Odia News Portal

କାମ ସାରି ଫେରୁଥିଲେ, ଦଳିଦେଲା ଦନ୍ତା: ରାସ୍ତାରେ ମୃତଦେହ ରଖି ସ୍ଥାନୀୟ ଲୋକଙ୍କ ପ୍ରତିବାଦ

ପୁଣି ଜୀବନ ନେଲା ଦନ୍ତା । ଗତକାଲି ବିଳମ୍ବିତ ରାତିରେ ଯୁବକ କାମ ସାରି ଫେରୁଥିବା ବେଳେ ଦଳିଦେଲା ଦନ୍ତା । ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ନିଧିପୁର ଆଦିବାସୀ ସାହିର ସୁଶାନ୍ତ କୁମାର ନାୟକ(୩୫) । ଘଟଣାସ୍ଥଳରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଉତ୍ତେଜନା ପ୍ରକାଶ ପାଇଛି । ଗାଁଲୋକେ ମୃତଦେହକୁ ରାସ୍ତାରେ ରଖି ପ୍ରତିବାଦ କରିଛନ୍ତି । ମୃତକଙ୍କ ପରିବାରକୁ 50 ଲକ୍ଷ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।ରାତ୍ର ପ୍ରାୟ ସାଢେ ୧୦ଟା ପରେ ହେବ ସ୍ଥାନୀୟ ନିଧିପୁର ଆଦିବାସୀ ସାହିର ସ୍ବର୍ଗତ ଦିଜବର ନାୟକଙ୍କ ପୁଅ ସୁଶାନ୍ତ କୁମାର ନାୟକ(୩୫) ହଜରୁ ନିଜ କାମ ଶେଷ କରି ସାଇକେଲରେ ଘରକୁ ଫେରୁଥିଲେ । ହଜ-ନିଧିପୁର ରାସ୍ତାର କଲରାଝର ଗାଁ ଶେଷମୁଣ୍ଡରେ ଏକ ହାତୀ ତାଙ୍କୁ ଦଳି ଦେଇଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ହାତୀଟି ସୁଶାନ୍ତଙ୍କ ସାଇକେଲକୁ ମଧ୍ୟ ଭାଙ୍ଗି ଦେଇଛି । ଘରେ ତାଙ୍କର ବିଧବା ବୃଦ୍ଧା ମା’, ସ୍ତ୍ରୀ, ଗାଁ ସ୍କୁଲରେ ନବମ ଶ୍ରେଣୀରେ ପଢୁଥିବା ପୁଅ ଓ ଷଷ୍ଠ ଶ୍ରେଣୀରେ ପଢୁଥିବା ଝିଅ ଅଛନ୍ତି ।ମୃତ ସୁଶାନ୍ତ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ସରକାରଙ୍କ ତରଫରୁ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦେବା ଦାବିରେ ଉତ୍ତ୍ୟକ୍ତ ଲୋକେ ଟାୟାର ଜାଳି ହଜ ଛକ ଠାରେ ରଣପୁର-ଜଙ୍କିଆ ନୂଆ ଜଗନ୍ନାଥ ସଡ଼କକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟପଟେ ଅନେକ ଯାନବାହାନ ଅଟକି ରହିଛି । ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ ବନବିଭାଗ ଅଧିକାରୀ କିମ୍ବା କର୍ମଚାରୀ ପହଞ୍ଚି ନଥିବା ବେଳେ ଉତେଜନା ବୃଦ୍ଧି ପାଇଛି । ଜଙ୍କିଆ ପୋଲିସ ପହଞ୍ଚି ସ୍ଥିତି ଉପରେ ନଜର ରଖିଛି ।