Odia News Portal

ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବା ପାଇଁ ଅନଲାଇନ ବ୍ୟବସ୍ଥାର ଶୁଭାରମ୍ଭ

ରାଉରକେଲ: ରାଉରକେଲା ପୌର ସଂସ୍ଥାରୁ ଲିଜ୍ ପାଇଥିବା ଜମିର ମାଲିକାନା ସ୍ୱତ୍ତ୍ୱ ନିଜ ନାମରେ ପରିବର୍ତ୍ତନ କରିବା ବା ଲିଜ୍ ହୋଲ୍ଡରୁ ଫ୍ରି ହୋଲ୍ଡ କରିବା ପାଇଁ ରାଉରକେଲା ମହାନଗର ନିଗମ ବାସିନ୍ଦାଙ୍କୁ ଏଣିକି ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ସେମାନେ ଅନଲାଇନ ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭିଡିଓ କନଫରେନ୍ସିଂ ଜରିଆରେ ଏହି ଅନଲାଇନ ପାଇଲଟ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାକୁ ଲୋକମାନଙ୍କ ପାଇଁ ଅଧିକ ସରଳ ଏବଂ ସୁବିଧାଜନକ କରିବା ନିମେନ୍ତ ନିର୍ଦ୍ଦେଶ ଦେଇଥିଲେ। ଦରଖାସ୍ତ ପାଇଁ ଦରକାର ପଡ଼ୁଥିବା ସତ୍ୟପାଠ ଓ ଦସ୍ତାବିଜ ଆଦିର ସଂଖ୍ୟା କମାଇବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସତ୍ୟପାଠ ଓ ଅନ୍ୟାନ୍ୟ ପ୍ରମାଣପତ୍ର ଜାଗାରେ ସ୍ୱ-ଘୋଷଣାକୁ ଗ୍ରହଣ କରିବାର ସମ୍ଭାବନା ପରୀକ୍ଷା କରିବା ନିମନ୍ତେ ସେ କହିଥିଲେ। ନୂଆ ବ୍ୟବସ୍ଥାକୁ ଜନସେବା କେନ୍ଦ୍ର ଏବଂ କମନ ସର୍ଭିସ୍ ସେଣ୍ଟର ସହ ସଂଯୋଜିତ କରିବା ସହ ନିଜ ନିଜ କମ୍ପ୍ୟୁଟରରୁ ଦରଖାସ୍ତ ଦାଖଲ କରିବାର ବ୍ୟବସ୍ଥା କରିବାକୁ ଶ୍ରୀ ମହାପାତ୍ର କହିଥିଲେ। ଅନଲାଇନ ଦରଖାସ୍ତ ସହ ସରକାରୀ ଦେୟର ଅନଲାଇନ ପୈଠ ବ୍ୟବସ୍ଥା କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ, ନୂଆ ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ଲକ୍ଷ୍ୟ ରଖାଯିବ ଏବଂ ଆବଶ୍ୟକତା ଅନୁଯାୟୀ ଏହାକୁ ଅଧିକ ସରଳୀକରଣ କରିବା ନିମନ୍ତେ ପ୍ରଚଳିତ ନୀତି ନିୟମରେ ପରିବର୍ତ୍ତନ ଅଣାଯିବ। ଶ୍ରୀ ସେଠୀ ଆହୁରି ମଧ୍ୟ କହିଥିଲେ ଯେ, ନୂଆ ବ୍ୟବସ୍ଥାକୁ ବ୍ୟବହାର କରୁଥିବା ଅଧିକାରୀ, କାର୍ଯ୍ୟାଳୟ ଏବଂ ନାଗରିକମାନଙ୍କର ମତାମତ ଓ ଆବଶ୍ୟକତା ଅନୁସାରେ ବ୍ୟବସ୍ଥାକୁ ସୁଗମ କରାଯିବ।