜଳ ହୋଇ ଦିଶୁଛି । ବିଧାନସଭା ଭିତରେ ଓ ବାହାରେ ରାଜନୈତିକ ଦଳ ଗୁଡିକ ଅଧିକ ସକ୍ରିୟ ହୋଇଛନ୍ତି । ଗତ ବିଧାନସଭାରେ ସୁରୁଖୁରୁରେ ଗୃହ ଚଳାଇବାରେ ସହଯୋଗ କରିଥିବା ବିଜେପି ଏଥିର ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବାକୁ ନବୀନ ନିବାସ ଯାଇଥିଲା । କଂଗ୍ରେସ ବି ମଉକାର ସଦ୍‌ ବ୍ୟବହାର କରି ଦୁଇ ଦଳକୁ ଭାଇ ଭାଇ କହି ଛିଗୁଲେଇବା ଆରମ୍ଭ କରିଛି । ସେହିଭଳି ମାହାଙ୍ଗା ତାତି ବି ରାଜଧାନୀରେ ଦେଖିବାକୁ ମିଳୁଛି । ପ୍ରତାପ-ସାରଦାଙ୍କୁ ଆଗରେ ରଖି ଦୁଇ ଦଳ ପରସ୍ପର ବିରୁଦ୍ଧରେ ଲଢେଇ ଚଳାଇଛନ୍ତି ।

ତେବେ ଏହି ରାଜନୈତିକ ଯୁଦ୍ଧରେ କଂଗ୍ରେସ ବି ପଛରେ ପଡିନାହିଁ । ମାହାଙ୍ଗା ଘଟଣାରେ ବିଜେଡିକୁ ଘେରୁଥିବାବେଳେ ତୈଳଦର ବୃଦ୍ଧି ପ୍ରସଙ୍ଗରେ ବିଜେପିକୁ ଘେରୁଛି । ବିଦ୍ୟାଳୟ ବନ୍ଦ ପ୍ରସଙ୍ଗ ହେଉ କିମ୍ବା ଧାନ କିଣା କଂଗ୍ରେସର ସଦସ୍ୟମାନେ ବିଧାନସଭା ଭିତରେ ଓ ବାହାରେ ସରକାରଙ୍କୁ ପାଣି ପିଆଉଛନ୍ତି । ଦଳର ସର୍ବବରିଷ୍ଠ ନେତାଙ୍କୁ ବି ବିଧାନସଭାରେ ଧାରଣା ଦେବାକୁ ପଡୁଛି ।
ତେବେ ହଠାତ୍‌ ରାଜନୀତିରେ ଏଭଳି ପରିବର୍ତ୍ତନ ପାଇଁ ବିଶେଷଜ୍ଞମାନେ ପିପିଲି ଉପନିର୍ବାଚନକୁ ଦାୟୀ କରୁଛନ୍ତି । ସେମାନଙ୍କ ମତରେ ରାଜଧାନୀରେ ହେଉଥିବା ରାଜନୈତିକ କାର୍ଯ୍ୟକଳାପ ପ୍ରତି ପିପିଲିବାସୀ ନଜର ରଖିଛନ୍ତି । ତେଣୁ ସେମାନଙ୍କୁ ନିଜ ପଟକୁ ଆଣିବାପାଇଁ ଚାଲିଛି ରାଜନୀତି । ଯଦିଓ ନବୀନଙ୍କ ବନ୍ଦାପନା ମାଷ୍ଟର ଷ୍ଟ୍ରୋକ ପରେ ବିଜେପି ବ୍ୟାକଫୁଟ୍‌ରେ ରହିଛି ଓ ଦଳର ନେତାମାନେ ନିଜର ଭୁଲ୍‌କୁ ସର୍ବସାଧାରଣରେ କହି ବୁଲୁଛନ୍ତି ତଥାପି ଏଥିରୁ ମୁକୁଳି କିଭଳି ପୁଣି ମୁଖ୍ୟସ୍ରୋତକୁ ଫେରିବ ସେଥିପାଇଁ ଦଳ ପୂରା ଦମ୍‌ରେ ଲାଗିପଡିଛି ।

ବର୍ତ୍ତମାନ ସୁଦ୍ଧା ପିପିଲି ଉପନିର୍ବାଚନ ପାଇଁ  ବିଜେପି, ବିଜେଡି କିମ୍ବା କଂଗ୍ରେସ କେହିହେଲ ପ୍ରାର୍ଥୀଙ୍କ ସୁରାକ ଦେଉନଥିବାବେଳେ ସମସ୍ତଙ୍କ ନଜର ବଦଳୁଥିବା ରାଜନୈତିକ ପରିସ୍ଥିତି ଉପରେ ରହିଛି । ତେଣୁ ହଠାତ୍‌ କିଛି ହଟଚମଟ କରି ଭୋଟରଙ୍କୁ ନିଜ ପଟକୁ ଆଣିବାପାଇଁ ତିନି ଦଳ ଛକି ବସିଥିବାବେଳେ ଏହାର ପ୍ରତିଫଳନ ବିଭିନ୍ନ ପ୍ରସଙ୍ଗରେ ରାଜଧାନୀରେ ଦେଖବାକୁ ମିଳୁଛି । ତିନି ଦଳର ଗୋଟି ଚାଳନା ଉପରେ ଏବେ ପିପିଲିବାସୀ ନଜର ରଖିଥିବାବେଳେ ପ୍ରାର୍ଥୀ ଘୋଷଣାପରେ ଛକାପଞ୍ଜା ଆହୁରି ତୀବ୍ର ହେବା ସହିତ ରାଜନୀତିରେ ବଡ ଧରଣର ହଟଚମଟ ହେବବୋଲି ଆକଳନ କରାଯାଉଛି । ତେବେ ପିପିଲି ଭୋଟ ଗ୍ରହଣ ଶେଷ ପର୍ଯ୍ୟନ୍ତ ରାଜଧାନୀର ରାଜନୀତି ଉଷ୍ମ ରହିବାଟା ଏକ ପ୍ରକାର ନିଶ୍ଚିତ ।