ଭଦ୍ରକରୁ ବିରଳ ଆଲବିନୋ ରଣା ଉଦ୍ଧାର ହୋଇଛି । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ଠାରୁ ସୂଚନା ପାଇ ସାପକୁ ଉଦ୍ଧାର କରିଛି ବନ ବିଭାଗ । ମୁହଁରେ ଖଣ୍ଡିଆ ଥିବାରୁ ସାପର ସ୍ୱାସ୍ଥ୍ୟ ଭଲ ମନ୍ଦ ଦେଖିବା ପାଇଁ ଭଦ୍ରକ ଡିଭିଜନର ACF ସୁମିତ ମହାନ୍ତି ସ୍ନେକ ହେଲ୍ପ ଲାଇନକୁ ଅନୁରୋଧ କରିଛନ୍ତି । ଅଧିକ ଚିକିତ୍ସା ଆବଶ୍ୟକତା ଥିବାରୁ ସାପକୁ ନନ୍ଦନକାନନ ପଠେଇବା ପାଇଁ ସ୍ନେକ ହେଲ୍ପ ଲାଇନ ତରଫରୁ ପରାମର୍ଶ ଦିଆଯାଇଛି ।ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଛୁଆଳ ସିଂହ ଅଞ୍ଚଳରୁ ଏକ ହଳଦିଆ ଧଳା ରଙ୍ଗର ସାପ ସ୍ଥାନୀୟ ଲୋକ ମାନେ ଧରି ଏକ ପ୍ଲାଷ୍ଟିକ ଡବାରେ ରଖିଥିଲେ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନ କରି ଲୋକ ମାନେ ସାପଟିକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଫଟୋ ଦେଖି ସାପ ବିରଳ ଆଲବିନୋ ରଣା ବୋଲି ଶୁଭେନ୍ଦୁ ଜାଣିବାକୁ ପାଇଥିଲେ । ତେଣୁ ଭଦ୍ରକ ଡିଭିଜନର ACF ସୁମିତ ମହାନ୍ତିଙ୍କୁ ସାପର ଫୋଟୋ ପଠେଇ ଉଦ୍ଧାର ପାଇଁ ଶୁଭେନ୍ଦୁ ଅନୁରୋଧ କରିଥିଲେ । ACF ଙ୍କ ନିର୍ଦ୍ଦେଶରେ ବନ ବିଭାଗ ଷ୍ଟାଫ ସାପଟିକୁ ଉଦ୍ଧାର କରି ଭଦ୍ରକ ରେଞ୍ଜ ଅଫିସକୁ ଆଣିଥିଲେ ।ଶୁଭେନ୍ଦୁଙ୍କ ଠାରୁ ଖବର ପାଇ ଯାଜପୁର ଟାଉନରୁ ସ୍ନେକ ହେଲ୍ପ ଲାଇନର ଏକ 3 ଜଣିଆ ଟିମ ଭଦ୍ରକ ରେଞ୍ଜ ଅଫିସ ଯାଇ ସାପକୁ ପାଣି ପିଆଇବା ବ୍ୟବସ୍ଥା କରିଛନ୍ତି । ଉଦ୍ଧାର ରଣା ମୁହଁ ପାଖରେ ଟିକେ ଖଣ୍ଡିଆ ଥିବାରୁ ସାପର ସ୍ୱାସ୍ଥ୍ୟ ଭଲ ମନ୍ଦ ଦେଖିବା ପାଇଁ ACF ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଅନୁରୋଧ କରିଥିଲେ । ସାପଟିର ମୁହଁ ଖଣ୍ଡିଆ ହେଇ ଥିବାରୁ ଚିକିତ୍ସା ପାଇଁ ନନ୍ଦନକାନନ ପଠେଇବା ପାଇଁ ସ୍ନେକ ହେଲ୍ପ ଲାଇନ ତରଫରୁ ପରାମର୍ଶ ଦିଆଯାଇଛି ।ବିଭିନ୍ନ ସ୍ଥାନରେ ରଣା ସାପ ମୁଖ୍ୟତଃ ଦେଖିବାକୁ ମିଳିଥାନ୍ତି । ମାତ୍ର ଆଲବିନୋ ରଣା ବା ଧଳା ହଳଦିଆ ରଙ୍ଗର ରଣା ସାପ ଖୁବ୍ ବିରଳ ଅଟେ । ଏହି ସାପ ଶରୀରରେ ମେଲାନିନ୍ ନାମକ କଣିକା ଅନୁପସ୍ଥିତ ରହିଥାଏ । ଏହା ବେଳେ ବେଳେ ଧଳା କିମ୍ବା ଇଷତ୍ ଗୋଲାପି ରଙ୍ଗର ମଧ୍ୟ ହୋଇପାରନ୍ତି । ଏହାର ଆଖିର ରଙ୍ଗ ମଧ୍ୟ ଲାଲ କିମ୍ବା ଗୋଲାପି ହୋଇପାରେ ।
