Odia News Portal

ନାଲକୋରେ ପୋଲିସ-ବିସ୍ଥାପିତ ମୁହାଁମୁହିଁ

୫ ପ୍ଲାଟୁନ ପୋଲିସ ଉପରେ ଟେକାପଥର ମାଡ଼

ଦାମନଯୋଡି: କୋରାପୁଟ ଜିଲ୍ଲା ନାଲକୋ ପରିସରରେ ପୋଲିସ-ବିସ୍ଥାପିତ ମୁହାଁମୁହିଁ ହୋଇଛନ୍ତି। ଗତକାଲି ହୋଇଥବା ପ୍ରଶାସନିକ ଆଲୋଚନା ବିଫଳ ହେବା ପରେ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା। ଏହାକୁ ଅମାନ୍ୟ କରି ମୁତୟନ ଥିବା ୫ ପ୍ଲାଟୁନ ପୋଲିସ ଉପରେ ଟେକାପଥର ମାଡ଼ କରିଥିଲେ ବିକ୍ଷୋଭକାରୀ। ଏହାପରେ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠି ଚାର୍ଜ କରିଥିଲା। ଏବେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ନାଲକୋରେ ନିଯୁକ୍ତି ଦାବି କରି ଗତ ୪ ଦିନ ହେଲା ବିସ୍ଥାପିତମାନେ ଧାରଣାରେ ବସିଛନ୍ତି। ଏଥିଯୋଗୁ ଅଂଳାବଡି ଛକଠାରୁ ମାଇନ୍ସକୁ ରାସ୍ତା ବନ୍ଦ କରି ଦେଇଛନ୍ତି ବିସ୍ଥାପିତ। ଫଳରେ ନାଲ୍‌କୋର ଦିନକୁ ୨୫ ହଜାର ମେଟ୍ରିକ ଟନ ଉତ୍ପାଦନ ବନ୍ଦ ରହିଛି।ଘଟଣାର ସମାଧାନ ନିମନ୍ତେ ଗତକାଲି ରାତିରେ ତହସିଲଦାର ଘଟଣାସ୍ଥଳକୁ ଯାଇଥିବା ବେଳେ କୌଣସି ସମାଧାନ ହୋଇପାରି ନ ଥିଲା। ଏହାପରେ ଆଜି ସକାଳୁ ଉପଜିଲ୍ଲାପାଳ ଆନ୍ଦୋଳନ ସ୍ଥଳରୁ ମାଇନ୍ସ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଥିଲେ।

ଆଜି ସକାଳେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେଉଥିବା ବେଳେ ଆନ୍ଦୋଳନକାରୀଙ୍କ ପଛ ପଟୁ ଢେଲା ମାଡ଼ ହୋଇଥିଲା। ଏଥିରେ ଗୋଟିଏ ପୁଲିସ୍‌ ଗାଡ଼ି ସହ ୨ଟି ପୁଲିସ୍‌ ବସ୍‌ ଚୁରମାର ହୋଇଛି। ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ପୁଲିସ୍‌ ଟିୟର ଗ୍ୟାସ ଚଳାଇଥିଲା। ଘଟଣାସ୍ଥଳରେ ୮ ପ୍ଲାଟୁନ ପୁଲିସ୍‌ ମୁତୟନ କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଘଟଣାସ୍ଥଳରେ କୋରାପୁଟ ଜିଲ୍ଲାପାଳ, ଏସ୍‌ପି, ଅତିରିକ୍ତ ଏସ୍‌ପି, ତହସିଲଦାର ଓ ଏସଡିପିଓ ପ୍ରମୁଖ ଉପସ୍ଥିତ ଅଛନ୍ତି।