Odia News Portal

ମାଟ୍ରିକ ପିଲାଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’

ଭୁବନେଶ୍ୱର: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ବହି ଯୋଗାଇଦେବ ଗଣଶିକ୍ଷା ବିଭାଗ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ରାଜ୍ୟର ମୋଟ୍ ୬ ଲକ୍ଷ ୨୦ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ବହି ଯୋଗାଇ ଦିଆଯିବ। ମାଟ୍ରିକ୍ ପରୀକ୍ଷା ପାଇଁ ୩୦% ସିଲାବସ୍ କମା ଯାଇଛି । ଅନଲାଇନ୍, ଟିଭି, ରେଡ଼ିଓ ର ବ୍ୟବସ୍ଥା କରି ମଧ୍ୟ ଛାତ୍ରଛାତ୍ରୀ ଭଲଭାବରେ ପଢ଼ି ପାରିନାହାଁନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ‘ପରୀକ୍ଷା ଦର୍ପଣ’ ଟେଷ୍ଟ ପେପର ଛାତ୍ରଛାତ୍ରୀଙ୍କୁ ଦିଆଯିବ। ସମ୍ଭାବ୍ୟ ୭୦୦ପେଜ୍ ର ବହି ଦେବାକୁ ପ୍ରସ୍ତୁତି ହେଉଛି ଗଣଶିକ୍ଷା ବିଭାଗ ।

ମେ’ ୩ ତାରିଖରେ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ପିଲାଙ୍କ ପାଖରେ ବହି ପହଞ୍ଚାଇ ଦିଆଯିବ ବୋଲି ମନ୍ତ୍ରୀ ସମୀର ଦାସ କହିଛନ୍ତି । ୩୩୦୩୩୯ ସରକାରୀ ସ୍କୁଲ ସହ ୨୭୦୨୬ ଆବାସିକ ଆଦିବାସୀ ସ୍କୁଲ ଏବଂ ୩୬୫୭୯ ଘରୋଇ ସ୍କୁଲ, ୨୪୯୩୯ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ସହ ୧୬୨୪ ଭୋକେସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ବହି ଯୋଗାଇ ଦିଆଯିବ । ୭୦% ସିଲାବସକୁ ନେଇ ‘ପରୀକ୍ଷା ଦର୍ପଣ’ ବହି ଛପା ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।