Odia News Portal

ଆଜି ଭଡ଼ାଟିଆ ଓ କର୍ମଜୀବୀଙ୍କ ଜଗା ଦର୍ଶନ

ପୁରୀ: ଆଜିଠାରୁ ଭଡ଼ାଟିଆଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଛି। ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ଦୀର୍ଘ ୯ ମାସର କଟକଣା ପରେ ଗତ ୨୩ ତାରିଖରୁ ପୁରୀରେ ଆରମ୍ଭ ହୋଇଛି ଜଗା ଦର୍ଶନ। ପ୍ରଥମ ତିନି ଦିନ ସେବାୟତଙ୍କ ପରିବାରଙ୍କୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିଥିଲା। ଏହା ପରେ ୨୬ତାରିଖରୁ ୩୧ ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କୁ ମିଳିଥିଲା ଦର୍ଶନ ଅନୁମତି। ଆନୁଷ୍ଠାନିକ ଭାବେ ଜଗା ଦର୍ଶନ ନିମନ୍ତେ ଭଡ଼ାଟିଆଙ୍କ ପାଇଁ ୩୦ ଓ ୩୧ ତାରିଖ ଧାର୍ଯ୍ୟ ହୋଇଛି। ହେଲେ ଟୋକନ ପାଇଥିବା ଭଡ଼ାଟିଆ ଆଜିଠାରୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ।

ଭଡ଼ାଟିଆଙ୍କ ପାଇଁ ନୀଳ ରଙ୍ଗ ଓ କର୍ମଜୀବୀଙ୍କ ପାଇଁ ସବୁଜ ରଙ୍ଗର ଟୋକନ ବ୍ୟବସ୍ଥା କରାଯାଇଛି । ଘରମାଲିକଙ୍କଠାରୁ ଲିଖିତ ଅନୁମତି ଆଣି ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଭକ୍ତ। ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥା ନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି ହୋଇଛି। ସେବାୟତ ହୁଅନ୍ତୁ କି ପୁରୀ ବାସିନ୍ଦା, ସମସ୍ତଙ୍କ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଜାନୁଆରୀ ୩ରୁ ଜିଲ୍ଲା ବାହାର ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ତେବେ ପୁରୀ ବାହାରର ଭକ୍ତଙ୍କ ଲାଗି କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି।