Odia News Portal

ଅନ୍ତିମ ମ୍ୟାଚ ଖେଳିଲେ ସାନିଆ

ଖୁସିର ଲୁହ ସହ ଭାରତୀୟ ଟେନିସ କିଂବଦନ୍ତି ସାନିଆ ମିର୍ଜା ‌ରବିବାର ନିଜ ଖେଳ ଜୀବନ ଶେଷ କରିଛନ୍ତି। ‌ସେ ‌ଯେଉଁଠାରେ ଖେଳି ଖେଳ ଜୀବନର ଆରମ୍ଭ କରିଥିଲେ ସେହିଠାରେ ହିଁ ଶେଷ କରିଛନ୍ତି। ହାଇଦ୍ରାବାଦସ୍ଥିତ ଲାଲ ବାହାଦୂର ଟେନିସ ଷ୍ଟାଡିୟମ୍‌ରେ ପ୍ରାୟ ଦୁଇ ଦଶନ୍ଧି ତଳେ ଡବ୍ଲୁଟିଏ ଏକକ ଟ୍ରଫି ଜିତିଥିଲେ ସାନିଆ। ରବିବାର ସେହିଠାରେ ଏକ ପ୍ରଦର୍ଶନୀ ମ୍ୟାଚ୍‌ ଖେଳି ଖେଳ ଜୀବନକୁ ଅଲ୍‌ବିଦା କହିଛନ୍ତି ସେ। ଏହି ପ୍ରଦର୍ଶନୀ ମ୍ୟାଚ୍‌ରେ ରୋହନ ବୋପାନ୍ନା, ଯୁବରାଜ ସିଂହ ଓ ତାଙ୍କର ଘନିଷ୍ଠ ସାଙ୍ଗ ବେଥାନି ମେତେ ସାଣ୍ଡ୍ସ ଖେଳିଥିଲେ। ଏହି ମ୍ୟାଚ୍‌ ବେଳେ ଦର୍ଶକ ଗ୍ୟାଲେରି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଓ ପୂର୍ବତନ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍‌ ଉପସ୍ଥିତି ଥିଲେ।

ସାନିଆଙ୍କ ପରିବାର ସଦସ୍ୟ ଓ ସାଙ୍ଗସାଥୀମାନେ ମଧ୍ୟ ଉପସ୍ଥିତ ଥିଲେ। ମ୍ୟାଚ୍‌ ପରେ ସାନିଆଙ୍କୁ ରାମା ରାଓ ଏବଂ ତେଲେଙ୍ଗାନା କ୍ରୀଡ଼ାମନ୍ତ୍ରୀ ଭି ଶ୍ରୀନିବାସ ଗୌଡ଼ ସମ୍ବର୍ଦ୍ଧିତ କରିଥିଲେ। ଏକ ନାଲି କାର୍‌ରେ ୩୬ ବର୍ଷୀୟ ସାନିଆ ଆସି ଷ୍ଟାଡିୟମରେ ପହଞ୍ଚି ପ୍ରଶଂସକ ସହ ଉପସ୍ଥିତ ଥିବା ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଚିୟର କରିଥିଲେ। ଏହାପରେ ବିଦାୟୀ ଭାଷଣ ଦେଲା ବେଳେ ସାନିଆ ଭାବପ୍ରବଣ ହୋଇଯାଇଥିଲେ। ‘‘ଦେଶ ପାଇଁ ୨୦ ବର୍ଷ ଧରି ଖେଳିବା ସବୁଠାରୁ ବଡ଼ ସମ୍ମାନର ବିଷୟ। ଆପଣମାନଙ୍କ ସମ୍ମୁଖରେ ମୋର ଶେଷ ମ୍ୟାଚ୍‌ ଖେଳିଥିବାରୁ ବହୁତ ଖୁସି। ମୋ ଆଖିରେ ଏହି ଲୁହ ଖୁସିର। ଏଭଳି ବିଦାୟୀ ସମ୍ବର୍ଦ୍ଧନା ଅଭୁଲା ହୋଇ ରହିବ। ‌ମୁଁ ଗଲା ପରେ ଅନେକ ସାନିଆ ବାହାରିବେ’’ ବୋଲି ସେ କହିଥିଲେ। ଏହି ଅବସରରେ ୬ ଗ୍ରାଣ୍ଡ ସ୍ଲାମ୍‌ ବିଜୟିନୀ (୩ ଲେଖାଏଁ ମହିଳା ଯୁଗଳ ଓ ମିଶ୍ରିତ ଯୁଗଳ) ଏଠାରେ ଦୁଇଟି ମିଶ୍ରିତ ଯୁଗଳ ପ୍ରଦର୍ଶନୀ ମ୍ୟାଚ୍‌ ଖେଳିଥିଲା ବେଳେ ଉଭୟରେ ବିଜୟୀ ହୋଇଥିଲେ।