Odia News Portal

ପୁଲିସ୍‌ର ହୁଗୁଳା ପଣ ପାଇଁ ଲୋକେ ଅମାନିଆ

*ମାଡ଼ି ଚାଲିଛି କରେନା ।

ଭୁବନେଶ୍ୱର : କରୋନା ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ଏକ ନମ୍ବର ସ୍ଥାନ ବଜାୟ ରଖିଥିବାବେଳେ ଏଠାରେ ଏବେ ଅନେକ ପୁଲିସ୍‌ର ହୁଗୁଳା ପଣକୁ ଦାୟୀ କରୁଛନ୍ତି । ଗତବର୍ଷ ଲକ୍‌ଡାଉନ୍‌ ସମୟରେ ପୁଲିସ୍‌ କଡା ହେବାଯୋଗୁଁ ଲୋକେ ଯେଭଳି ଘରେ ରହୁଥିଲେ ଏଥର ଆଉ ତାହା ଦେଖିବାକୁ ମିଳୁନାହିଁ ।

କରୋନା ସଂକ୍ରମଣକୁ ରୋକିବାପାଇଁ ରାଜ୍ୟ ସରକାର ପ୍ରଥମେ ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟ୍‌ଡାଉନ୍‌ ଜାରି କରିଥିଲେ । ଏହାପରେ ଚଳିତମାସ ୫ତାରିଖରୁ ୧୪ଦିନିଆ ଲକଡାଉନ୍‌ ସମଗ୍ର ରାଜ୍ୟରେ ଜାରି ହୋଇଛି । ଇତି ମଧ୍ୟରେ ଲକଡାଉନ୍‌କୁ ୧୦ଦିନ ବିତିଲାଣି । ହେଲେ ସଂକ୍ରମଣ କମିବ କ’ଣ ବରଂ ଉପରମୁହାଁ ହେବାରେ ଲାଗିଛି । ଲୋକେ ଅମାନିଆ ହୋଇ ରାସ୍ତାଘାଟରେ ବୁଲୁଛନ୍ତି । ପୁଲିସ୍‌ ଯେତେ ଅନୁରୋଧ କଲେ କି ନାଲିଆଖି ଦେଖାଇଲେ ବି ତାହାକୁ ମାନୁନାହାନ୍ତି । ଓଲଟା ଫାଇନ୍‌ ଗଣି ଚକ୍କର କାଟୁଛନ୍ତି ।

ପୁଲିସ୍‌ ବାବୁମାନେ ବି ଫାଇନ୍‌ ଆଦାୟକରି ଖୁସ୍‌ । ମଝିରେ ମଝିରେ ଫାଇନ୍‌ ଆଦାୟ କେତେ କୋଟି ଟଙ୍କା ହେଲା ତାହାର ପ୍ରେସ୍‌ ରିଲିଜଟିଏ ଜାରି କରି ଗର୍ବ କରୁଛନ୍ତି । ଫାଇନ୍‌ ଆଦାୟ ଟଙ୍କା ଭଳି କରୋନା କିନ୍ତୁ ମୁଣ୍ଡ ଟେକି ଚାଲିଛି । ରାଜଧାନୀର ଅଧିକାଂଶ ଡାକ୍ତରଖାନାରେ ଶଯ୍ୟା ନାହିଁ । ଲୋକଙ୍କ ବିକଳିଆ ଅବସ୍ଥା ଦେଖି ଔଷଧ ଦୋକାନୀ ଠାରୁ ଡାକ୍ତରଖାନା ପର୍ଯ୍ୟନ୍ତ ଯିଏ ଯେମିତି ପାରୁଛି ଲୁଟୁଛି ।ତେବେ ଚଳିତବର୍ଷ ଲୋକଙ୍କ ଅମାନିଆ ପଣ ପାଇଁ ପୁଲିସ୍‌ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ ହେଲାଣି । ପୁଲିସ୍‌ ଯଦି ଫାଇନ୍‌ ଆଦାୟ ବଦଳରେ ଗତବର୍ଷ ଭଳି ଅମାନିଆଙ୍କୁ ଶାସ୍ତି ଦିଅନ୍ତା ଓ ସେମାନଙ୍କ ଗାଡିଗୁଡିକୁ ଅତି କମ୍‌ରେ ୧୫ଦିନ ପାଇଁ ସିଜ୍‌ କରନ୍ତା ତେବେ ଲୋକେ ଏମିତି ଘୂରି ବୁଲନ୍ତେ ନାହିଁ । କରୋନା ସଂକ୍ରମଣ ର ଶୃଙ୍ଖଳା ଖୁବ୍‌ଶୀଘ୍ର ନିୟନ୍ତ୍ରଣକୁ ଆସନ୍ତା । ହେଲେ ଏଥର ତାହା ହେଉନାହିଁ । ଚଳିତ ଲକଡାଉନ୍‌ ସମୟରେ ପୁଲିସ୍‌ ବାବୁମାନେ ଯେତେ ମାତ୍ରାରେ ଗଣମାଧ୍ୟମରେ ଉପଦେଶ ଦେଉଛନ୍ତି ଓ ନାଲିଆଖି ଦେଖାଉଛନ୍ତି ତାହାର କାଣିଚାଏ ବି ରାସ୍ତାଘାଟରେ ପ୍ରୟୋଗ କରୁନାହାନ୍ତି ।

ତେଣେ ଜଣକୁ ଦେଖି ଆର ଜଣଙ୍କ ଭଳି ଅମାନିଆଙ୍କ ସଂଖ୍ୟା ଦୈନିକ ବଢିବାରେ ଲାଗିଛି । ଲୋକେ କିଭଳି ରାସ୍ତାଘାଟରରେ ବେପରୁଆ ଭାବେ ଚକ୍କର କାଟି ସଂକ୍ରମଣକୁ ନିମନ୍ତ୍ରଣ କରୁଛନ୍ତି ତାହା ଯେ କେହି ଯେକୌଣସି ସ୍ଥାନରେ ଦେଖିପାରିବ । ତେଣୁ ପୁଲିସ୍‌ ପ୍ରଶାସନ ତୁରନ୍ତ କଥା ବଦଳରେ କାମରେ ଶକ୍ତି ପ୍ରଦର୍ଶନ ପାଇଁ ବିଭିନ୍ନ ମହଲରୁ ମତପ୍ରକାଶ ପାଇବାରେ ଲାଗିଛି ।