Odia News Portal

ପ୍ରିନ୍ସିପାଲଙ୍କ ଦାଦାଗିରି

ଉଦଳା: କଲେଜକୁ ବି ଭୋକ୍ କୋର୍ସରେ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ଚଳୁ କରିବା ସହିତ କଲେଜର ବିଭିନ୍ନ କାର୍ଯ୍ୟ ନିମନ୍ତେ ଆସିଥିବା ଟଙ୍କାକୁ ଆତ୍ମସାତ କରିବା ଅଭିଯୋଗ ଆସିଥିଲା ପ୍ରିନ୍ସିପାଲଙ୍କ ନାମରେ । ଯାହାକୁ ନେଇ ବିବାଦକୁ ଆସିଥିଲେ କଲେଜ ଅଧ୍ୟକ୍ଷ । ଆଉ ଯେବେ ସବୁ ସତ ବୋଲି ପ୍ରମାଣିତ ହୋଇଗଲା । ସେବେ ପ୍ରିନ୍ସିପାଲ ଆରମ୍ଭ କରିଦେଲେ ଗୁଣ୍ଡାଗିରି । ଆମେ କହୁଛୁ ଉଦଳା ବ୍ଲକ ରାଢୋ ଲୁଇପା ଡିଗ୍ରୀ କଲେଜର ବିବାଦୀୟ ପ୍ରିନ୍ସିପାଲ ଆଦିକନ୍ଦ ଦେ ଙ୍କ କଥା । ଯିଏ କି କୋଟି କୋଟି ଟଙ୍କା ଚଳୁ କରିଥିବା ପ୍ରମାଣିତ ହେବା ପରେ କଲେଜର ଜଣେ କର୍ମଚାରୀଙ୍କୁ ଦେଉଛନ୍ତି ଧମକ । ଯାହାର ଏକ୍ସକ୍ଲୁସିଭ୍ ଅଡିଓ ଲାଗିଛି ଆମ ହାତରେ । ଭଲ କରି ଶୁଣନ୍ତୁ କଣ କହୁଛନ୍ତି ପ୍ରିନ୍ସିପାଲ ।

କଲେଜରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ୟୁଜିସି ପକ୍ଷରୁ ବି ଭୋକ୍ କାର୍ଯ୍ୟକ୍ରମରେ ଆସିଥିବା ଟଙ୍କାକୁ ଆତ୍ମସାତ କରିବା ସହିତ ଷ୍ଟାଇଫେଣ୍ଡ ଟଙ୍କା, କଲେଜ ଅଧ୍ୟାପକ ଅଧ୍ୟାପିକାଙ୍କ ଏରିଅର ଟଙ୍କା ହଡପ କରିଥିଲେ କଲେଜ ଅଧ୍ୟକ୍ଷ ଆଦିକନ୍ଦ ଦେ । ଯାହାକୁ ନେଇ କଲେଜ ଷ୍ଟାପ୍ ଅଭିଯୋଗ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ତଦନ୍ତ । ଏବଂ ଏହି ଘଟଣାରେ ତଦନ୍ତ କରି ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି । ଯେଉଁଥିରେ ପ୍ରିନ୍ସିପାଲ କଲେଜରେ ଟଙ୍କା ଆତ୍ମସାତ କରିଥିବାର ପ୍ରମାଣ ମିଳିଥିବା ସ୍ପଷ୍ଟ ଭାବେ ଦର୍ଶାଯାଇଛି । ଏହି ତଦନ୍ତ ଚାଲିଥିବା ବେଳେ ଅଭିଯୋଗକାରୀଙ୍କ ମଧ୍ୟରୁ କଲେଜର ଡାଟା ଏଂଟ୍ରି ଅପରେଟର ମନୋଜ ଦଳେଇଙ୍କୁ ଡାକି ଏହି ଅଭିଯୋଗରୁ ଓହରି ଯିବାକୁ କହୁଛନ୍ତି ପ୍ରିନ୍ସିପାଲ ।

ଏପରିକି ତାଙ୍କର ୬ – ୭ ବର୍ଷ ଚାକିରୀ ରହିଛି ତଦନ୍ତ ତା ବାଟରେ ହେବ ସେ ପଦବୀରୁ ଇସ୍ତଫା ଦେଇଦେବେ ବୋଲି କହୁଛନ୍ତି । ହେଲେ ପଦବୀରୁ ଇସ୍ତଫା ଦେଲେ ବା ସେ ରାଢୋ ଛାଡି ଗଲେ କଲେଜ ରହିବାକୁ ଦେବେ ନାହିଁ, ବା କଲେଜ ଉଠାଇ ଦେବେ ବୋଲି ଖୋଲାଖୋଲି ଧମକ ଦେଉଛନ୍ତି । ଏପରିକି ଅନ୍ୟ ଏକ ଅଡିଓରେ କଲେଜରେ ରହିବାକୁ ହେଲେ ଚୁପ୍ ରହିବାକୁ କହିଛନ୍ତି । ଏପରିକି ପ୍ରିନ୍ସିପାଲଙ୍କ ଅନ୍ୟ ଦୁଇ ସହଯୋଗୀ ଡାଟା ଏଂଟ୍ରି ଅପରେଟରଙ୍କୁ ଟଙ୍କା ଦିଆଯିବ ବୋଲି ଲାଂଚ ମଧ୍ୟ ଯାଚୁଥିବା ଅଡିଓରେ ସ୍ପଷ୍ଟ ହୋଇଛି । ତେବେ ଏହି ଘଟଣା ବାବଦରେ ପଚାରି ବୁଝିବାକୁ ଆମେ କଲେଜ ପ୍ରିନ୍ସିପାଲଙ୍କୁ ଭେଟିବାକୁ ଯାଇଥିଲେ ସୁଦ୍ଧା ତାଙ୍କର ଦେଖା ପାଇ ନ ଥିଲୁ । ଅନ୍ୟପଟେ ତାଙ୍କୁ ବାରମ୍ବାର ଫୋନ କରିଥିଲେ ସୁଦ୍ଧା ସେ ଫୋନ ଉଠାଇ ନାହାନ୍ତି ।