Odia News Portal

ସୋସିଆଲ ମିଡିଆରେ ସକ୍ରିୟ ହେଉଛନ୍ତି ନେତା

ଚମକୁଛି ଭାବମୂର୍ତ୍ତି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କାବୁ ହେଉନଥିବାବେଳେ କିଛି ନେତା ଏବେ ଭାବମୂର୍ତ୍ତି ସଜାଡିବାରେ ବ୍ୟସ୍ତ । ଏଥିପାଇଁ ସୋସିଆଲ ମିଡିଆକୁ ଜୋରଦାର ଭାବେ ବ୍ୟବହାର କରୁଛନ୍ତି । ଅବଶ୍ୟକ ଏହି ନେତାମାନଙ୍କ ମଧ୍ୟରୁ ଅନେକ ସୋସିଆଲ ମିଡିଆର ଧାର ଧାରୁନଥିବାବେଳେ ନିଜର ଛବି ଚମକାଇବାପାଇଁ ବିଭିନ୍ନ ଆଇଟି ବିଶେଷଜ୍ଞ ଓ ଫାର୍ମର ଶରଣାପନ୍ନ ହୋଇଛନ୍ତି ।


କରୋନା କାଳରେ ଏବେ ଅନେକ ନେତା-ଅଫିସର କବାଟ କିଳି ଥିବାବେଳେ କିଛି ନେତା ଘରୁ ପଦାକୁ ବାହାରୁଛନ୍ତି । ନିଜ କାମ ସହିତ ଅଞ୍ଚଳବାସୀଙ୍କ ସୁଖଦୁଖରେ ସାମିଲ ହେଉଛନ୍ତି । ତେବେ ଏମାନଙ୍କ ମଧ୍ୟରୁ କେତେକ ଏବେ ଲାଇଟ୍‌-କ୍ୟାମେରା-ଆକ୍ସନ ମୁଡ୍‌ରେ ରହୁଛନ୍ତି । ସାଙ୍ଗରେ ଜଣେ ଦୁଇଜଣ ଫଟୋ ଉଠାଳି ନେଇ ଯାଉଛନ୍ତି । କେଉଁଠି ଛିଡାହେଲେ, କାହା ସହିତ କଥା ହେଲେ, କାହାକୁ କ’ଣ ଦେଲେ, କେଉଁ ଅଫିସରଙ୍କ ସହିତ ବୈଠକକଲେ ସବୁ କିଛିର ସ୍ଥିର ଚିତ୍ର ଓ ଭିଡିଓ ଉତ୍ତୋଳନ ହେଉଛି । କେଉଁ ମିନିଟ୍‌ ଭିତରେ ତାହା ଫେସ୍‌ବୁକ, ଟୁଇଟର, ଇନଷ୍ଟାଗ୍ରାମ ଭଳି ଲୋକପ୍ରିୟ ସୋସିଆଲ ମିଡିଆରେ ଛାଇ ଯାଉଛି ।


ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ରାଜ୍ୟରେ ଦୁଇ ରାଜନୈତିକଦଳ ବିଜେପି ଓ ବିଜେଡି ମଧ୍ୟରେ ଏକ ପ୍ରକାର ଯୁଦ୍ଧ ଚାଲିଥିବାବେଳେ ଏଥିରେ ଏବେ କୁଦିଛି କଂଗ୍ରେସ । କଂଗ୍ରେସର ସୋସିଆଲ ମିଡିଆ ସେଲ୍‌ ବି ପ୍ରତ୍ୟେକ କାର୍ଯ୍ୟର ପ୍ରଚାର ପ୍ରସାର କରାଇବାରେ ଲାଗିଛି । ତେବେ ଦଳୀୟ ସ୍ତରକୁ ବାଦ୍‌ ଦେଲେ ଅନେକ ନେତା ଏବେ ନିଜ ନିଜର ଭାବମୂର୍ତ୍ତି ଚମକାଇବା ବିଶେଷକରି ସାଧାରଣ ଲୋକଙ୍କ ନିକଟରେ ନିଜର ଉପସ୍ଥିତି ଜାହିର ପାଇଁ ଲାଗି ପଡିଛନ୍ତି । ପ୍ରତି ଦିନ କିଛି ନା କିଛି ସୋସିଆଲ ମିଡିଆରେ ଛାଡୁଛନ୍ତି । ବେଳେ ବେଳେ କିଛି ନେତା ବି ବାଟହୁଡି ସମାଲୋଚନାର ଶିକାର ହେଉଛନ୍ତି ।


ତେବେ ସୋସିଆଲ ମିଡିଆ ବ୍ୟବହାର କ୍ଷେତ୍ରରେ ବିଜେଡିର ବହୁନେତା ଆଗରେ ରହିଥିବା ଦେଖିବାକୁ ମିଳୁଛି । ବିଶେଷକରି ଯେତେବେଳେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ କଥା କିମ୍ବା ଦଳୀୟ ସ୍ତରରେ କିଛି କ୍ଷମତା ହସ୍ତାନ୍ତର ନେଇ ହଲଚଳ ହୋଇଥାଏ ସେତେବେଳେ ବିଜେଡି ନେତାମାନେ ସୋସିଆଲ ମିଡିଆରେ ସକି୍ରୟ ହୋଇ ଉଠିଥାନ୍ତି । ବର୍ତ୍ତମାନ କିଛି ଯୁବନେତା ଏଭଳି ସକ୍ରିୟ ହୋଇଛନ୍ତି ଯେ ସେମାନଙ୍କ କାରବାର ଦେଖି ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହୋଇପାରେ ବୋଲି କିଛି ଗଣମାଧ୍ୟମ ଲେଖିବା ଆରମ୍ଭ କରିଦେଇଛନ୍ତି । ଏହା ଏବେ ଅନେକଙ୍କ ରକ୍ତଚାପ ବଢାଇବାରେ ଲାଗିଛି । ଇଚ୍ଛା ନଥିଲେ ବି ମୁଖିଆଙ୍କ ଦୃଷ୍ଟି ଆକର୍ଶଣ ପାଇଁ ଅନେକ ସଜବାଜ ହୋଇ ସୋସିଆଲ ମିଡିଆରେ ବାହାରିଲେଣି ।
ତେବେ ବିଜେପିର ଜାତୀୟ ସ୍ତରର ନେତା ବିଶେଷକରି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ପ୍ରବକ୍ତା ସାଂସଦ ଅପରାଜିତା ଓ ଦଳର ଜାତୀୟ ଉପସାଭପତି ବୈଜୟନ୍ତଙ୍କୁ ବାଦ୍‌ ଦେଲେ ଅନ୍ୟ କେହି ସେଭଳି ସୋସିଆଲ ମିଡିଆରେ ବ୍ୟକ୍ତିଗତ ଭାବେ ସକ୍ରିୟ ନୁହନ୍ତି । କଂଗ୍ରେସ ଏବେ ହାଲି ମଇଦାନକୁ ଆସିଥିବାରୁ ଏହାର ସଭାପତିଙ୍କ ସହ ଆଉ କିଛି ଯୁବନେତା ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚିବାରେ ଲାଗିଛନ୍ତି । ଅଳ୍ପ ଖର୍ଚ୍ଚରେ ଲୋକଙ୍କ ନିକଟରେ ପହଞ୍ଚିବାପାଇଁ କରୋନା ସୁଯୋଗ ଆଣିଥିବାବେଳେ ନେତାମାନେ ଏଥିରୁ କେତେ ଲାଭ ଉଠାଉଛନ୍ତି ଓ ଭୋଟ ବେଳକୁ ଏହା କେତେ କାମ ଦେଉଛି ତାହା ଉପରେ ସମସ୍ତଙ୍କ ନଜର ।