Odia News Portal

ବିଜେପିର ପିପିଲି ଆଶା ଧୂଳିସାତ୍

ନବୀନଙ୍କ ମାଷ୍ଟର ଷ୍ଟ୍ରୋକର ପ୍ରଭାବ


ଭୁବନେଶ୍ୱ୍ବର: ପିପିଲି ଉପନିର୍ବାଚନ ପାଇଁ ପାଗ ଭିଡୁଥିବା ବିଜେପିର ଆଶା ଧୂଳିସାତ ହୋଇଛି । ବିଶେଷକରି ବିଧାନସଭା ଚାଲିଥିବାବେଳେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟରଷ୍ଟ୍ରୋକରେ ଦଳର ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଖୋଦ ଦଳର କର୍ମୀମାନେ ଆଲୋଚନା କରୁଛନ୍ତି । ନବୀନଙ୍କ ଗୋଟି ଚାଳନାରେ ବିଜେପିର ଯେଉଁ କ୍ଷତି ହୋଇଛି ତାହାର ପ୍ରଭାବ ପିପିଲି ଉପନିର୍ବାଚନରେ ପଡିବା ଜଳ ଜଳ ହୋଇ ଦିଶୁଛି ।

ବିଧାନସଭା ଚାଲିଥିବାବେଳେ ମୁଖ୍ୟ ବିରୋଧିଦଳ ମୁଖ୍ୟମନ୍ତ୍ରୀଙ୍କ ଘରକୁ ଚାଲି ଚାଲି ଯିବା ନୂଆ କଥା ହୋଇଥିବାବେଳେ ଏଥିରୁ ଫାଇଦା ଉଠାଇବାପାଇଁ ବିଜେପି ଆଶା ବାନ୍ଧିଥିଲା । ହେଲେ ନବୀନଙ୍କ ମାଷ୍ଟରଷ୍ଟ୍ରୋକ ସବୁକିଛି ଗଡବଡ କରିଦେଲା । ଖୋଦ ନବୀନ ଧୂ ଧୂ ଖରାରେ ଘରୁ ବାହାରି ଯେଭଳି ବିରୋଧିଦଳଙ୍କୁ ସଙ୍ଖୋଳିନେଲେ ତାହା କେବଳ ଅନନ୍ୟ ଉଦାହରଣ ସୃଷ୍ଟି କଲାନାହିଁ ବିଜେପିର ଗୋଟିଚାଳନା ଉପରେ ପାଣି ପକାଇ ଦେଲା । ଖାଲି ସଙ୍ଖୋଳିଲେ ନାହିଁ, ସେଠାରେ ବନ୍ଦାପନା ସହିତ ଭବ୍ୟ ସମ୍ବର୍ଦ୍ଧନା ବି ହେଲା । ନବୀନ ନିବାସରେ ଫାଟକରେ ପାଦ ଦେଲାପରେ ସତେ ଯେମିତି ବିଜେପିର ସବୁ କଳା ହରଣ ହୋଇଗଲା ବୋଲି କର୍ମୀମାନେ କହୁଛନ୍ତି ।

ପଦଯାତ୍ରାରେ ମୋର୍ଚ୍ଚା ସମ୍ଭାଳିଥିବା ଖୋଦ ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ ବି ନବୀନ ନିବାସ ଯିବା ଭୁଲ୍‌ ହୋଇଗଲା ବୋଲି ଖୋଲାଖୋଲି କହୁଛନ୍ତି । ହେଲେ ଏହାର ଢେର ପୂର୍ବରୁ ଏହି ରାଜନୀତିରୁ ବିଜେଡି ଫାଇଦା ଉଠାଇ ସାରିଛି । ନବୀନଙ୍କ ବିରୋଧି ଶଙ୍ଖୋଳା ପର୍ବରୁ ବିଜେଡିକୁ ଯେଉଁ ସଫଳତା ମିଳିଛି ତାହାର ପ୍ରଭାବ ସିଧାସଳଖ ପିପିଲି ଉପ ନିର୍ବାଚନ ଉପରେ ପଡିବାକୁ ଯାଉଛି । ବିଜେଡି ଏଠାରେ ଏକ ପାଖିଆ ବିଜୟୀ ହେବ ବୋଲି ଦଳୀୟ ନେତାମାନେ ବିଚାରୁଛନ୍ତି । ଉଲ୍ଲେଖନୀୟ ଯେ ଆସନ୍ତା ମାସ ୧୭ ତାରିଖରେ ପିପିଲି

ଉପନିର୍ବାଚନ ହେବାକୁ ଯାଉଥିବାବେଳେ ୨୩ ତାରିଖରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । କୌଣସି ଦଳ ପ୍ରାର୍ଥୀ ଚୂଡାନ୍ତ କରିନାହାନ୍ତି । ତେବେ ଗତ ନିର୍ବାଚନରେ ବିଜେଡି ଠାରୁ ମାତ୍ର ୧୪ହଜାର ଭୋଟ ବ୍ୟବଧାନରେ ହାରିଥିବା ବିଜେପି ଏଥର ପିପିଲିରେ କିଛି ଚମକ୍ରାର କରିବା ଆଶାରେ ଥିଲା । କାରଣ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ପରାଜୟର ବୋଝ ଏବେ ବି ବିଜେପି ବୋହି ଚାଲିଛି । ତେଣୁ କର୍ମୀଙ୍କ ମନୋବଳ ବଢାଇବାପାଇଁ ଦଳ ପିପିଲି ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବାବେଳେ ନବୀନ ନିବାସ ଯାତ୍ରା ଏବେ ସେମାନଙ୍କ ସବୁ ଅଙ୍କକୁ ଗୋଳମାଳ କରିଦେଇଛି ।

ନବୀନଙ୍କ ମାଷ୍ଟର ଷ୍ଟ୍ରୋକର ପ୍ରଭାବ କେବଳ ପିପିଲି ଉପନିର୍ବାଚନ ଉପରେ ପହିବନାହିଁ, ଏହାର ପ୍ରଭାବ ସୁଦୂର ପ୍ରସାରୀ ଏପରିକି ପଞ୍ଚାୟତ ଓ ପୌର ନିର୍ବାଚନ ଉପରେ ପଡିବ । ତେବେ ବିଜେପିର ଏହି ବିପର୍ଯ୍ୟୟରୁ ରାଜ୍ୟ କଂଗ୍ରେସ ଫାଇଦା ଉଠାଇବାକୁ ଚଳାଇଥିବା ଉଦ୍ୟମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମଉକାରେ ଯଦି ବିଜେପିକୁ ପଛକୁ ଠେଲି କଂଗ୍ରେସ ଆଗକୁ ଯାଏ ତେବେ ବିଜେଡିର କୌଣସି କ୍ଷତି ହେବନାହିଁ ବରଂ ବିଜେପି ଡବଲ କ୍ଷତି ସହିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆକଳନ କରୁଛନ୍ତି ।