Odia News Portal

ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ନେଇ ପ୍ରତିକ୍ରିୟା ରଖିଲା ବିଜେଡି

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିବା ସହିତ ଆଇନଗତତ ପ୍ରକ୍ରିୟା ଅନୁସାରେ ରାହୁଲଙ୍କ ସଭ୍ୟ ପଦ ରଦ୍ଦ ହୋଇଛି ବୋଲି କହିଛନ୍ତି । ତେବେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶକୁ କେହି ଅବମାନନା କରିପାରିବେ ନାହିଁ । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସବୁକିଛି ହୋଇଛି ବୋଲି ପ୍ରମିଳା କହିଛନ୍ତି ।

ଅନ୍ୟପଟେ ବିଜେଡି ପାଇଁ କଂଗ୍ରେସ-ବିଜେପି ଦୁଇ ସମାନ ଦଳ । ତେଣୁ ବିଜୁ ଜନତା ଦଳ ସେଥିରେ କୌଣସି ପ୍ରତିକ୍ରିୟା ଦେବା ଉଚିତ୍ ନୁହେଁ । ମାନ୍ୟବର କୋର୍ଟ ଯାହା ନିର୍ଦ୍ଦେଶ ଦେବା କଥା ତାହା ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ କହିଛନ୍ତି । ବିଜୁ ଜନତା ଦଳର ସଦସ୍ୟମାନେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିବାର ଆବଶ୍ୟକତା ନାହିଁ ବୋଲି ପ୍ରମିଳା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରଦ୍ଦ ହୋଇଛି ରାହୁଲଙ୍କ ସାଂସଦ ପଦ । ମୋଦୀ ସରନେମକୁ ନେଇ ଦେଇଥିବା ବୟାନରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲଙ୍କ ସଭ୍ୟ ପଦ ହରାଇବାକୁ ପଡିଛି । ଏନେଇ ଲୋକସଭାର ସଚିବାଳୟରୁ ନୋଟିଫିକେସନ ପ୍ରକାଶ ପାଇଛି । ୨ ବର୍ଷ ସଜା ମିଳିବା କାରଣରୁ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ହୋଇଛି । ଗୋଟିଏ ପଟେ ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ ହୋଇଥିବା ବେଳେ ଅନ୍ୟପଟେ କଂଗ୍ରେସ ଟ୍ୱିଟ୍ କରି କହିଛି, ରାହୁଲ ଦେଶବାସୀଙ୍କ ପାଇଁ ସଡକରୁ ସଂସଦ ଯାଏଁ ଲଢେଇ କରୁଥିଲେ, ଲୋକତନ୍ତ୍ରକୁ ବଞ୍ଚାଇବାକୁ ଯଥାସମ୍ଭବ ପ୍ରୟାସ କରୁଥିଲେ । ଷଡଯନ୍ତ୍ର ସତ୍ତ୍ୱେ ମଧ୍ୟ ଏହି ଲଢେଇ ଜାରି ରହିବ ଏବଂ ଏହି ମାମଲାର ନ୍ୟାୟସଙ୍ଗତ ପଦକ୍ଷେପ ନେବୁ ।

ସେହିଭଳି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ରାହୁଲଙ୍କ ସଦସ୍ୟତା ପଦ ରଦ୍ଦ କରିବାକୁ ସବୁ ପ୍ରକାର ପ୍ରୟାସ କରାଯାଇଛି । ସତ କହୁଥିବା ଓ ଜନତାଙ୍କ ହକ୍ ପାଇଁ ଲଢେଇ କରୁଥିବା ରାହୁଲଙ୍କ ସ୍ୱର ଚାପିବାକୁ ସଦସ୍ୟତା ପଦ ରଦ୍ଦ ହୋଇଛି ।