Odia News Portal

ପୁରୀରେ ହେବ ପ୍ରଥମ କିନ୍ନର ଆଶ୍ରୟ ସ୍ଥଳୀ

ପୁରୀରେ ହେବ ରାଜ୍ୟର ପ୍ରଥମ କିନ୍ନର ଆଶ୍ରୟ ସ୍ଥଳୀ । ଏଥିନିମନ୍ତେ ମୁଖ୍ୟମନ୍ତ୍ରୀଙ୍କଠାରୁ ଜିଲ୍ଲା ପ୍ରଶାସନକୁ ସବୁଜ ସଙ୍କେତ ମିଳିସାରିଛି । ସୋମବାର ପୁରୀ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ତାଲିମ ଶିବିରରେ ଏହି ସୂଚନା ପ୍ରଦାନ କରାଯାଇଛି। ୧୮ ବର୍ଷ ଏବଂ ତା’ଠାରୁ ଅଧିକ ବୟସର କିନ୍ନରଙ୍କୁ ଚିହ୍ନଟ କରି ଭୋଟର ତାଲିକାରେ ସାମିଲ କରିବା ପାଇଁ ଏହି ତାଲିମ ଶିବିର ଆୟୋଜନ କରାଯାଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ଏହି ଶିବିରର ଉଦ୍‌ଘାଟନ କରିଥିଲେ ।

ପୁରୀରେ ଥିବା ୧୮ ବର୍ଷରୁ ଊଦ୍ଧ୍ୱର୍ ପ୍ରତ୍ୟେକ କିନ୍ନରଙ୍କର ପଞ୍ଜୀକରଣ କରାଇ ସେମାନଙ୍କର ମତଦାନର ଅଧିକାର ସୁରକ୍ଷିତ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ‘ସାଥୀ’ ଅନୁଷ୍ଠାନ ଏହି ଶିବିର ଆୟୋଜନ କରିଥିଲା । ଉପଜିଲ୍ଲାପାଳ ଭବତାରଣ ସାହୁ କାର୍ଯ୍ୟକ୍ରମରେ ଯୋଗ ଦେଇ କିନ୍ନରଙ୍କ ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । କିନ୍ନରଙ୍କ ସୁବିଧା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥାବଳୀ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରକଳ୍ପ ପରାମର୍ଶଦାତା ସିଦ୍ଧାର୍ଥ ରାୟ କହିଥିଲେ । ସାଥୀ ଅନୁଷ୍ଠାନର ସହ-ନିର୍ଦ୍ଦେଶକ ବିଶ୍ୱଭୂଷଣ ପଟ୍ଟନାୟକ, ଶର୍ମିଷ୍ଠା ଦାସ, ରାଜବୀର ଦାସ ଓ ଅସିତ କୁମାର ରାଉତ ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ ।