Odia News Portal

ବଲାଙ୍ଗୀର ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କଲେ ଶ୍ରୀମୟୀ

ଭୁବନେଶ୍ବର: ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଏକ ଆଦର୍ଶ ଶୈକ୍ଷିକ ପରିବେଶ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସ୍କୁଲ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଣେ ବ୍ୟକ୍ତି ଚାହିଁଲେ ସେ ପଢୁଥିବା ସ୍କୁଲର ବିକାଶରେ ଭାଗିଦାରୀ ହୋଇପାରିବ । ତାହା ଭିତ୍ତିଭୂମି ବିକାଶ ହେଉ ବା ଶିକ୍ଷାଦାନ । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ବହୁ ଓଡ଼ିଆ ସାମିଲ ହୋଇ ସେମାନେ ପଢ଼ିଥିବା ବିଦ୍ୟାଳୟର କାୟାକଳ୍ପରେ ସାମିଲ ହୋଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଆଜି ପୋଷ୍ୟ ସ୍କୁଲ ଗ୍ରହଣରେ ସାମିଲ ହୋଇଛନ୍ତି ଓଟିଡ଼ିସି ଅଧ୍ଯକ୍ଷା ଶ୍ରୀମୟୀ ମିଶ୍ର । ଶ୍ରୀମତୀ ମିଶ୍ର ମୁଖ୍ୟମନ୍ତ୍ରୀ ଙ୍କ ଆହ୍ଵାନ ରେ ଅନୁପ୍ରାଣିତ ହୋଇ ବଲାଙ୍ଗୀର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି । ଆଗାମୀ ଦିନରେ ଏହି ବିଦ୍ୟାଳୟରେ କିଭଳି ଭିତ୍ତିଭୂମି ର ବିକାଶ ହୋଇପାରିବ ଏବଂ ଶିକ୍ଷାଦାନର ମାନ ଓ ପ୍ରକ୍ରିୟା କିଭଳି ଛାତ୍ରୀ ମାନଙ୍କ ପାଇଁ ଏକ ନୂଆ ଦିଶା ପ୍ରଦାନ କରିପାରିବ, ଏହା ଉପରେ ଯଥାସମ୍ଭବ ଚେଷ୍ଟା କରିବେ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି ।

ସୂଚନା ଅନୁଯାୟୀ, ଶ୍ରୀମୟୀ ଏହି ବିଦ୍ୟାଳୟରେ ପାଠ ପଢୁଥିଲେ ଆଉ ବିଦ୍ୟାଳୟ ର ଭିତ୍ତିଭୂମି ଓ ଶୈକ୍ଷିକ ବାତାବରଣ ର ବିକାଶ ପାଇଁ ସବୁବେଳେ ଆଗେଇ ଆସିଛନ୍ତି । ସେ ୨୦୧୮/୧୯ ରେ ମଧ୍ୟ ନିଜ ସହପାଠୀ ତଥା ବିଦ୍ୟାଳୟ ର ପୁରାତନ ଛାତ୍ରୀ ଙ୍କ ସହ ମିଶି ବିଦ୍ୟାଳୟ ର ବିକାଶ ପାଇଁ ଅର୍ଥରାଶି ପ୍ରଦାନ କରିଥିଲେ ।